ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ; ବ୍ରିକ୍ସ ମଞ୍ଚରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୋହନ

ପୁରୀ: ପ୍ରାୟ ୮,୩୦୧ କୋଟି ଟଙ୍କାର ବ୍ୟୟ ଅଟକଳରେ ରାମେଶ୍ୱରରୁ ପାରାଦୀପ ୧୬୦ କିଲୋମିଟର ବିଶିଷ୍ଟ କୋଷ୍ଟାଲ ଗ୍ରୀନଫିଲ୍ଡ ଉପକୂଳ ରାଜମାର୍ଗ ନିର୍ମାଣ ହେବ । ଏହି ଜାତୀୟ ରାଜପଥ ଓଡ଼ିଶାର ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ମୁକାବିଲା କ୍ଷମତାକୁ ଯଥେଷ୍ଟ ଶକ୍ତିଶାଳୀ କରିବ । ଏହି ପ୍ରକଳ୍ପ ଓଡ଼ିଶାର ବାତ୍ୟା ପ୍ରବଣ ଉପକୂଳରେ ଏକ ଦୃଢ଼ ବିକଳ୍ପ ପରିବହନ କରିଡର ପ୍ରଦାନ କରିବ । ଯାହା ଗୁରୁତର ବିପର୍ଯ୍ୟୟ ସମୟରେ ଦ୍ରୁତ ଗଣ-ସ୍ଥାନାନ୍ତରଣକୁ ସୁଦୃଢ କରିବ, ବାଧାହୀନ ଯୋଗାଣ ଶୃଙ୍ଖଳା ସୁନିଶ୍ଚିତ କରିବ ଏବଂ ଜରୁରୀକାଳୀନ ମୁକାବିଲା ତଥା ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରିକ୍ସ ସମ୍ମିଳନୀରେ କହିଛନ୍ତି ।ବିପର୍ଯ୍ୟୟ ଆଶଙ୍କା ହ୍ରାସ ଦିଗରେ ପ୍ରତିରୋଧୀ ଭିତ୍ତିଭୂମିର ଭୂମିକା ସମ୍ପର୍କରେ ଆଲୋକପାତ କରି ସିଏମ୍ ମାଝୀ ନିକଟରେ ଅନୁମୋଦିତ ହୋଇଥିବା ରାମେଶ୍ବରମ୍-ପାରାଦୀପ କୋଷ୍ଟାଲ୍ ଗ୍ରୀନଫିଲ୍ଡ ଉପକୂଳ ରାଜମାର୍ଗ ଉପରେ ଆଲୋକପାତ କରିଥିଲେ । ସେ କହିଛନ୍ତି, ଏହି ପ୍ରକଳ୍ପ ଓଡ଼ିଶା ପାଇଁ ଅନୁମୋଦିତ ଅନ୍ୟାନ୍ୟ ରୂପାନ୍ତରଣମୂଳକ ଭିତ୍ତିଭୂମି ପଦକ୍ଷେପଗୁଡ଼ିକର ପରିପୂରକ । ଏହା ହେଉଛି-

ପ୍ରାୟ ୮,୩୦୭ କୋଟି ଟଙ୍କାର ବିନିଯୋଗରେ ୧୧୧ କିଲୋମିଟର ବ୍ୟାପୀ କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ ପ୍ରକଳ୍ପ।
ନୀତି ଆୟୋଗର ସହାୟତାରେ କେନ୍ଦ୍ରୀୟ ଅନୁଦାନରୁ ୫,୦୦୦ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡରପ୍ରକଳ୍ପ।
ଏହି ପ୍ରକଳ୍ପଗୁଡ଼ିକ କେବଳ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ନାହିଁ, ବରଂ ଦୀର୍ଘକାଳୀନ ବିପର୍ଯ୍ୟୟ ପ୍ରତିରୋଧ ଏବଂ ଜଳବାୟୁ ଅନୁକୂଳ ପଦକ୍ଷେପ ନେବାରେ ମଧ୍ୟ ସାହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଗ୍ରୀନଫିଲ୍ଡ ଉପକୂଳ ରାଜମାର୍ଗ ପ୍ରକଳ୍ପକୁ ଅନୁମୋଦନକୁ ନେଇ ଓଡ଼ିଶାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସରକାରଙ୍କ ପ୍ରତି ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହାକୁ ଏକ ରୂପାନ୍ତରଣ ପଦକ୍ଷେପ ଭାବେ ବର୍ଣ୍ଣନା କରି ସେ କହିଛନ୍ତି ଯେ, ଏହି ପ୍ରକଳ୍ପ ଓଡ଼ିଶାର ବିକାଶ ଏବଂ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ନିର୍ମାଣ ପ୍ରୟାସ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଅବିଚଳିତ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ଏବଂ ଭବିଷ୍ୟତର ଅର୍ଥନୈତିକ ଓ ସାମାଜିକ ପ୍ରଗତି ପାଇଁ ଏକ ଦୃଢ଼ ମୂଳଦୁଆ ସୃଷ୍ଟି କରୁଛି। କ୍ରମାଗତ ଭାବେ ବଢ଼ୁଥିବା ତାପମାତ୍ରା, ଅସହ୍ୟ ପାଣିପାଗ ଏବଂ ଦ୍ରୁତ ସହରୀକରଣ ପାଇଁ ପ୍ରତିରୋଧ ବ୍ୟବସ୍ଥାକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍ତି । ଜଳବାୟୁ-ସମ୍ବେଦନଶୀଳ ସହରାଞ୍ଚଳ ଯୋଜନା, ସ୍ଥାୟୀ ଜମି ବ୍ୟବହାର ନୀତି ଏବଂ ବ୍ୟାପକ ଗ୍ରୀଷ୍ମ ପ୍ରବାହ ମୁକାବିଲା ପଦକ୍ଷେପଗୁଡ଼ିକୁ ଭବିଷ୍ୟତ ରଣନୀତିର ଅପରିହାର୍ଯ୍ୟ ଅଙ୍ଗ ଭାବରେ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଗ୍ରୀଷ୍ମ ପ୍ରବାହ, ବଜ୍ରପାତ ଏବଂ ଉପକୂଳ କ୍ଷୟରୁ ବଢ଼ୁଥିବା ଆଶଙ୍କାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଉନ୍ନତ ବୈଜ୍ଞାନିକ ପଦ୍ଧତି, ଜନସଚେତନତା ଅଭିଯାନ ଏବଂ ପ୍ରତିଷେଧକ ମୂଳକ ପଦକ୍ଷେପ ପାଇଁ ମଧ୍ୟ ଆହ୍ୱାନ ଦେଇଛନ୍ତି।

ବିପର୍ଯ୍ୟୟ ଆଶଙ୍କା ହ୍ରାସ, ଜଳବାୟୁ ଅନୁକୂଳ ତଥା ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ଏବଂ ସଂସ୍ଥା ଗୁଡିକର କ୍ଷମତା ବୃଦ୍ଧି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିକାଶଶୀଳ ଅର୍ଥନୀତିଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି କରିବାରେ ବ୍ରିକ୍ସ ମଞ୍ଚର ଗୁରୁତ୍ୱ ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଛନ୍ତି। ଅଂଶଗ୍ରହଣକାରୀ ଦେଶ ଏବଂ ବିଶେଷଜ୍ଞମାନଙ୍କୁ କେବଳ ଆଲୋଚନାରେ ସୀମିତ ନ ରହି ଆଲୋଚିତ ବିଷୟଗୁଡ଼ିକୁ ବାସ୍ତବ ସହଭାଗିତା ଏବଂ ଏଥିରୁ ଯେପରି ଉପଯୁକ୍ତ ସୁଫଳ ମିଳିବ, ସେଥିପାଇଁ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି। ଏହା ଦ୍ୱାରା ବିଶ୍ୱର ଅସୁରକ୍ଷିତ ଜନସଂଖ୍ୟା ଉପକୃତ ହୋଇପାରିବେ। ସେ କହିଛନ୍ତି ଯେ ଆଗୁଆ ସୂଚନା ପ୍ରଣାଳୀ, ପ୍ରତିରୋଧୀ ଭିତ୍ତିଭୂମି, ଜଳବାୟୁ ଅନୁକୂଳ ତଥା ସାଂସ୍ଥାଗତ କ୍ଷମତା ବୃଦ୍ଧି ଉପରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ବ୍ରିକ୍ସ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିଛି। ଆଲୋଚନାକୁ କାର୍ଯ୍ୟରେ ପରିଣତ କରିବା ହିଁ ସମୟର ଆହ୍ୱାନ ବୋଲି ସେ କହିଥିଲେ।

ଏହି ବୈଠକର ସଫଳତା ଉପରେ ଆତ୍ମବିଶ୍ୱାସ ପ୍ରକଟ କରି ସିଏମ୍ ମାଝୀ କହିଛନ୍ତି ଯେ, “ପୁରୀ ଅଧିବେଶନ” ବିଶ୍ୱସ୍ତରୀୟ ବିପର୍ଯ୍ୟୟ ଆଶଙ୍କା ହ୍ରାସ ପ୍ରୟାସରେ ଏକ ସ୍ମରଣୀୟ ଅବଦାନ ଭାବେ ଉଭା ହେବାର ସାମର୍ଥ୍ୟ ରଖିଛି। ସେ ବ୍ରିକ୍ସ DRRG ବୈଷୟିକ ବୈଠକର ଆୟୋଜକ ଭାବରେ ଓଡ଼ିଶାର ଚୟନକୁ ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟର ସଫଳତା ଏବଂ ଦକ୍ଷତାର ସ୍ୱୀକୃତି ବୋଲି ବର୍ଣ୍ଣନା କରିଛନ୍ତି । “ପୁରୀର ଏହି ଐତିହାସିକ ସମାବେଶରୁ ଯେଉଁ ଫ୍ରେମ୍‌ୱାର୍କ ପ୍ରକାଶ ପାଇବ, ତାହା ବିଶ୍ୱ ସୁରକ୍ଷା ପାଇଁ ମାର୍ଗ ପ୍ରଦର୍ଶନ କରିପାରିବ ଏବଂ ବିପର୍ଯ୍ୟୟ ଆଶଙ୍କା ହ୍ରାସ କ୍ଷେତ୍ରରେ ଆନ୍ତର୍ଜାତୀୟ ସହଯୋଗକୁ ପୁନସ୍ଥାପିତ କରିପାରିବ।”
ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ଏବଂ ଆଶା ପ୍ରକଟ କରିଥିଲେ ଯେ ଏହି ଆଲୋଚନାଚକ୍ର ଆଗାମୀ ପିଢ଼ି ପାଇଁ ଅଧିକ ସୁରକ୍ଷିତ, ପ୍ରତିରୋଧୀ ଏବଂ ସ୍ଥାୟୀ ସମାଜ ଗଠନ ପାଇଁ ଆମର ସାମୂହିକ ସଂକଳ୍ପକୁ ସୁଦୃଢ଼ କରିବ । ଏହି ଅବସରରେ ଓଡ଼ିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ୧୯୯୯ ମସିହାର ମହାବାତ୍ୟାରୁ ମିଳିଥିବା ଶିକ୍ଷା ଆମକୁ ବିପର୍ଯ୍ୟୟ ପ୍ରସ୍ତୁତି କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରିଛି। ଆଜି ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ଏକ ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ଶାସନ ମଡେଲ ରହିଛି ବୋଲି ସେ କହିଛନ୍ତି।

ରାଜ୍ୟର ପଦକ୍ଷେପଗୁଡ଼ିକ ବିଷୟରେ ନିର୍ଦ୍ଦିଷ୍ଟ ଭାବରେ ଉଲ୍ଲେଖ କରି ସେ କହିଛନ୍ତି ଯେ, ଆଗୁଆ ସୂଚନା ପ୍ରଣାଳୀ ସହିତ ଆମେ ଯେଉଁ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ କରିଛୁ, ତାହା ବ୍ୟତୀତ ଆମେ ଗୋଷ୍ଠୀଗତ ପ୍ରତିକ୍ରିୟା (Response) ଉପରେ ଗୁରୁତ୍ବ ଆରୋପ କରିଛୁ। ବିପର୍ଯ୍ୟୟ ପରିସ୍ଥିତିରେ ସମୁଦାୟ ବା ଗୋଷ୍ଠୀ ହିଁ ପ୍ରଥମ ପଦକ୍ଷେପ ନେଇଥାନ୍ତି ଏବଂ ଏଭଳି ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବାପାଇଁ ଆମେ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖକୁ ସୂଚନା ପହଞ୍ଚାଇବାର ବ୍ୟବସ୍ଥା ସୃଷ୍ଟି କରିପାରିଛୁ। ଏହା ସହ ସେମାନେ ଯେପରି ତୁରନ୍ତ କିଛି ପଦକ୍ଷେପ ନେଇପାରିବେ, ସେଥିପାଇଁ ସେମାନଙ୍କ କ୍ଷମତା ବୃଦ୍ଧି କରିଛୁ ବୋଲି ସେ କହିଥିଲେ। ତେବେ ଏହି ବ୍ରିକ୍ସ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ର ସଦସ୍ୟ ଏବଂ ବିଭାଗୀୟ ମୁଖ୍ୟ କୃଷ୍ଣ ଏସ୍. ବତ୍ସ ଏବଂ NDMA ସଦସ୍ୟା ଶ୍ରୀମତୀ ରୀତା ମିଶ୍ର ମଧ୍ୟ ସାମିଲ୍ ହୋଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

  • Related Posts

    ଦେବାଶିଷ ସାମନ୍ତରାୟ ବିଜେପି ରାଜ୍ୟସଭା ପ୍ରାର୍ଥୀ

    ଭୁବନେଶ୍ୱର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେଲେ ଦେବାଶିଷ ସାମନ୍ତରାୟ । ଓଡ଼ିଶା ପାଇଁ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ତାଙ୍କୁ ବିଜେପି ପ୍ରାର୍ଥୀ କରିଛି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧଭାବେ ତାଙ୍କ ନାମ ଘୋଷଣା କରାଯାଇଛି ।…

    Continue reading
    ଓଡ଼ିଶା ପୋଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ

    ଭୁବନେଶ୍ୱର,: ଓଡ଼ିଶା ପୋଲିସର ଉପକୂଳ ସୁରକ୍ଷା ଶାଖା ପକ୍ଷରୁ ଆଜି ପୋଲିସ ଭବନଠାରେ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ–୨୦୨୬” ଆୟୋଜିତ ହୋଇଯାଇଛି। “ଉପକୂଳ ସୁରକ୍ଷା ବ୍ୟବସ୍ଥା: ସମସ୍ୟା, ସମାଧାନ ଓ ଆଗାମୀ ପଦକ୍ଷେପ” ଶୀର୍ଷକକୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ଉପକୂଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ