
କୋଣାର୍କ : ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟିଲା ଲକ୍ଷ୍ମୀ ବସ୍। ଅଳ୍ପକେ ବର୍ତ୍ତିଲେ ୨୦ ଯାତ୍ରୀ। ଗୁରୁବାର ସକାଳେ କୋଣାର୍କ ଥାନା ସନ୍ତରସ ସମା ବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନାନୁଯାୟୀ, ଗୁରୁବାର ସକାଳେ ଏକ ଲକ୍ଷ୍ମୀ ବସ୍ ୨୦ ଜଣ ଯାତ୍ରୀଙ୍କୁ ନେଇ କାକଟପୁର ଯାଉଥିଲା। କୋଣାର୍କ ଥାନା ସନ୍ତରସ ସମା ବ୍ରିଜ୍ ନିକଟରେ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ଏକ ବଡ଼ ଧରଣର ଅଘଟଣ ଅଳ୍ପକେ ବର୍ତ୍ତି ଯାଇଛି। ରାସ୍ତାକୁ ଅନାବନା ଗଛ ମାଡ଼ି ଆସିଥିବାରୁ ଦୁର୍ଘଟଣା ଘଟୁଥିବା ଆଲୋଚନା ହେଉଛି। ଘଟଣାସ୍ଥଳରେ ଲୋକମାନଙ୍କ ଭିଡ଼ ଜମିଛି।



