
କଟକ: କଟକ କମିସରେଟ୍ ପୋଲିସ ଏନ୍କାଉଣ୍ଟର କରିଛି । ବୁଧବାର ବିଳମ୍ବିତ ରାତିରେ ଚୌଦ୍ୱାର ଥାନା ଅଞ୍ଚଳରେ ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗୁଳିମାଡ଼ କରିଛି ପୁଲିସ । ପୋଲିସ ଗୁଳିରେ ଆହତ ଅଭିଯୁକ୍ତ ଦ୍ୱୟ ହେଲେ କଟାସ ଓରଫ ସଂଗ୍ରାମ ରାଉତ ଏବଂ ଜୁବୁଲା ଓରଫ ଶୁଭ୍ରାଂଶୁ ପରିଡ଼ା । ସଂଗ୍ରାମର ଘର ନନ୍ଦନକାନନ ଥାନା ଅଞ୍ଚଳରେ ହୋଇଥିବା ବେଳେ ଜୁବୁଲାର ଘର ବୟାଳିଶମୌଜା କୁଳକଳପଡ଼ା ଅଞ୍ଚଳରେ ।
ଡକାୟତି, ଲୁଟ୍ପାଟ ଭଳି ଏକାଧିକ ସଙ୍ଗିନ୍ ମାମଲାରେ ଜଡ଼ିତ ଥିବା କଟାସ ଓ ଜୁବୁଲାକୁ ଧରିବା ପାଇଁ ପୁଲିସ ପିଛା କରୁଥିବା ବେଳେ ଚୌଦ୍ୱାର ଥାନା ଅଞ୍ଚଳରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୁଇ ଅପରାଧୀ ପୋଲିସକୁ ଆକ୍ରମଣ କରିଥିଲେ । ସ୍ଥିତି ବିଗିଡ଼ି ଯିବାରୁ ପୁଲିସ ଦୁଇ ଅଭିଯୁକ୍ତଙ୍କ ଉପରକୁ ଗୁଳି ଚଳାଇଥିଲା । ଦୁଇ ଜଣଙ୍କ ଗୋଡ଼ରେ ଗୁଳି ବାଜିଛି । ସେମାନଙ୍କୁ ଏସ୍ସିବି ଟ୍ରମା କେୟାର୍ରେ ଭର୍ତ୍ତି କରାଯାଇଛି ।
ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ, ଏସିପି ଅରୁଣ ସ୍ୱାଇଁ ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଏସ୍ସିବିରେ ପହଞ୍ଚି ଅଭିଯୁକ୍ତଙ୍କୁ ପଚରାଉଚୁରା କରୁଛନ୍ତି । ଅଭିଯୁକ୍ତଙ୍କ ଠାରୁ ବନ୍ଧୁକ, ଗୁଳି ସମେତ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି । କଟାସ ଓ ଜୁବୁଲା ବିରୋଧରେ ରାହାଜାନୀ ଠାରୁ ଆରମ୍ଭ କରି ଡକାୟତି, ଛିନ୍ତାଇ, ହତ୍ୟା, ବୋମାମାଡ଼ ଉଦ୍ୟମ ଭଳି ସଙ୍ଗିନ ମାମଲା କଟକ କମିସନରେଟ୍ ସମେତ ବିଭିନ୍ନ ଜିଲ୍ଲାରେ ରହିଛି ।




