
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଲଖନା ଥାନା ପଟପରପାଲି ଗାଁରେ ଆଜି ସକାଳ ପ୍ରାୟ ୮ଟା ବେଳେ ଏକ ନିର୍ମାଣାଧୀନ କୁକୁଡ଼ା ଫାର୍ମର କାନ୍ଥ ଭୁଶୁଡ଼ି ପଡ଼ିବାରୁ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି।
ମୃତ ମହିଳା ଦ୍ୱୟ ହେଉଛନ୍ତି ରୂପେ ଶବର ଓ ତାଙ୍କ ନାତୁଣୀ ବୋହୂ ବଳମତି ଶବର। ବଳମତିଙ୍କ ୫ ବର୍ଷର ଝିଅ ସିଦ୍ଧି ଅଳ୍ପକେ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ତେବେ ତାଙ୍କ ଅଣ୍ଟାରେ ଆଘାତ ଲାଗିଛି। ସେ ବି ମା’ ବଳମତି ସହିତ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।
ରୂପେ ଓ ବଳମତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପୁଲିସ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନୂଆପଡ଼ା ଡାକ୍ତରଖାନାକୁ ପଠାଇଛି।
ବଳମତିଙ୍କ ସ୍ୱାମୀ ଦିବାକର ଶବର କହିଛନ୍ତି ଯେ ସରକାରଙ୍କଠାରୁ ସବ୍ସିଡି ପାଇ କୁକୁଡ଼ା ଫାର୍ମ କରିବା ପାଇଁ ଘରଟିଏ ତିଆରି କରୁଥିଲି। ଆଜି ସକାଳେ ଘରର ସମସ୍ତ ପୁରୁଷ ଲୋକ ଜମିକୁ ଯାଇଥିବା ବେଳେ ତାଙ୍କ ଜେଜେମା ଓ ପତ୍ନୀ ଉକ୍ତ ନିର୍ମାଣାଧୀନ ଘର ପାଖରେ କାମ କରୁଥିବା ବେଳେ ଗୋଟିଏ କାନ୍ଥ ଭୁଶୁଡ଼ି ପଡ଼ିଥିଲା। କାନ୍ଥଟି ପୂରା ସେମାନଙ୍କ ଉପରେ ପଡ଼ିଯାଇଥିଲା। ଝିଅ ବଞ୍ଚିଯାଇଛି। କିନ୍ତୁ ତା’ର ଅଣ୍ଟାରେ ଆଘାତ ଲାଗିଛି।








