
ଭୁବନେଶ୍ବର: ଏଣିକି ପ୍ରତି ଘରକୁ ପାଇପରେ ପହଞ୍ଚିବ ରନ୍ଧନ ଗ୍ୟାସ୍ । ଆଉ ଘଣ୍ଟା ଘଣ୍ଟା ଏଲପିଜି ଗ୍ୟାସ୍ ଆଣିବାକୁ ଲାଇନରେ ଛିଡା ହେବାକୁ ପଡିବନି । ଏଥିପାଇଁ ରାଜ୍ୟ ସରକାର ଆଣିଛନ୍ତି ଓଡ଼ିଶା ସିଟି ଗ୍ୟାସ୍ ବିତରଣ ନୀତି । ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ ରାଜ୍ୟ କ୍ୟାବିଟେନରେ ଏହି ନୀତି ସମେତ 8 ପ୍ରସ୍ତାବକୁ ଅନୁମୋଦନ ମିଳିଛି ।ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ 8 ବିଭାଗର 8 ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଶିଳ୍ପ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପୂର୍ତ୍ତ, ବାଣିଜ୍ୟ ଓ ପରିବହନ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଆଦି ପ୍ରତ୍ୟେକ ବିଭାଗରୁ ଗୋଟେ ଲେଖାଏଁ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ଅନୁମୋଦନ ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।
ରାଜ୍ୟରେ ସ୍ବଚ୍ଛ ଓ ସୁଦୂରପ୍ରସାରୀ ଶକ୍ତିର ବ୍ୟବହାରକୁ ବ୍ୟାପକ କରିବା ପାଇଁ କ୍ୟାବିନେଟ ‘ଓଡ଼ିଶା ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ ବା CGD ନୀତି’କୁ ଅନୁମୋଦନ କରିଛନ୍ତି । ଏହି ନୀତି ଦ୍ବାରା ସାରା ରାଜ୍ୟରେ ପାଇପ୍ଡ୍ ନାଚୁରାଲ ଗ୍ୟାସ ବା PNG ଏବଂ କମ୍ରେସଡ ନାଚୁରାଲ ଗ୍ୟାସ ବା CNG ଭିତ୍ତିଭୂମିର ସମ୍ପ୍ରସାରଣ ତ୍ବରାନ୍ବିତ ହେବ । ଯାହା ଜାତୀୟ ସ୍ତରର ସ୍ବଚ୍ଛ ଇନ୍ଧନ ଅଭିଯାନ ସହ ସାମଞ୍ଜସ୍ୟ ରକ୍ଷା କରିବ । ପୂର୍ବରୁ ବିଭିନ୍ନ ସଂସ୍ଥା ଠାରୁ ଅନୁମତି ପାଇବାରେ ହେଉଥିବା ବିଳମ୍ବ ଓ ଏକ ସମନ୍ବିତ ନୀତିର ଅଭାବ ଯୋଗୁଁ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ବାଧା ସୃଷ୍ଟି ହେଉଥିଲା । ଏହି ନୂତନ ନୀତି ପ୍ରକ୍ରିୟାକୁ ସରଳୀକୃତ କରିବା ସହ ପ୍ରକଳ୍ପ ଗୁଡ଼ିକର ଶୀଘ୍ର ସମାପ୍ତିକୁ ନିଶ୍ଚିତ କରିବ । ଏହି ନୀତି ଦ୍ବାରା ରାଜ୍ୟ ସରକାରଙ୍କ ଉପରେ କୌଣସି ଆର୍ଥିକ ବୋଝ ପଡ଼ିବ ନାହିଁ । ଏହା ଘରୋଇ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ବ୍ୟବସାୟିକ ସହଜତାକୁ ବୃଦ୍ଧି କରିବ । ମାର୍ଚ୍ଚ 2027 ପର୍ଯ୍ୟନ୍ତ ଅନୁମୋଦନ ଶୁଳ୍କ ଉପରେ ରିହାତି ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଛି ।

