
ମୁମ୍ବାଇ: ଗଣେଶ ପୂଜା ପୂର୍ବରୁ ବଡ଼ ଅଘଟଣ । ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ । ସାଉଥ୍ ମୁମ୍ବାଇରେ ଏକ ବଡ଼ ଅଘଟଣ ଘଟିଛି । ମୁମ୍ବାଇରେ ଭୁଶୁଡ଼ି ପଡ଼ିଲା ୨୨ ଫୁଟ ଉଚ୍ଚ ଗଣେଶ ମୂର୍ତ୍ତି । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଦକ୍ଷିଣ ମୁମ୍ବାଇର ଭୁଲେଶ୍ୱର ଅଞ୍ଚଳରେ ‘ଭୁଲେଶ୍ୱରଚା ରାଜା’ ଗଣେଶ ପ୍ରତିମାର ଆଗମନ ଶୋଭାଯାତ୍ରା ସମୟରେ ଏହି ଦୁଃଖଦ ଦୁର୍ଘଟଣା ଘଟିଛି । ୨୨ ଫୁଟ ଉଚ୍ଚର ଗଣପତି ପ୍ରତିମାଟି ହଠାତ୍ ଖସିପଡ଼ିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ୨ ଜଣ ଶିଶୁଙ୍କ ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି ।
ପ୍ରାରମ୍ଭିକ ସୂଚନା ଅନୁଯାୟୀ, ମଣ୍ଡପଠାରୁ ମାତ୍ର ୫୦ ମିଟର ଦୂରରେ ପ୍ରତିମାଟି ବୋହି ନିଆଯାଉଥିବା ଫ୍ରେମ୍ ର ୱେଲ୍ଡିଂ ଭାଙ୍ଗିଯିବାରୁ ଏହା ଭାରସାମ୍ୟ ହରାଇ ଖସିପଡ଼ିଥିଲା । ଘଟଣାସ୍ଥଳରେ ବ୍ରିହନ ମୁୁମ୍ବାଇ ମହାନଗର ନିଗମ , ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଘଟଣା ସମ୍ପର୍କରେ ଡି.ବି. ମାର୍ଗ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।ଭୁଲେଶ୍ୱରର ଜୟ ଅମ୍ବେ ଚୌକସ୍ଥିତ କବୁଟରଖାନାସ୍ଥିତ ବଳରାମ ମର୍ଚ୍ଚାଣ୍ଟ ରୋଡ୍ରେ ଶନିବାର ରାତି ପ୍ରାୟ ୯ଟା ୫୧ ମିନିଟ୍ରେ ଏହି ଦୁର୍ଘଟଣା ଘଟିଥିଲା । ଏହି ମୂର୍ତ୍ତିକୁ ବାଇକୁଲ୍ଲାରୁ ଭୁଲେଶ୍ୱର ନିଆଯାଉଥିଲା । ପେଣ୍ଡାଲର ପ୍ରାୟ ୫୦-୬୦ ମିଟର ପୂର୍ବରୁ ଘଟିଥିଲା । ମୂର୍ତ୍ତି ଭୁଶୁଡ଼ିବା ଘଟଣାରେ ମୋଟ ୭ ଜଣ ଆହତ ହୋଇଛନ୍ତି। ଡାକ୍ତରଖାନାରୁ ମିଳିଥିବା ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ନେଭସେ (୩୩) ଏବଂ ବ୍ରିଜେଶ ହେମନ୍ତ ଯୋଶୀ (୩୦) ଅଛନ୍ତି । ଆହତମାନେ ହେଲେ ବୈଭବ ଘେନନ୍ଦ (୩୮), ପୱନ ଚୌରାସିଆ (୨୫), ଲାବଣ୍ୟ ଗନେର (୫), ଦିବ୍ୟା ଗନେର (୭) ଓ କୁନାଲ କାଶିଦ (୨୬) । ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।




