
ଗଞ୍ଜେଇ ଚାଲାଣ କରି ଗିରଫ ହୋଇଛନ୍ତି ୩ ଜଣ ଶିକ୍ଷକ। ଦୁଇ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ବେଳେ ଅନ୍ୟ ଜଣଙ୍କୁ ଧରିଛି କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍। ଅବକାରୀ ବିଭାଗ ଦ୍ୱାରା ଗିରଫ ଶିକ୍ଷକ ଦ୍ୱୟ ହେଉଛନ୍ତି କିଶୋର କୁମ୍ଭାର ଓ ଜିତୁ ସାହୁ। ସେମାନଙ୍କ ସହିତ ଆଉ ଜଣଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ସଞ୍ଜୟ ବାଗ। ଏହି ତିନି ଜଣଙ୍କ ଘର କଳାହାଣ୍ଡି ଜିଲ୍ଲା ମ. ରାମପୁର ଥାନା ଅଞ୍ଚଳରେ। ଏହି ତିନି ଜଣ ଏକ କାରରେ କଳାହାଣ୍ଡିରୁ ବଲାଙ୍ଗିରକୁ ଗଞ୍ଜେଇ ଚାଲାଣ କରୁଥିଲେ। ସେମାନେ ୨୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ବରଗାଁ ଛକରେ ମାଡି ବସିଥିଲେ ଟିଟିଲାଗଡ଼ ଓ ତୁଷୁରା ଅବକାରୀ ବିଭାଗ କର୍ମଚାରୀ।ସେମାନଙ୍କ ଗାଡ଼ିରୁ ୩୩ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଏହା ସହିତ ତିନି ଜଣକୁ ଗିରଫ କରାଯାଇଥିଲା।
ଅନ୍ୟପକ୍ଷରେ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ରାକେଟକୁ ଧରିଛି କ୍ରାଇମବ୍ରାଞ୍ଚ STF। ଏହାର କିଙ୍ଗପିନ୍ ହେଉଛନ୍ତି ଦୁର୍ବାଶା ନାୟକ। ସେ ମଧ୍ୟ ଜଣେ ଶିକ୍ଷକ। ତାଙ୍କ ସହିତ ଆହୁରି ୩ ଜଣଙ୍କୁ ଗିରଫ କରାଯାଇଥିବା ଆଜି ଏକ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର।
ଗତ ୨୪ ତାରିଖରେ କଟକର ଆଠଗଡ଼ ନିକଟରୁ ୧୯୦ କେଜି ଗଞ୍ଜେଇ ଜବତ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ନିକଟରୁ ଏକ ୧୦ ଟଙ୍କିଆ ନୋଟ୍ର ଅଧା ଅଂଶ ଜବତ କରାଯାଇଥିଲା। ବାକି ଅଧା ଅଂଶ ଦେଖାଇବା ବ୍ୟକ୍ତିଙ୍କୁ ଗଞ୍ଜେଇ ଦେବାକୁ ତାଙ୍କୁ ନିର୍ଦ୍ଦେଶ ଥିଲା। ଆଜି ଗିରଫ ୪ ଅଭିଯୁକ୍ତଙ୍କ ନିକଟରୁ ସେହି ଅଧା ଚିରା ୧୦ ଟଙ୍କିଆ ନୋଟ୍ ଜବତ କରାଯାଇଛି। ଜବତ ଅଧା ଚିରା ୧୦ ଟଙ୍କିଆ ନୋଟ୍ ଏକ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି।
ସେ କହିଛନ୍ତି ଯେ କିଙ୍ଗପିନ୍ ଦୁର୍ବାଶା ନାୟକ ଜଣେ ଶିଷକ। କିନ୍ତୁ ସେ ଗଞ୍ଜେଇ ଚାଲାଣରେ ସକ୍ରିୟ ଥିଲେ। ଗିରଫ ୪ ଜଣଙ୍କ ନାଁରେ ପୂର୍ବରୁ ମାମଲା ଅଛି। ସେମାନଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବୁ।


