
ଭୁବନେଶ୍ୱର: ଗୋଟିଏ ଦିନରେ ଦୁଇଟି ପରୀକ୍ଷା। ଚିନ୍ତାରେ ହଜାର ହଜାର ଆଶାୟୀ। ୨୮ ତାରିଖରେ ଓଏସଏସଏସସି ଓ ଓଟିଇଟି ଦୁଇଟି ପରୀକ୍ଷା ଅନୁଷ୍ଠିତ ହେବ। ଦ୍ବନ୍ଦ୍ବରେ ପରୀକ୍ଷାର୍ଥୀ କେଉଁ ପରୀକ୍ଷା ଦେବେ କେଉଁଟାକୁ ଛାଡିବେ। ଦୁଇଟି ପରୀକ୍ଷାରେ ଅଂଶଗ୍ରହଣ କରିବା ସମ୍ଭବପର ନ ଥିବାରୁ ତାରିଖ ପରିବର୍ତ୍ତନ କରିବାକୁ ଆଶାୟୀମାନେ ଦାବି କରିଛନ୍ତି।
ଓଏସଏସଏସସି ପକ୍ଷରୁ ଆର୍ ଆଇ, ଏଆର୍ ଆଇ, ଆଇସିଡିଏସ୍ ସୁପରଭାଇଜର, ଅମିନ ଓ ଏସ୍ଏସ୍ଏସ୍ ପଦବି ପାଇଁ ଜୁନ ୨୦ ତାରିଖରେ ପରୀକ୍ଷା ହେବାର ଥିଲା। କିନ୍ତୁ ଜୁନ୍ ୨୧ରେ ନିଟ୍ ପରୀକ୍ଷା ଥିବାରୁ ପ୍ରଶାସନିକ କାରଣ ଦର୍ଶାଇ ଏହାକୁ ସ୍ଥଗିତ କରାଯାଇ ଏବଂ ପରେ ଜୁନ ୨୮ରେ ଆୟୋଜନ କରିବାକୁ ଘୋଷଣା ହୋଇଛି।
ଓଟିଇଟି ପେପର୍-୧ ପରୀକ୍ଷା ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ୩୦ ଓ ପେପର୍-୨ ପରୀକ୍ଷା ଅପରାହ୍ନ ୨ଟାରୁ ୪ଟା ୩୦ ମଧ୍ୟରେ ଅନୁଷ୍ଠିତ ହେବ। ଏବଂ ସେହିଦିନ ଓଏସଏସଏସସି ପରୀକ୍ଷା ହେବ। ଏବେ ଗୋଟିଏ ଦିନରେ ପରୀକ୍ଷା ଥିବାରୁ ସେମାନଙ୍କୁ ଗୋଟିଏ ପରୀକ୍ଷା ଛାଡ଼ିବାକୁ ପଡ଼ିବ।
ତେବେ କୌଣସି ଗୋଟିଏ ପରୀକ୍ଷାର ତାରିଖ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ। ସେପଟେ ଗତ ଦୁଇ ବର୍ଷ ଭିତରେ ଆରଆଇ ଅମିନ ପରୀକ୍ଷା ବାରମ୍ବାର ଅନିୟମିତତାର ବଳି ଚଢି ଚାଲିଥିବାରୁ, ଅସନ୍ତୋଷ ବଢୁଛି।

