ଚିକିତ୍ସା ବିଜ୍ଞାନ ଏବଂ କାର୍ଯ୍ୟଦକ୍ଷତାର ଅପୂର୍ବ ସମନ୍ୱୟ, ନିଶ୍ଚିତ ମୃତ୍ୟୁ ମୁଖରୁ ଯବାନଙ୍କୁ ବଞ୍ଚାଇଲେ ଏମ୍‌ସ ଭୁବନେଶ୍ୱର ଡାକ୍ତର

ଭୁବନେଶ୍ୱର: ଚିକିତ୍ସା ବିଜ୍ଞାନ ଏବଂ କାର୍ଯ୍ୟଦକ୍ଷତାର ଅପୂର୍ବ ସମନ୍ବୟ ସହିତ ଏମ୍‌ସ ଭୁବନେଶ୍ୱରରେ ଏକ ଉତ୍ସର୍ଗୀକୃତ ଡାକ୍ତରୀ ଦଳ ଉନ୍ନତ ଏକ୍ସଟ୍ରାକୋର୍‌ପୋରାଲ୍ କାର୍ଡିଓ-ପୁଲମୋନାରୀ ରେସୁସିଟେସନ୍‌ (ଇ-ସିପିଆର୍‌) ମାଧ୍ୟମରେ ଜଣେ ୨୪ ବର୍ଷ ବୟସ୍କ ଆର୍ମୀ ଯବାନଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା କରିଛନ୍ତି। ନୟାଗଡ଼ ରଣପୁର ଅଞ୍ଚଳରୁ ଆସିଥିବା ଏହି ଯୁବକଙ୍କର ହୃଦୟ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବା ବନ୍ଦ ହୋଇଯାଇଥିଲା। ମାତ୍ର ଏମ୍‌ସ ଭୁବନେଶ୍ୱର ଡାକ୍ତରୀ ଦଳଙ୍କ ନିଷ୍ଠାପର ଉଦ୍ୟମ ଏବଂ ଚିକିତ୍ସା ଜ୍ଞାନକୌଶଳର ସଫଳ ପ୍ରୟୋଗ ଉକ୍ତ ଯବାନଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇଛି। ଓଡ଼ିଶା ସମେତ ପୂର୍ବ ଭାରତରେ ପ୍ରଥମ କୁହାଯାଉଥିବା ଏହି ଇସିପିଆର୍‌ ପ୍ରଣାଳୀର ଚମତ୍କାର ଉପଯୋଗ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତ ଜ୍ଞାନକୌଶଳର ସମ୍ମୀଶ୍ରଣ ତଥା ଏମ୍‌ସର ଡାକ୍ତରୀ ଦଳଙ୍କ ଅଦମ୍ୟ ପ୍ରତିବଦ୍ଧତାର ଉଦାହରଣ ସାବ୍ୟସ୍ତ ହୋଇଛି।
ଏମ୍‌ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏପରି ଅନନ୍ୟ କାର୍ଯ୍ୟକୁ ସଫଳ ରୂପ ପ୍ରଦାନ କରିଥିବା ଡାକ୍ତରୀ ଦଳର ପ୍ରଶଂସା କରିଛନ୍ତି। ଏମ୍‌ସ ଭୁବନେଶ୍ୱର ଚିକିତ୍ସା ବିଜ୍ଞାନ ଓ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୁକ୍ତ ସମନ୍ବୟ ସହିତ ଅଗ୍ରଗାମୀ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସର୍ବଦା ଆଗରେ ରହିଆସିଛି। ଜୀବନ ବଞ୍ଚାଇବା ଏବଂ ଚିକିତ୍ସା ସେବାକୁ ଆଗକୁ ନେବା ପାଇଁ ଏହା ଆମର ଉତ୍ସର୍ଗୀକୃତ ଭାବନାର ଏକ ଉଦାହରଣ ବୋଲି ଡ. ବିଶ୍ବାସ ମତବ୍ୟକ୍ତ କରିଛନ୍ତି।
ଉଲ୍ଲେଖଯୋଗ୍ୟଯେ ଜଟିଳ ସ୍ବାସ୍ଥ୍ୟାବସ୍ଥାରେ ଗୁରୁତର ଥିବା ଉପରୋକ୍ତ ଯୁବକଙ୍କୁ ଅକ୍ଟୋବର ପହିଲାରେ ଏମ୍‌ସ ଭୁବନେଶ୍ୱରକୁ ରେଫର୍ କରାଯାଇଥିଲା। ଏମ୍‌ସରେ ପହଞ୍ଚିବାର କିଛି ସମୟ ପରେ ଯୁବକ ଜଣଙ୍କ ହୃଦ୍‌ଘାତରେ ଆକ୍ରାନ୍ତ ହୋଇଥିଲେ। ଜୀବନ ବଞ୍ଚାଇବା ନିମିତ୍ତ ୪୦ ମିନିଟ୍‌ର ପ୍ରାଥମିକ ସିପିଆର୍‌ ସତ୍ତ୍ବେ ତାଙ୍କର ହୃଦୟ କାର୍ଯ୍ୟ କରିନଥିଲା। ଏପରି ଅବସ୍ଥାରେ ସାଧାରଣତଃ ଦୁଇଟି ନିଷ୍ପତି ନିଆଯାଇଥାଏ। ମୃତ୍ୟୁ ଘୋଷଣା କରିବା କିମ୍ବା ଇ-ସିପିଆର୍‌ ପ୍ରଣାଳୀ ପ୍ରୟୋଗ କରିବା। ତେବେ ଏମ୍‌ସ ଡାକ୍ତରୀ ଦଳ ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରି ଯବାନଙ୍କର ଜୀବନ ବଞ୍ଚାଇବା ନିମନ୍ତେ ନିରନ୍ତର ଉଦ୍ୟମ କରିଥିଲେ। ଏକ୍‌ମୋ ବିଶେଷଜ୍ଞ ଡ. ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ପ୍ରାୟ ୮୦ ମିନିଟ୍‌ର ମାରାଥନ୍ ସିପିଆର୍‌ ପରେ ଯୁବକଙ୍କୁ ଏକ୍‌ମୋ ପ୍ରଣାଳୀ ପ୍ରଦାନ ଆରମ୍ଭ କରିଥିଲେ। ତେବେ ଇସିପିଆର୍‌ ଦେବାର ୪୦ ମିନିଟ୍‌ ପରେ ଯୁବକଙ୍କ ହୃଦୟ କାର୍ଯ୍ୟ ଆରମ୍ଭ କରିଥିଲା। ପରବର୍ତ୍ତୀ ୩୦ ଘଣ୍ଟା ମଧ୍ୟରେ, ହୃଦୟର କାର୍ଯ୍ୟରେ ଯଥେଷ୍ଟ ଉନ୍ନତି ହେଲା, ଏବଂ ୯୬ ଘଣ୍ଟା ପରେ ରୋଗୀଙ୍କୁ ସଫଳତାର ସହିତ ଏକ୍‌ମୋରୁ ବାହାର କରାଯାଇଥିଲା। ଦଳଗତ ଭାବେ ଉଲ୍ଲେଖନୀୟ ପାରଦର୍ଶୀତା, ସମନ୍ୱୟ ଏବଂ ଉତ୍ସର୍ଗୀକୃତ ପ୍ରଦର୍ଶନ ମାଧ୍ୟମରେ ଏପରି ଏକ ଜଟିଳ କାର୍ଯ୍ୟ ସମ୍ପାଦନ କରି ଜଣେ ଯବାନଙ୍କ ଜୀବନ ବଞ୍ଚାଇବା ଏକ ଅନନ୍ୟ ସଫଳତା।
ପୁଅକୁ ଦ୍ବିତୀୟ ଜୀବନ ପ୍ରଦାନ କରିଥିବାରୁ ଏମ୍‌ସ ଭୁବନେଶ୍ୱର ଡାକ୍ତରୀ ଦଳକୁ କୃତଜ୍ଞତା ପ୍ରଦାନ କରିଛନ୍ତି ଯବାନଙ୍କ ମା। ଏମ୍‌ସ ଡାକ୍ତରମାନଙ୍କର ଦକ୍ଷତା, କରୁଣା ଏବଂ ନିଷ୍ଠାକୁ ଆମ ପରିବାର ସବୁଦିନ ମନେରଖିବ ବୋଲି ଯବାନଙ୍କ ମା ପ୍ରକାଶ କରିଛନ୍ତି।
ଇ-ସିପିଆର୍‌ ପ୍ରଣାଳୀ ଏକ କଷ୍ଟସାଧ୍ୟ ପ୍ରକ୍ରିୟା ଏବଂ ଏହାକୁ ସଫଳତାର ସହିତ ପ୍ରୟୋଗ କରିବା ଏକ ଆହ୍ବାନ। ମାତ୍ର ଆମ ଡାକ୍ତରୀ ଦଳ ଏବଂ ଅନ୍ୟାନ୍ୟ ସହଯୋଗୀଙ୍କ ଦଳଗତ ମନୋଭାବ କାରଣରୁ ଏହା ସଫଳ ହୋଇପାରିଛି। ଏହି ସଫଳତା ଓଡ଼ିଶାର ଚିକିତ୍ସା ଇତିହାସରେ ଏକ ମାଇଲଖୁଣ୍ଟ ଭାବେ ହୃଦ୍‌ଘାତର ଚିକିତ୍ସାରେ ଏକ ସମ୍ଭାବନାପୂର୍ଣ୍ଣ ପଦ୍ଧତିର ପ୍ରତିନିଧିତ୍ବ କରିବ ବୋଲି ଡ. ଶ୍ରୀକାନ୍ତ ବେହେରା ମତ ପ୍ରକାଶ କରିଛନ୍ତି।
ଏହି ପ୍ରକ୍ରିୟାରେ ଡ. କ୍ରିଷ୍ଣମୋହନ ଗୁଲା, ଡ. ସନ୍ଦୀପ କୁମାର ପଣ୍ଡା, ଡ. ସିଦ୍ଧାର୍ଥ ସାଠିଆ, ଡ. ସଙ୍ଗୀତା ସାହୁ, ଡ. ମାନସ ପାଣିଗ୍ରାହୀ, ଏମ୍‌ସିଆଇ ଏବଂ ନର୍ସିଂ ଅଧିକାରୀଙ୍କ ଭଳି ସ୍ବାସ୍ଥ୍ୟସେବା ପ୍ରଦାନକାରୀ ପ୍ରମୁଖ ସାମିଲ ଥିଲେ।
ଏହି ଅଭିନବ ସଫଳତା ପାଇଁ ମେଡିକାଲ୍‌ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡ. ଅନୁପମ ଦେ, ଡ. ରଶ୍ମିରଞ୍ଜନ ମହାନ୍ତି, ଡ. ଦେବାନନ୍ଦ ସାହୁ ପ୍ରମୁଖ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

Related Posts

କେରଳମ୍ ଛୁଇଁଲା ମୌସୁମୀ ବାୟୁ

କେରଳମ୍ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ଏହି ସୂଚନା। ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁଥାଏ। ଚଳିତ ବର୍ଷ ମେ’ ୨୬ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁବ ବୋଲି…

Continue reading
ଏ ବର୍ଷ ଏଲ୍ ନିନୋ ପ୍ରଭାବରେ କମ୍ ବର୍ଷା ସମ୍ଭାବନା

ଚଳିତ ବର୍ଷ ମୌସୁମୀ ପ୍ରବାହ ସମୟରେ ଏଲ୍ ନିନୋ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିଯୋଗୁଁ ଚଳିତ ବର୍ଷ ମୌସୁମୀ ଋତୁ ଅର୍ଥାତ ଜୁନ୍ ରୁ ସେପ୍ଟମ୍ବର ମଧ୍ୟରେ ବର୍ଷାର ପରିମାଣ କମ୍ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ…

Continue reading

Leave a Reply

Your email address will not be published. Required fields are marked *

You Missed

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ