
‘ଚୋରି କରିବାକୁ ଘରେ ପଶିଥିଲା। ଘରେ ଯୁବତୀଙ୍କୁ ଏକା ପାଇ କରିଥିଲା ଦୁଷ୍କର୍ମ।’ ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳରେ ବନ୍ଧୁକ ଦେଖାଇ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଧରାପଡ଼ିବା ପରେ ସାମ୍ନାକୁ ଆସିଛି ଏହି ତଥ୍ୟ। ପୁଲିସ କମିଶନର ଡ. ଏସ ଦେବଦତ୍ତ ସିଂହ ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତ ଶ୍ରୀଧର ପଣ୍ଡାକୁ ଆଜି ପୁଲିସ ଏନକାଉଣ୍ଟର କରିଛି। ତା’ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୁଲିସ କମିଶନର କହିଛନ୍ତି ଯେ, ଏକ ପିସ୍ତଲ ସଦୃଶ ଲାଇଟର ନେଇ ଅଭିଯୁକ୍ତ ଉକ୍ତ ଯୁବତୀଙ୍କ ଘରେ ପଶିଥିଲା । ଯୁବତୀ ଜଣଙ୍କ ଏହାକୁ ପିସ୍ତଲ ଭାବି ପୂରା ଡରିଯାଇଥିଲେ। ଅଭିଯୁକ୍ତର ଦୁଷ୍କର୍ମ ଉଦ୍ଦେଶ୍ୟ ନଥିଲା। କିନ୍ତୁ ଘରେ କେହି ନ ଥିବା ଦେଖି ଏପରି କରିଛି । ଦୁଷ୍କର୍ମ ହୋଇଛି ନା ନାହିଁ ତାହାର ବି ତଦନ୍ତ ଚାଲିଛି।
ସିପି କହିଛନ୍ତି, ଲୁଟ୍ ପରେ ପ୍ରଥମେ ଅଭିଯୁକ୍ତ ‘ ଆମ ବସ୍’ରେ ନୟାପଲ୍ଲୀରୁ ସିଆରପି ଯାଇଥିଲା । ସିଆରପିରୁ ଅଟୋ ଧରି ଭରତପୁର ଯାଇଥିଲା । ଭରତପୁରରେ ଏକ ନୂଆ ବାଇକ୍ ଚୋରି କରି ଫେରାର ହୋଇଯାଇଥିଲା । କ୍ରୁଟ୍ ପକ୍ଷରୁ ମିଳିଥିବା ସିସିଟିଭିକୁ ଆଧାରରେ ଅଭିଯୁକ୍ତ ଚିହ୍ନଟ କରିଛୁ ।
ଅଭିଯୁକ୍ତ ଭୁବନେଶ୍ୱରର ଚକେଇସିହାଣୀରେ ରୁହନ୍ତି । ତା ଘର ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ । ତା ନାଁରେ ପୂର୍ବରୁ ମୋବାଇଲ୍ ଚୋରି ମାମଲା ରହିଛି ।
ଭୁବନେଶ୍ୱରର ଚନ୍ଦକା ଅଞ୍ଚଳରେ ପୁଲିସ ତାକୁ ଆଜି କାବୁ କରିବାକୁ ପ୍ରୟାସ କଲାବେଳେ ସେ ଗୁଳି ଚଳାଇଥିଲା। ସେ ଖସିଯିବା ପାଇଁ ଦୁଇ ରାଉଣ୍ଡ ଗୁଳି କରିବା ପରେ ପୁଲିସ ଦେଇଥିଲା ପାଲଟା ଜବାବ। ପୁଲିସ ଚଳାଇଥିଲା ଗୁଳି। ଶ୍ରୀଧରଙ୍କ ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।







