
ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନରେ ବିଜେପି ପକ୍ଷରୁ ଡବଲ ବାଲାଟ ବ୍ୟବହାର ଅଭିଯୋଗ କରିଥିଲା ବିଜୁ ଜନତା ଦଳ । ଦଳ ପୁଣି ଉଠେଇଲା ବେଆଇନ ଡବଲ ବାଲାଟ ପ୍ରସଙ୍ଗ । ଏନେଇ ଦଳ ଚିଠି ଲେଖି ମୁଖ୍ୟ ନିର୍ବାଚନ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଛି ।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଚିଠି ଲେଖିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ଡ଼. ସସ୍ମିତ ପାତ୍ର । ରାଜ୍ୟସଭା ନିର୍ବାଚନରେ ଡବଲ ବାଲାଟ ବ୍ୟବହାର ଉପରେ ପୁଣି ଥରେ ଅଭିଯୋଗ କରିଛି ବିଜେଡି ସାଂସଦ । ସସ୍ମିତ ଚିଠିରେ ଦର୍ଶାଇଛନ୍ତି, “ରାଜ୍ୟସଭା ନିର୍ବାଚନରେ ବ୍ରହ୍ମପୁର ବିଧାୟିକା ଉପାସନା ମହାପାତ୍ର ଓ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଦ୍ୱିତୀୟ ବାଲାଟ ପେପର ପ୍ରଦାନ କରାଯାଇଥିଲା । ଯାହା ସମ୍ପୂର୍ଣ୍ଣ ଭାବେ ବେଆଇନ ତଥା ଅବୈଧ । ଏ ନେଇ ସେତେବେଳେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅଭିଯୋଗ କରିଥିଲେ । ଅଭିଯୋଗ ଉପରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ।”
ସସ୍ମିତ ଆହୁରି ମଧ୍ୟ କହିଛନ୍ତି, “ନିରପେକ୍ଷ ନିର୍ବାଚନ ହେଉଛି ଗଣତନ୍ତ୍ରର ମେରୁଦଣ୍ଡ। ଏଥିରେ କୌଣସି ପ୍ରକାର ଅନିୟମିତତାକୁ ବିଜୁ ଜନତା ଦଳ କେବେ ବରଦାସ୍ତ କରିବ ନାହିଁ। ଓଡ଼ିଶାର ସ୍ୱାର୍ଥ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ପାଇଁ ବିଜେଡି ସର୍ବଦା ଲଢ଼େଇ ଜାରି ରଖିବ । ରାଜ୍ୟସଭା ନିର୍ବାଚନ 2026ରେ ହୋଇଥିବା ଅନିୟମିତତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁନର୍ବାର ବିଜେଡିର ଦାବି । ଗଣତନ୍ତ୍ରର ଗରିମା ବଜାୟ ରଖିବା ପାଇଁ ନିର୍ବାଚନୀ ନିୟମର ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ଦାବି କରିଛି । ଏହା ସହ ମୁଖ୍ୟ ନିର୍ବାଚନ କମିଶନଙ୍କୁ ସାକ୍ଷାତ ପାଇଁ ବିଜୁ ଜନତା ଦଳର ପ୍ରତିନିଧିମଣ୍ଡଳୀଙ୍କୁ ସମୟ ଦେବାକୁ ଦାବି କରାଯାଇଛି’’ ।
ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, “ମାର୍ଚ୍ଚ 18ରେ ଭୋଟିଂ ସମୟରେ ଉପାସନା ମହାପାତ୍ର ଓ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଦ୍ୱିତୀୟ ବାଲାଟ ପେପର ପ୍ରଦାନକୁ ଆମେ ବିରୋଧ କରିଥିଲୁ । ପ୍ରଥମେ ଦଳର ନିର୍ବାଚନ ପର୍ଯ୍ୟବେକ୍ଷକ ପ୍ରତାପ କେଶରୀ ଦେବ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ଦଳର ସଭାପତି ନବୀନ ପଟ୍ଟନାୟକ ଇ ମେଲ ଜରିଆରେ ଅଭିଯୋଗ ଆଣିଥିଲେ । 1961 ଆଇନକୁ ଉଲଂଘନ କରୁଥିବା ଆମେ ଯୁକ୍ତି ରଖିଥିଲୁ । ସମସ୍ତ ତଥ୍ୟ ସମ୍ବଳିତ ଅଭିଯୋଗ ଆମେ ଦଳ ତରଫରୁ କରିଥିଲୁ’’ ।
ଫେବୃଆରୀ 16ରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ଦଳରୁ ନିଲମ୍ବିତ 8 ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ଏହା ପୂର୍ବରୁ ଅଣ୍ଟା ଭିଡି଼ଥିଲା ବିଜେଡି । ସବୁ ଆଇନଗତ ଦିଗକୁ ତର୍ଜମା ପରେ ତଥ୍ୟ ପ୍ରମାଣ ସହ ଏହି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ଦଳ ପ୍ରକ୍ରିୟା ଆରମ୍ଭ କରିଥିଲା । ଏହି କ୍ରମରେ ସମସ୍ତ ବିଧାୟକ ବାଚସ୍ପତିଙ୍କୁ ଭେଟି ଏ ସଂକ୍ରାନ୍ତରେ ଦାବିପତ୍ର ପ୍ରଦାନ କରିଥିଲେ । ସମ୍ବିଧାନର ଦଶମ ଅନୁଚ୍ଛେଦକୁ ଅଧାର କରି ଦଳ ବିରୋଧୀ କାର୍ଯ୍ୟ ଓ ଅନ୍ୟାନ୍ୟ ବିଭିନ୍ନ ଦିଗକୁ ପ୍ରମାଣ ସ୍ୱରୂପ ପ୍ରଦାନ କରି ସମ୍ପୃକ୍ତ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ଦଳ ପକ୍ଷରୁ ବାଚସ୍ପତିକୁଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ।


