
ଭୁବନେଶ୍ୱର: ଗତକାଲି କଂଗ୍ରେସ ୧୨ ଜଣ ବିଧାୟକଙ୍କୁ ବାଚସ୍ପତି ଗୃହରୁ ସସପେଣ୍ଡ କରିଥିବାବେଳେ ଆଜି ଆଉ ଦୁଇ ଜଣଙ୍କୁ ସସପେଣ୍ଡ କରିଛନ୍ତି । ସେମାନେ ହେଲେ ତାରା ବାହିନୀପତି ଓ ରମେଶ ଜେନା ।ଫଳରେ କଂଗ୍ରେସର ମୋଟ ୧୪ ଜଣ ବିଧାୟକଙ୍କୁ ଗୃହରୁ ସସପେଣ୍ଡ କରାଯାଇଛି । ସମସ୍ତଙ୍କୁ ୭ ଦିନ ପାଇଁ ନିଲମ୍ବନ କରାଯାଇଛି । ଗତକାଲି କଂଗ୍ରେସ ବିଧାୟକ ଗୃହ ଚଳାଇ ଦେଉନଥିବା ଅଭିଯୋଗ କରିବା ସହ ବିଧାୟକଙ୍କ ନିଲମ୍ବନ ପାଇଁ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ। ସରକାରୀ ଦଳ ମୁଖ୍ୟ ସଚେତକଙ୍କ ପ୍ରସ୍ତାବ ଆଧାରରେ ବାଚସ୍ପତି ସୁରମା ପାଢୀ ୭ ଦିନ ପାଇଁ କଂଗ୍ରେସର ୧୨ ବିଧାୟକଙ୍କୁ ନିଲମ୍ବିନ କରିଥିଲେ। କିନ୍ତୁ ସେହି ସମୟରେ ଗୃହରେ ତାରାପ୍ରସାଦ ବାହିନୀପତି ଓ ରମେଶ ଜେନା ଉପସ୍ଥିତ ନଥିବାରୁ ତାଙ୍କୁ ନିଲମ୍ବନ କରାଯାଇ ନଥିଲା। ହେଲେ ଆଜି ଗୃହରେ ଏହି ଦୁଇ ବିଧାୟକ ତାରା ବାହିନୀପତି ଓ ରମେଶ ଜେନାଙ୍କ ବିରୋଧରେ ଅଶୋଭନୀୟ ଆଚରଣ ଅଭିଯୋଗ କରି ୭ ଦିନ ପାଇଁ ନିଲମ୍ବନ କରିବାକୁ ପ୍ରସ୍ତାବ ରଖିଲେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ। ଆଉ ଯାହା ପରେ ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟ ବିଧାୟକଙ୍କୁ ସସ୍ପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ। ଗତକାଲି ଅପରାହ୍ଣରେ ବାଚସ୍ପତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ବିଧାୟକ ସି.ଏସ୍ ରାଜନ ଏକ୍କା, ଦାସରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉଣ୍ଟା, କାଡ୍ରାକା ଆପାଲାସ୍ବାମୀ, ନୀଳମାଧବ ହିକ୍କା ଓ ସୋଫିଆ ଫିର୍ଦ୍ଦୋସଙ୍କୁ ଚଳିତ ଅଧିବେଶନର ଶେଷ ତଥା ୭ଟି କାର୍ୟ୍ୟ ଦିବସ ପାଇଁ ଗୃହରୁ ନିଲମ୍ବନ କରିଥିଲେ ।







