ତିନି ଦିନିଆ ଗସ୍ତରେ ଓଡ଼ିଶା ଆସିବେ କଂଗ୍ରେସ ପ୍ରଭାରୀ ଲାଲଜୀ ଦେଶାଇ

ଭୁବନେଶ୍ୱର: ୨୬ ବର୍ଷର ରାଜନୈତିକ ବନବାସ, ଏବେ କି ବଦଳିବ କଂଗ୍ରେସର ଭାଗ୍ୟ ? ସଂଗଠନକୁ ସଜାଡ଼ିବା ପାଇଁ ଦିଆଯାଇଥିବା ଟାସ୍କର ହେବ ଅଡିଟ୍ । ନେତାଙ୍କ ପରଫର୍ମାନ୍ସ କାର୍ଡ ଖୋଲିବେ ନୂଆ ପ୍ରଭାରୀ । କିଏ କେତେ କାମ କରିଛି, କିଏ କେବଳ ବୈଠକରେ ସୀମିତ ରହିଛି ଏବଂ କିଏ ସଂଗଠନକୁ ଗ୍ରାଉଣ୍ଡକୁ ନେଇଛି, ତାର ହେବ ସମୀକ୍ଷା। ଜୁଲାଇ ୧୫ରୁ ୧୭ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଏଆଇସିସିର ଓଡ଼ିଶା ପ୍ରଭାରୀ ଲାଲଜୀ ଦେଶାଇ । ସଂଗଠନକୁ ତୃଣମୂଳରୁ ସଜାଡ଼ିବା, ପଞ୍ଚାୟତ ନିର୍ବାଚନ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବା ଓ ବିଜେପି ସରକାର ବିରୋଧରେ ଆକ୍ରମଣାତ୍ମକ ରଣନୀତି ପ୍ରସ୍ତୁତ କରିବାକୁ ଏହି ଗସ୍ତକୁ ରାଜ୍ୟ କଂଗ୍ରେସ ପାଇଁ ଟର୍ଣ୍ଣିଂ ପଏଣ୍ଟ ବୋଲି ଦେଖାଯାଉଛି ।
ଓଡ଼ିଶା କଂଗ୍ରେସକୁ ପୁଣିଥରେ ଗ୍ରାଉଣ୍ଡରେ ସକ୍ରିୟ କରିବାକୁ ଅଣ୍ଟା ଭିଡ଼ିଛନ୍ତି ନୂଆ ପ୍ରଭାରୀ ଲାଲଜୀ ଦେଶାଇ । ଜୁଲାଇ ୨ରେ ପ୍ରଥମ ଓଡ଼ିଶା ଗସ୍ତରେ ଆସି ସେ ବରିଷ୍ଠ ନେତା, ବିଧାୟକ, ଜିଲ୍ଲା ସଭାପତି ଓ ସଂଗଠନର ବିଭିନ୍ନ ଶାଖା ସହ ମାରାଥନ ବୈଠକ କରିଥିଲେ । ସେତେବେଳେ ପ୍ରତ୍ୟେକ ନେତାଙ୍କୁ ଅଲଗା ଅଲଗା ଦାୟିତ୍ୱ ଦେଇ ଗ୍ରାଉଣ୍ଡକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ ।ଏବେ ତିନି ଦିନିଆ ଗସ୍ତରେ ସେହି ଟାସ୍କର ହେବ ଅଡିଟ୍ । କେତେ ଜିଲ୍ଲାରେ ସଂଗଠନ ସକ୍ରିୟ ହୋଇଛି, କେତେ ବୁଥରେ କମିଟି ଗଠନ ହୋଇଛି, କେତେ ଜନସମ୍ପର୍କ କାର୍ଯ୍ୟକ୍ରମ ହୋଇଛି ଏବଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମନୋବଳ କେତେ ବଢ଼ିଛି, ସେସବୁର ଟିକିନିଖି ସମୀକ୍ଷା କରିବେ ପ୍ରଭାରୀ ।ଏଥରର ଗସ୍ତରେ କେବଳ ସମୀକ୍ଷା ନୁହେଁ, ରହିଛି ଭବିଷ୍ୟତର ରୋଡମ୍ୟାପ୍, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଦର୍ଶନ କରିବେ । ଜିଲ୍ଲା ସଭାପତିଙ୍କ ସହ ପୃଥକ ବୈଠକ କରି ପ୍ରତ୍ୟେକ ଜିଲ୍ଲାର ରାଜନୈତିକ ସ୍ଥିତି, ବୁଥ୍ ମ୍ୟାନେଜମେଣ୍ଟ, ସଦସ୍ୟ ସଂଗ୍ରହ ଅଭିଯାନ, ଜନସମ୍ପର୍କ କାର୍ଯ୍ୟକ୍ରମ ଓ ସରକାର ବିରୋଧୀ ଆନ୍ଦୋଳନର ବ୍ଲୁ-ପ୍ରିଣ୍ଟ ଚୂଡ଼ାନ୍ତ ହେବ ।

କଂଗ୍ରେସ ଆଉ କେବଳ ବିବୃତ୍ତିରେ ସୀମିତ ରହିବ ନା ରାଜରାସ୍ତାରେ ସଂଘର୍ଷ କରିବ, ସେଥିପାଇଁ ମଧ୍ୟ ଏହି ବୈଠକରେ ରଣନୀତି ପ୍ରସ୍ତୁତ ହେବ । ୨୦୦୦ ମସିହା ପରଠାରୁ ଓଡ଼ିଶାରେ କଂଗ୍ରେସ କ୍ଷମତାଠାରୁ ଦୂରରେ । ବିଜେଡିର ଦୀର୍ଘ ଶାସନ ଓ ବର୍ତ୍ତମାନ ବିଜେପି ସରକାର ମଧ୍ୟରେ କଂଗ୍ରେସ ନିଜର ରାଜନୈତିକ ସ୍ଥାନକୁ ସୁଦୃଢ଼ କରିପାରିନାହିଁ । ସଂଗଠନ ଦୁର୍ବଳତା, ଗୋଷ୍ଠୀ କନ୍ଦଳ, ନେତୃତ୍ୱ ସଙ୍କଟ ଓ ତୃଣମୂଳ ସ୍ତରରେ ସକ୍ରିୟତାର ଅଭାବକୁ ନେଇ ଦୀର୍ଘ ଦିନ ଧରି ପ୍ରଶ୍ନ ଉଠିଆସୁଛି । ସେଥିପାଇଁ ନୂଆ ପ୍ରଭାରୀଙ୍କ ସାମ୍ନାରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ସଂଗଠନକୁ ଏକାଠି କରିବା, କର୍ମୀଙ୍କ ମନୋବଳ ବଢ଼ାଇବା ଏବଂ ଲୋକଙ୍କ ବିଶ୍ୱାସ ଫେରାଇ ଆଣିବା ବୋଲି କହିଛନ୍ତି, କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ।ଜୁଲାଇ ୧୭ରେ କଟକରେ ରାହୁଲ ଗାନ୍ଧିଙ୍କ ଆହ୍ୱାନ କ୍ରମେ ଆୟୋଜିତ “ଛାତ୍ର କି ଗୁଞ୍ଜ” କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ ଲାଲଜୀ ଦେଶାଇ । ଛାତ୍ର ଓ ଯୁବ ସଂଗଠନକୁ ସକ୍ରିୟ କରିବା, ବେକାରୀ, ଶିକ୍ଷା, ନିଯୁକ୍ତି ଓ ଯୁବ ସମସ୍ୟାକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନର ରୂପରେଖ ପ୍ରସ୍ତୁତ ହେବ । ଏହାସହ ଆଗାମୀ ଦିନରେ ମହଙ୍ଗାମାଡ଼, ବେକାରୀ, କୃଷକ ସମସ୍ୟା, ମହିଳା ସୁରକ୍ଷା ଓ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପି ସରକାର ବିରୋଧରେ କିପରି ଆକ୍ରମଣାତ୍ମକ ଆନ୍ଦୋଳନ କରାଯିବ, ସେଥିପାଇଁ ମଧ୍ୟ ଚୂଡ଼ାନ୍ତ ରଣନୀତି ହେବ ବୋଲି ମତ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା ।ଲାଲଜୀ ଦେଶାଇଙ୍କ ଏହି ତିନି ଦିନିଆ ଗସ୍ତ କେବଳ ସାଂଗଠନିକ ବୈଠକରେ ସୀମିତ ନୁହେଁ, ବରଂ ଓଡ଼ିଶା କଂଗ୍ରେସର ଭବିଷ୍ୟତ ରାଜନୀତିର ଦିଗ ନିର୍ଦ୍ଧାରଣ କରିବାର ଏକ ପ୍ରୟାସ । ଦଳର ଲକ୍ଷ୍ୟ ସ୍ପଷ୍ଟ, ତୃଣମୂଳରୁ ସଂଗଠନକୁ ପୁନର୍ଗଠନ କରିବା, କର୍ମୀଙ୍କୁ ସକ୍ରିୟ କରିବା ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଲକ୍ଷ୍ୟ କରି ରାଜନୈତିକ ପୃଷ୍ଠଭୂମି ପ୍ରସ୍ତୁତ କରିବା । ତେବେ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଗ୍ରାଉଣ୍ଡରେ କେତେ ପ୍ରଭାବ ପକାଏ ଏବଂ ଦୀର୍ଘ ୨୬ ବର୍ଷର ରାଜନୈତିକ ଅଚଳାବସ୍ଥାରୁ କଂଗ୍ରେସ ବାହାରିପାରେ କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର ।

  • Related Posts

    ଦୀର୍ଘ ଓ ଅଧିକ ଅର୍ଥପୂର୍ଣ୍ଣ ପଥ ବାଛିବାକୁ ‘ଜେନ୍‌ ଜି’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ଜେନ୍‌ ଜି’ଙ୍କୁ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭବିଷ୍ୟତରେ ଆମକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରି ଲକ୍ଷ ଲକ୍ଷ ଯୁବକଙ୍କ ଆବଶ୍ୟକତା ଅଛି। ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇ କହିଛନ୍ତି…

    Continue reading
    ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ: ଜିଲ୍ଲା ଗସ୍ତରେ ଯିବେ ନବୀନ

    ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ । ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ