
ନୂଆଦିଲ୍ଲୀ: ଦିଲ୍ଲୀରେ ଆପ୍ କାହା ସହ ମେଣ୍ଟ କରିବ ନାହିଁ। କଂଗ୍ରେସ ସହ କୌଣସି ମେଣ୍ଟ ହେବାର ସମ୍ଭାବନା ନାହିଁ। ଆପ୍ ନିଜ ଶକ୍ତି ଓ ଦମ୍ରେ ଏକା ଲଢ଼ିବ। ଏନେଇ ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି କେଜ୍ରିଓ୍ୱାଲ ଘୋଷଣା କରିଛନ୍ତି।
ଏହାପୂର୍ବରୁ ସୂତ୍ରରୁ ସୂଚନା ମିଳିଥିଲା ଯେ, ଦିଲ୍ଲୀ ବିଧାନସଭା ନିର୍ବାଚନରେ ମେଣ୍ଟ ପାଇଁ କଂଗ୍ରେସ ଓ ଆପ୍ ମଧ୍ୟରେ ସହମତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ୧୫ ଟି ଆସନରେ କଂଗ୍ରେସ ଏବଂ ୧-୨ ଟି ସିଟ୍ ଅନ୍ୟ ଓଘଊଓଇ ବ୍ଲକକୁ ଯାଉଛି। ଅବଶିଷ୍ଟ ଆସନଗୁଡିକରେ ଆପ୍ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଚର୍ଚ୍ଚା ହେଉଥିଲା।
ଏହା ପୂର୍ବରୁ ମଧ୍ୟ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ସହ ମେଣ୍ଟ କରିବାକୁ ମନା କରିଦେଇଥିଲେ। କିନ୍ତୁ ପୁଣିଥରେ ଦୁଇ ଦଳ ମଧ୍ୟରେ ମେଣ୍ଟ ହେବା ନେଇ ଖବର ଚର୍ଚ୍ଚାକୁ ଆସିଥିଲା। ବର୍ତ୍ତମାନ ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ସହ ମେଣ୍ଟ ହେବା ସମ୍ଭାବନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
କହିରଖୁ ଯେ, ଆସନ୍ତା ବର୍ଷ ଫେବ୍ରୁଆରୀ ଆଡକୁ ଦିଲ୍ଲୀ ବିଧନସଭା ନିର୍ବାଚନ ହେବ। ୮ ଫେବୃଆରୀ ୨୦୨୦ରେ ଅନୁଷ୍ଠିତ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ୭୦ଟି ସିଟ୍ ମଧ୍ୟରୁ ୬୨ଟିରେ ଜିତି ବଡ଼ ବିଜୟ ହାସଲ କରିଥିଲା। କଂଗ୍ରେସର ଖାତା ଖୋଲିନଥିବା ବେଳେ ବିଜେପି ୮ଟି ଆସନ ଜିତିଥିଲା।




