
ପୁରୀ: ଆସନ୍ତା ଶୁକ୍ରାବର ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ଶ୍ରୀନହରରେ ଗଜପତି ମହାରାଜା ଓ ଦଇତାପତି ସେବକଙ୍କ ମଧ୍ୟରେ ଆଗାମୀ ରଥଯାତ୍ରା କିଭଳି ସୁରୁଖୁରୁରେ ଆୟୋଜନ ହୋଇ ପାରିବ ସେନେଇ ଆଲୋଚୋନା ହୋଇଛି । ରଥ ଉପରକୁ ସେବାୟତ ମାବାଇଲ ନେଲେ ପ୍ରଶାସନ ପକ୍ଷରୁ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦୀଘା ଜଗନ୍ନାଥ ମନ୍ଦିରର ପ୍ରସାଦକୁ ମହାପ୍ରସାଦ କୁହାଯିବା ଠିକ୍ ନୁହଁ ବୋଲି କହିଛନ୍ତି ଗଜପତି ।ଗଜପତି ମହାରାଜା ଆହୁରି ମଧ୍ୟ କହିଛନ୍ତି, ” ଦୀଘା ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ ପ୍ରସାଦକୁ ମହାପ୍ରସାଦ କହି ଲୋକଙ୍କୁ ବିତରଣ କରିବା ଠିକ୍ ନୁହେଁ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ଲାଗି ହେଉଥିବା ଭୋଗ ହିଁ କେବଳ ମହାପ୍ରସାଦ। ଅନ୍ୟତ୍ର ଯେଉଁ ଜଗନ୍ନାଥ ମନ୍ଦିରରେ ଭୋଗ ପ୍ରସ୍ତୁତ ହେଉଛି ତାହା ପ୍ରସାଦ ଭାବେ ବିତରଣ ହେବା ଉଚିତ୍। କିନ୍ତୁ ମହାପ୍ରସାଦ କହି ବିତରଣ କରିବା ଜଗନ୍ନାଥ ସଂସ୍କୃତି ବିରୋଧୀ। ଏଭଳି କାର୍ୟ୍ୟ ଯିଏବି କରୁଛି ସେମାନେ ବନ୍ଦ କରିବା ଉଚିତ୍। ଇସ୍କନ ଦୀଘା ଜଗନ୍ନାଥ ମନ୍ଦିର ପରିଚାଳନା ଭାର ନେଇଥିବା ବେଳେ ସେମାନେ ମହାପ୍ରଭୁଙ୍କ ପରମ୍ପରା ଜାଣି ମଧ୍ୟ ଉଲ୍ଲଂଘନ କରିବା ଦୁଃଖ ଦାୟକ। “ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜା କହିଛନ୍ତି, “ଇସ୍କନକୁ ବାରଣ ସତ୍ତ୍ୱେ ବାରମ୍ବାର ବିଦେଶରେ ଅଦିନିଆ ରଥଯାତ୍ରା ଆୟୋଜନ କରିବା ଦୁଃଖ ଦାୟକ। ଏହା ଦ୍ଵାରା ଜଗନ୍ନାଥ ସଂସ୍କୃତି ବିକୃତ ହେବା ସହ କୋଟି କୋଟି ଭକ୍ତଙ୍କୁ ମଧ୍ୟ ଆଘାତ ଦେଉଛନ୍ତି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ଇସ୍କନ ସହ ଆଲୋଚନା କରିଛନ୍ତି। ଭାରତରେ ଥିବା ଇସ୍କନ ସଂସ୍ଥା ମହାପ୍ରଭୁଙ୍କ ରଥଯାତ୍ରା ଓ ଅନ୍ୟ ପର୍ବ ପର୍ବାଣୀ ନିର୍ଦ୍ଦିଷ୍ଟ ତିଥିରେ ଗତ କିଛି ବର୍ଷ ହେବ କରିଆସୁଛି। ଯାହା ସ୍ବାଗତ ଯୋଗ୍ୟ। ହେଲେ ଇସ୍କନର ଆନ୍ତର୍ଜାତୀୟ ସଂସ୍ଥା ଏହାକୁ ଗ୍ରହଣ କରୁନାହାନ୍ତି। ନିଜ ଇଚ୍ଛା ଯେତେବେଳେ ଚାହିଁଲେ ରଥଯାତ୍ରା ଆୟୋଜନ କରୁଛନ୍ତି। ତାହା ବନ୍ଦ ହେବା ଉଚିତ୍। ନିର୍ଦ୍ଦିଷ୍ଟ ତିଥି ବାର ଅନୁଯାୟୀ ମହାପ୍ରଭୁଙ୍କ ପର୍ବ ପର୍ବାଣୀ ପାଳନ ହେବା ଉଚିତ୍। ଆମେ ଆଶା ରଖୁଛୁ ଇସ୍କନର ଆନ୍ତର୍ଜାତୀୟ ସଂସ୍ଥା ଏହାକୁ ଗୁରୁତ୍ବ ଦେବ। ମହାପ୍ରଭୁଙ୍କ ବିଧି ଓ ପରମ୍ପରାକୁ ଉଲ୍ଲଂଘନ କରିବ ନାହିଁ। ତେବେ ଆଗାମୀ ଦିନରେ ମଧ୍ୟ ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ଇସ୍କନ ସହିତ ଶ୍ରୀମନ୍ଦିର ପ୍ରଶାସନ ଆଲୋଚୋନା କରିବ। “








