
‘ଶାସନ ପରିବର୍ତ୍ତନ’ ଅପରେସନ ଜରିଆରେ ବିଶ୍ୱର ଦୁଷ୍ଟି ଶକ୍ତିଗୁଡ଼ିକ ଭାରତକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ସମସ୍ତଙ୍କୁ ସତର୍କ କରାଇଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ। ବିଜୟାଦଶମୀରେ ସେ ଅଭିଯୋଗ କରିଛନ୍ତି ଯେ ବର୍ତ୍ତମାନ ଭାରତରେ ଏପରି ଉଦ୍ୟମ ଚାଲିଛି ଓ ଏହାକୁ କ୍ଷମତାର ଲାଳସାରେ କିଛି ନେତାମାନଙ୍କ ସମର୍ଥନ ମଧ୍ୟ ମିଳୁଛି। ନାଗପୁରରେ ଆରଏସଏସ ମୁଖ୍ୟାଳୟରେ ଆୟୋଜିତ ବିଜୟାଦଶମୀ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ମୋହନ ଭାଗବତ କହିଛନ୍ତି ଯେ “ଭାରତ, ହିନ୍ଦୁ ଓ ସଂଘକୁ କେମିତି ଧ୍ୱଂସ କରାଯାଇ ପାରିବ, ସେକଥା ସବୁବେଳେ ସୈତାନୀ ଶକ୍ତି ଚାହାନ୍ତି।ଏଥିପାଇଁ ସେମାନେ ଯୋଜନା କରନ୍ତି ଓ ଏହାକୁ କାର୍ଯ୍ୟକାରୀ କରିବାକୁ ଲାଗି ପଡ଼ିନ୍ତି। କିଛି ଲୋକ ନିଜର ସ୍ୱାଭାବ ଅନୁସାରେ ଏହି ଯୋଜନାରେ ଆପେଆପେ ସାମିଲ ହୋଇଯାଆନ୍ତି। କ୍ଷମତା ହାସଲ କରିବାର ସ୍ୱାର୍ଥ ଓ ଅଜ୍ଞତା କାରଣରୁ କିଛି ମହତ୍ତ୍ୱାକାଂକ୍ଷୀ ନେତା ବି ଏହି ଯୋଜନାରେ ସାମିଲ ହୁଅନ୍ତି।”
ଫ୍ରାନ୍ସ, ଆଲବାନିଆ, ବାଂଲାଦେଶ ଓ ନେପାଳରେ ଦେଖାଯାଇଥିବା ହିଂସା ଏବଂ ବିଦ୍ରୋହକୁ ଇଙ୍ଗିତ କରି ଆରଏସ୍ଏସ୍ ମୁଖ୍ୟ କହିଛନ୍ତି ଯେ “ପଶ୍ଚିମରୁ ଗୋଟିଏ ଝଡ଼ ବହିବା ଆରମ୍ଭ ହୋଇଛି। ଏହି ଝଡ଼ ବ୍ୟବସ୍ଥା, ଶାଳୀନତା, ସାଂସ୍କୃତିକ ଓ ମାନବୀୟ ମୂଲ୍ୟବୋଧକୁ ସଂପୂର୍ଣ୍ଣ ଭାବେ ଧ୍ୱଂସ କରିଦେବାକୁ ଚାହୁଁଛି। ସେମାନେ କହୁଛନ୍ତି ଯେ ଶାସନ ପରିବର୍ତ୍ତନ ସହ ସ୍ଥିତି ବଦଳି ଯିବ। କିନ୍ତୁ ଏମିତି ପୂର୍ବରୁ କେବେ ବି ହୋଇନାହିଁ କିମ୍ବା ଆଜି ମଧ୍ୟ ସେମିତି କିଛି ହେବନି।”ମୋହନ ଭାଗବତ ଅଭିଯୋଗ କରିଛନ୍ତି ଯେ ନିଜର ସ୍ୱାର୍ଥ ହାସଲ କରିବା ପାଇଁ ଓ ନିଜର ସଖୀ କଣ୍ଢେଇଙ୍କୁ କ୍ଷମତାରେ ବସାଇବା ପାଇଁ ପୂରା ଦୁନିଆରେ ଏପରି ଅଭିଯାନ ଆରମ୍ଭ କରାଯାଉଛି। ଭାରତର ଅଭିବୃଦ୍ଧିରେ ଏପରି ପ୍ରୟାସ ବାଧା ସୃଷ୍ଟି କରୁଛି।ଗୋଟିଏ ବିକାଶଶୀଳ ରାଷ୍ଟ୍ରରେ ବିରୋଧ ପ୍ରଦର୍ଶନ ଓ ଆନ୍ଦୋଳନ ପ୍ରସଙ୍ଗରେ ସେ କହିଛନ୍ତି ଯେ ଭାରତରେ ସମସ୍ୟା ଲାଗି ରହିବ। କାରଣ ଭାରତ ସଂପୂର୍ଣ୍ଣ ଭାବେ ବିକଶିତ ହୋଇନାହିଁ। ଯଦି ସମସ୍ୟା ରହିଛି, ତା’ହେଲେ ଆନ୍ଦୋଳନ ହେବ।ଗଣତନ୍ତ୍ରରେ ଆନ୍ଦୋଳନ ହୋଇଥାଏ। ହେଲେ ଏପରି ଆନ୍ଦୋଳନର ଉଦ୍ଦେଶ୍ୟ କେବଳ ବିରୋଧ ଦାଖଲ କରିବାରେ ସୀମିତ ରହିବା କଥା ନୁହେଁ, ବରଂ ସମାଧାନ ଖୋଜିବାର ମାଧ୍ୟମ ହେବା ଦରକାର। ଗଣତନ୍ତ୍ରରେ ଆନ୍ଦୋଳନର ଉଦ୍ଦେଶ୍ୟ ହେଉଛି ସମାଧାନ। ସମସ୍ତେ ସମାଧାନ ପାଇଁ ଉଦ୍ୟମ କରିବା କଥା ବୋଲି ସେ କହିଛନ୍ତି।







