
ଭୁବନେଶ୍ଵର: ଓ୍ଵାକଫ ବିଲ୍କୁ ନେଇ ଦୁଇ ଫାଳ ବିଜେଡି। ଶେଷ ମୁହୂର୍ତ୍ତରେ ରାଜ୍ୟସଭାରେ ବିଜେଡିର ୟୁଟର୍ଣ୍ଣ ନେଇ ଏବେ ଦଳରେ ଝଡ଼ ସୃଷ୍ଟି ହୋଇଛି। କାହିଁକି ଏବଂ କେଉଁ ପରିସ୍ଥିତିରେ ବିବେକ ଅନୁସାରେ ଭୋଟ୍ ଦେବାକୁ କିଏ କହିଲା ଏବଂ କାହା ଇସାରାରେ ନିଷ୍ପତ୍ତି ଶେଷ ମୁହୂର୍ତ୍ତରେ ବଦଳିକା ତାର ଏବେ ଖୋଲାଖୋଲି କୈଫତ ମାଗିଲେଣି ବିଜେଡିର ଅନେକ ବରିଷ୍ଠ ନେତା। ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ପରୋକ୍ଷରେ ଭିକେ ପାଣ୍ଡିଆନଙ୍କୁ ତେରଛା ବାଣ ମାରିଛନ୍ତି। ଆଉ ଦେବାଶିଷଙ୍କୁ ଟାର୍ଗେଟ୍ କରି ଆଗକୁ ଆସିଛନ୍ତି ପାଣ୍ଡିଆନ ସପକ୍ଷବାଦୀ। ଏବେ ଚାରି ସାଂସଦ ଶୁଭାଶିଷ ଖୁଣ୍ଟିଆ, ନିରଞ୍ଜନ ବିଶି, ମାନସ ମଙ୍ଗରାଜ ଓ ସୁଲତାଦେଓ ପାଣ୍ଡିଆନଙ୍କ ପାଇଁ ଓକିଲାତି କରିବା ଆରମ୍ଭ କରି ଦେଇଛନ୍ତି।
ଶୁଭାଶିଷ କହିଛନ୍ତି, ଭିକେ ପାଣ୍ଡିଆନ ରାଜନୀତିରେ ନାହାନ୍ତି, ତାଙ୍କ ବିଷୟରେ ଏବେ କାହିଁକି କୁହାଯାଉଛି। ଦଳର ନେତା ବିବେକ ଅନୁସାରେ ଭୋଟ୍ ଦେବାକୁ କହିଥିଲେ। ମୁନ୍ନା ଖାନ ମୁସଲିମ ଓ ସସ୍ମିତ ପାତ୍ର ଖ୍ରୀଷ୍ଟିଆନ ସଂପ୍ରଦାୟକୁ ପ୍ରତିନିଧିତ୍ଵ କରୁଛନ୍ତି। ତାଙ୍କ ଅନୁସାରେ ସେ ଭୋଟ୍ ଦେଲେ ଏବଂ ୟାଙ୍କ ଅନୁସାରେ ଇଏ ଭୋଟ୍ ଦେଲେ। ସେହିପରି ସାଂସଦ ନିରଞ୍ଜନ ବିଶି କହିଛନ୍ତି ଯେ, ପାଣ୍ଡିଆନଙ୍କୁ ଅଯଥା ବଦନାମ କରାଯାଉଛି। ଦେବାଶିଷ ସାମନ୍ତରାୟଙ୍କ ମନ୍ତବ୍ୟକୁ ମୁଁ ଘୋର ନିନ୍ଦା କରୁଛି। କିଛି ଅଭିସନ୍ଧି ରଖି ଦେବାଶିଷ ଏପରି କହିଛନ୍ତି।
ପାଣ୍ଡିଆନଙ୍କ ସପକ୍ଷବାଦୀ ତାଲିକାରେ ରହିଛି ସାଂସଦ ମାନସ ମଙ୍ଗରାଜଙ୍କ ନାଁ। ସେ ଦେବାଶିଷଙ୍କ ମନ୍ତବ୍ୟକୁ ନିନ୍ଦା କରି କହିଛନ୍ତି, ରାଜନୀତିରୁ ୧୦ ମାସ ହେଲା ପାଣ୍ଡିଆନ ଅବସର ନେଇ ସାରିଛନ୍ତି। କିଛି ନ୍ୟସ୍ତସ୍ଵାର୍ଥ କାରଣରୁ ଦେବାଶିଷ ଏପରି କହିଛନ୍ତି। ଦେବାଶିଷ ନିଜର ଭୁଲ୍ ଲୁଚାଇବା ପାଇଁ ଚେଷ୍ଟା କରୁଥିବା କହିଛନ୍ତି ସୁଲତା ଦେଓ। ନବୀନ ନିବାସରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାରୁ ନିବୃତ୍ତ ରୁହନ୍ତୁ।
ଓ୍ଵାକଫ ବିଧେୟକ ଉପରେ ଭୋଟିଂ ପରେ ଦେବାଶିଷ ପ୍ରତିକ୍ରିୟାରେ କହିଥିଲେ, ତରବରିଆ ନିଷ୍ପତ୍ତି ପରିବର୍ତ୍ତନ ପାଇଁ ଦାୟୀ କିଏ ? ହଠାତ୍ ସଂସଦରେ କ’ଣ ହେଲା ତାହା ଆମେ କେହି ଜାଣିପାରିଲୁ ନାହିଁ । ଯେଉଁ ମୁଖ୍ୟ ପରାମର୍ଶଦାତା ଅଛନ୍ତି,ଏହା ତାଙ୍କର ନିଷ୍ପତ୍ତି। ମୁନ୍ନା ଖାଁ କହିଛନ୍ତି, ସଂସଦୀୟ ଗଣତନ୍ତ୍ର ଯେକୌଣସି ବିଲ୍ ସପକ୍ଷରେ ଏବଂ ବିପକ୍ଷରେ ଭୋଟ୍ ଦିଆଯାଏ । କିନ୍ତୁ ବିବେକ ଅନୁସାରେ ଭୋଟ୍ ଦେବାଟା ପୃଥିବୀରେ କେଉଁଠି ନାହିଁ । ସଂସଦର ବଜେଟ୍ ଅଧିବେଶନ ଶେଷ ହେବା ପରେ ସୋମବାର ଭୁବନେଶ୍ୱର ଫେରି ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ସାଂସଦ ମୁଜିବୁଲ୍ଲା ଖାଁ ଓରଫ୍ ମୁନା ଖାଁ ।







