
ଲକ୍ଷ୍ନୌ : ସଂସଦରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱୈତ ନାଗରିକତା ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ ତାଙ୍କ ବିରୋଧରେ FIR ରୁଜୁ କରିବା ଓ ତଦନ୍ତ କରିବାକୁ ଆଦେଶ ଦେଇଛନ୍ତି । ଦ୍ୱିତୀୟ ନାଗରିକତା ସମ୍ପର୍କିତ ମାମଲାର ଶୁଣାଣୀ ସମୟରେ କୋର୍ଟ ଏହି ଆଦେଶ ଜାରି କରିଛନ୍ତି ।
ସୂଚନା ଅନୁସାରେ, ସଂସଦରେ ବିରୋଧୀ ଦଳନେତା ରାହୁଲ ଗାନ୍ଧୀଙ୍କ ବ୍ରିଟିଶ ନାଗରିକତା ନେଇ ଏସ. ବିଗ୍ନେଶ ଶିଶିର ହାଇକୋର୍ଟରେ ଯାଚିକା ଦାଖଲ କରିଥିଲେ । ଆବେଦନକାରୀ ଲକ୍ଷ୍ନୌର MP/MLA କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରାହୁଲ ଗାନ୍ଧୀଙ୍କ ବ୍ରିଟିଶ ନାଗରିକତା ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏହା ପୂର୍ବରୁ ସେ MP/MLA କୋର୍ଟରେ ଦାଖଲ ହୋଇଥିବା ମାମଲାର ଶୁଣାଶୀ କରି 2026 ଜାନୁଆରୀ 28 ତାରିଖରେ ଲକ୍ଷ୍ନୌର MP/MLA କୋର୍ଟ ଆବେଦନକାରୀଙ୍କ ଦାବିକୁ ଖାରଜ କରିଥିଲା ।
ଏହାପରେ ଆବେଦନକାରୀ 2026 ଫେବୃଆରୀ 12 ତାରିଖରେ ହାଇକୋର୍ଟରେ ଅପିଲ୍ କରିଥିଲେ । ଫେବୃଆରୀ 17 ତାରିଖରେ ହାଇକୋର୍ଟ ଶିଶିରଙ୍କ ଆବେଦନ ଗ୍ରହଣ କରିଥିଲେ । କୋର୍ଟ ଆଗରେ ନିଜ ପକ୍ଷ ରଖି ଆବେଦନକାରୀ ରାହୁଲ ଗାନ୍ଧୀଙ୍କ ବ୍ରିଟିଶ ନାଗରିକତା ମାମଲାରେ ରାଏବରେଲୀ କୋତୱାଲୀ ଥାନାରେ FIR ରୁଜୁ କରିବାକୁ ଦାବି କରିଥିଲେ ।
ଲକ୍ଷ୍ନୌର MP/MLA କୋର୍ଟରେ ଦାଖଲ ହୋଇଥିବା ଯାଚିକାକୁ ବିଚାରପତି ଖାରଜ କରିଥିଲେ । ବିଶେଷ ବିଚାରପତି ତୃତୀୟ ACGM ଆଲୋକ ବର୍ମା ନାଗରିକତା ସମ୍ପର୍କରେ ନିଜ ରାୟ ଦେଇଥିଲେ । ଆବେଦନ ଦାଖଲ ପରେ 8 ଦିନ ଧରି ଶୁଣାଣୀ ହୋଇଥିଲା । ପରେ କୋର୍ଟ ଆବେଦନକୁ ଖାରଜ କରି କହିଥିଲେ ଯେ, ଏହି ମାମଲାରେ ହାଇକୋର୍ଟ କିମ୍ବା ସୁପ୍ରିମ କୋର୍ଟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ । ଏଣୁ ନାଗରିକତା ମାମଲାରେ ନିଷ୍ପତ୍ତି ଦେବା ଅଧିକାର ଏହି କୋର୍ଟର ନାହିଁ । ଏହା ସହ ଯାଚିକାକର୍ତ୍ତାଙ୍କ ପକ୍ଷରୁ କୌଣସି ନୂତନ ଓ ଠୋସ ପ୍ରମାଣ ଦାଖଲ କରାଯାଇନଥିବାରୁ ଯାଚିକାକୁ ଖାରଜ କରାଯାଉଛି ।



