
ପୁରୀ: ବିଷାକ୍ତ ସାପକୁ ସହଜରେ କାବୁ କରିନେଉଥିଲେ । ଯାହା ଘରେ ସାପ ପଶୁଥିଲା ସେଠାରେ ପହଞ୍ଚି ଧରୁଥିଲେ । ସାପ ସହ ରିଲ୍ସ କରୁଥିଲେ । ସାପ ସହ ଖେଳୁଥିବାରୁ ଦୃଶ୍ୟର ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ୍ କରୁଥିବା ସାପ ଧରାଳିଙ୍କର ଶୁକ୍ରବାର ନାଗ ସାପ ଦଂଶନରେ ମୃତ୍ୟୁ ହୋଇଛି । ମୃତକ ହେଲେ ସଦରଥାନା ଅଧୀନ କଣ୍ଠପୁର ଗ୍ରାମର ତପନକୁମାର ପ୍ରଧାନ(୨୮) । ତପନଙ୍କ ମୃତ ଶରୀରକୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଶବ ସଂରକ୍ଷଣ ଗୃହରେ ରଖାଯାଇଛି । ଶନିବାର ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟକୁ ଶବ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି ।
ସମ୍ପର୍କୀୟଙ୍କ କହିବାନୁଯାୟୀ, ଶୁକ୍ରବାର ଅପରାହ୍ଣ ୨ଟା । ନିଜ ଘର ବାରଣ୍ଡାରେ ଏକ ନାଗ ସାପ ସହ ରିଲ୍ସ କରିବା ସହ ଫଟୋ ଉତ୍ତୋଳନ କରୁଥିଲେ ତପନ । ଏହି ସମୟରେ ନାଗ ସାପଟି ପ୍ରଥମେ ଡାହାଣ ହାତର ଆଙ୍ଗୁଠିକୁ କାମୁଡ଼ିଥିଲା । ପରେ ପରେ କହୁଣୀ ଓ ବାହୁକୁ ସାପ ଚୋଟ ପକାଇଥିଲା । ତପନ ଏକ ଘରୋଇ ଚିକିତ୍ସାଳୟରେ ଭତ୍ତି ର୍ ହୋଇଥିଲେ । ସେଠାରେ ସେମାନେ ଗୋଟିଏ ଇଞ୍ଜେକ୍ସନ୍ ଦେଇଥିଲେ । ୧୦ମିନିଟ୍ ପରେ ଆଉ ଏକ ଇଞ୍ଜେକସନ୍ ଦେବାକୁ ଡାକ୍ତର ତପନକୁ ପରାମର୍ଶ ଦେଇଥିଲେ । କିନ୍ତୁ ତପନ ଇଞ୍ଜେକସନ୍ ନନେଇ ଘରକୁ ଫେରି ଆସିଥିଲେ । ଅପରାହ୍ଣରେ ତପନଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିଲା । ପରିବାର ଲୋକେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭତ୍ତି ର୍ କରିଥିଲେ । ଡାକ୍ତର ତପନକୁ ମୃତ ଘୋଷଣା କରିଥିଲେ । ସୂଚନାଯୋଗ୍ୟ, ତପନ ତାଙ୍କ ଜୀବନରେ ଶତାଧିକ ସାପକୁ ଧରିଛନ୍ତି ।








