
ଭୁବନେଶ୍ୱର: ରାଜଧାନୀରେ ମାଟି ମାଫିଆଙ୍କ ଆତଙ୍କ। ଜମିରୁ ଜୋରଜବରଦସ୍ତି ମାଟି ଉଠାଣକୁ ବିରୋଧ କରିବାରୁ ଜମି ମାଲିକଙ୍କ ଘର ଉପରକୁ ବୋମାମାଡ଼ । ଏଭଳି ଘଟଣା ଚନ୍ଦକା ଥାନା ଅନ୍ତର୍ଗତ ପାଇକରାପୁର ଅଞ୍ଚଳରେ ଘଟିଛି।
ସୂଚନା ଅନୁଯାୟୀ, ଶନିବାର ପାଇକରାପୁର ଅଞ୍ଚଳରେ ଜମିରୁ ଜୋରଜବରଦସ୍ତି ମାଟି ଉଠାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ଜମି ମାଲିକ ବିରୋଧ କରିବାରୁ ତାଙ୍କୁ ଧମକ ଦିଆଯାଇଥିଲା। ଏହା ପରେ ତାଙ୍କ ଘର ଉପରକୁ ଅତର୍କିତ ବୋମାମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଜମି ମାଲିକ ରମଣି ରଞ୍ଜନ ପାଇକରାୟ ଚନ୍ଦକା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ, ଘଟଣାର ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ଛାନଭିନ୍ କରୁଛି। ଘଟଣା ପଛରେ କେଉଁମାନେ ରହିଛନ୍ତି ଏବଂ ବୋମାମାଡ଼ର ପ୍ରକୃତ କାରଣ କ’ଣ, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।








