
ବରଗଡ : ପୁଣି ଜଳିଗଲେ ଆଉ ଜଣେ ଛାତ୍ରୀ । ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ୧୩ ବର୍ଷିୟା ନାବାଳିକା ଆତ୍ମାହୁତି ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ତାଙ୍କ ଶରୀରର ଅଧିକାଂଶ ଅଂଶ ଜଳିଯାଇଥିବା ସୂଚନା ମିଳିଛି । ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ବେଳେ, ତାଙ୍କୁ ହସପିଟାଲକୁ ନିଆଯାଇଛି ।ପରିବାର ଲୋକସଙ୍କ ସୂଚନା ଅନୁସାରେ, ଛାତ୍ରୀ ଜଣଙ୍କ ତାଙ୍କ ମାମୁଁ ଘରରେ ରହି ପାଠ ପଢ଼ୁଥିଲେ । ଆଜି ସକାଳୁ ମାମୁଁ ଘର ନିକଟରେ ଥିବା ଏକ ଖେଳ ପଡ଼ିଆରୁ ତାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ନାବାଳିକା ଶରୀରେ ନିଆଁ ଲାଗିଯାଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ସ୍ଥାନୀୟ ଲୋକେ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ପୋଲିସ ସହାୟତାରେ ଏକ ଆମ୍ବୁଲାନ୍ସ ଯୋଗେ ପୀଡ଼ିତାଙ୍କୁ ହସପିଟାଲ ନିଆଯାଇଥିଲା ।ଗତ କିଛିଦିନ ପୂର୍ବରୁ ବାଲେଶ୍ୱର, ବଳଙ୍ଗା ଏବଂ କେନ୍ଦ୍ରାପଡ଼ା ପଟାମୁଣ୍ଡାଇରେ ଆତ୍ମାହୁତି ଜନିତ ମୃତ୍ୟୁ ଘଟଣା, ଏବେ ମଧ୍ୟ ମନରୁ ଲିଭି ନଥିବା ବେଳେ, ବରଗଡ଼ ଜିଲ୍ଲାରେ ଏକ ଲୋମ ଟାଙ୍କୁରା ଅଘଟଣ ସାମ୍ନାକୁ ଆସିଛି । କେଉଁ ପରିସ୍ଥିତିରେ ଏଭଳି ଦୁର୍ଭାଗ୍ୟଜନ ଘଟଣା ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ ।







