ନିଃସ୍ବାର୍ଥ ସେବାର ମୂର୍ତ୍ତିମନ୍ତ ବିଗ୍ରହ ଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ

ଭୁବନେଶ୍ୱର: ‘‘ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ।’’ ଗୋପବନ୍ଧୁ ଦାସଙ୍କ ଏହି ଦୁଇ ଧାଡ଼ି କବିତାରୁ ବାରି ହୁଏ ତାଙ୍କ ତ୍ୟାଗ ଓ ବଳିଦାନର ଗାଥା । ସେ ନିଃସ୍ବାର୍ଥ ସେବାର ମୂର୍ତ୍ତିମନ୍ତ ବିଗ୍ରହ ଥିଲେ । ଆଜୀବନ ତ୍ୟାଗମନ୍ତ୍ରରେ ଦୀକ୍ଷିତ ଗୋପବନ୍ଧୁ ଦୀନ ଦରିଦ୍ରଙ୍କର ବନ୍ଧୁ ଭାବରେ ବେଶ୍‌ ଜଣାଶୁଣା ଥିଲେ। ଏକାଧାରରେ ସେ ଥିଲେ ସମାଜସେବୀ, ଦେଶପ୍ରେମୀ, ରାଷ୍ଟ୍ରନୀତିଜ୍ଞ, ସଂସ୍କାରକ, ସାମ୍ବାଦିକ, ସୁଲେଖକ, କବି, ଶିକ୍ଷାବିତ୍‍ ଏବଂ ଆଇନଜ୍ଞ । ଆଧୁନିକ ଯୁଗର ପଞ୍ଚସଖାମାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ । ଭକ୍ତକବି ମଧୁସୂଦନ ରାଓଙ୍କ ନିଷ୍ପତ୍ତି କ୍ରମେ ଗୋପବନ୍ଧୁ ସାକ୍ଷୀଗୋପାଳର ବକୁଳ ଓ ଛୁରିଅନା କୁଞ୍ଜରେ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରତିଷ୍ଠା କରିଥିଲେ । ଏହି ବିଦ୍ୟାଳୟରୁ ସେତେବେଳେ ଜାତୀୟ ସ୍ୱାଧୀନତା ଆନ୍ଦୋଳନ ପରିଚାଳିତ ହେଉଥିଲା।
ପଣ୍ଡିତ ଗୋପବନ୍ଧୁ ଦାସ ୧୮୭୭ ମସିହା ଆଜିର ଦିନରେ ଦୈତାରି ଦାସ ଓ ସ୍ୱର୍ଣ୍ଣମୟୀ ଦେବୀଙ୍କ ସନ୍ତାନ ଭାବେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ଖୁବ୍‌ ଅଳ୍ପ ବୟସ ହୋଇଥିବାବେଳେ ତାଙ୍କ ମାତାଙ୍କର ମୃତ୍ୟୁ ହୋଇଯାଇଥିଲା । ଗୋପବନ୍ଧୁ ଦାସ ମାତ୍ର ୧୨ ବର୍ଷ ବୟସରେ ଅପତୀ ଦେବୀଙ୍କୁ ବିବାହ କରିଥିଲେ । ବିବାହ ପରେ ମଧ୍ୟ ସେ ପାଠପଢ଼ା ଜାରି ରଖିଥିଲେ । ପୁରୀରୁ ମାଟ୍ରିକ୍‌ ପାସ୍‌ କରି, ସେ କଟକର ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କଲେ। କଟକରେ ଅଧ୍ୟୟନ ସମୟରେ ଓଡ଼ିଆ ଭାଷାର ବିଲୋପ ଚକ୍ରାନ୍ତ ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଗୋପବନ୍ଧୁ, ‘କର୍ତ୍ତବ୍ୟ ବୋଧିନୀ ସମିତି’ ଗଠନ କରି ଓଡ଼ିଆ ଭାଷା ବିଲୋପର ତୀବ୍ର ପ୍ରତିବାଦ କଲେ । ୧୯୦୩ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଦ୍ୱାରା ଆହୂତ ଉତ୍କଳ ସମ୍ମିଳନୀରେ ଗୋପବନ୍ଧୁ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ସମୟରେ, ତାଙ୍କର ପ୍ରଥମ ପୁତ୍ର ସନ୍ତାନଟିର ଅକାଳ ମୃତ୍ୟୁ ଘଟିଥିଲା । ଏହିପରି ନାନାଦି ବାଧାବିଘ୍ନ ସତ୍ତ୍ୱେ ସେ ୧୯୦୪ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ବିଏ ପାସ୍‌ କଲେ ଓ କଲିକତାରେ ବିଏଲ୍‌ ପଢ଼ିଲେ । ସେଠାରେ ପ୍ରବାସୀ ଓଡ଼ିଆଙ୍କ ଦୁଃଖଦୁର୍ଦ୍ଦଶାରେ ବ୍ୟଥିତ ହୋଇ, ସେ ‘ଓଡ଼ିଆ ଶ୍ରମିକ ସଂଘ’ ଓ ‘ସାନ୍ଧ୍ୟ ବିଦ୍ୟାଳୟ’ ପ୍ରତିଷ୍ଠା କରିଥିଲେ । ଇତିମଧ୍ୟରେ ତାଙ୍କର ଦ୍ୱିତୀୟ ପୁତ୍ରଟିର ମଧ୍ୟ ମୃତ୍ୟୁ ଘଟିଥିଲା । ଏପରିକି, ଯେଉଁଦିନ ସେ ବିଏଲ୍‌ ପାସ୍‌ କରିଛନ୍ତି ବୋଲି ଖବର ପାଇଥିଲେ, ସେହିଦିନ ତାଙ୍କୁ ନିଜ ପତ୍ନୀଙ୍କର ମୃତ୍ୟୁ ସମ୍ବାଦ ମଧ୍ୟ ମିଳିଥିଲା । ଏତେ ସବୁ ଦୁଃଖ କିନ୍ତୁ ତାଙ୍କୁ ନିଜ କର୍ମରୁ ବିଚ୍ୟୁତ କରିପାରିନଥିଲା। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଯୋଗଦାନ ଅତୁଳନୀୟ ରହିଥିଲା । ୧୯୧୮ରୁ ୧୯୨୦ ମଧ୍ୟରେ ଓଡ଼ିଶାରେ ଘଟିଥିବା ବନ୍ୟା, ମରୁଡ଼ି, ଦୁର୍ଭିକ୍ଷ ଓ ଅନାବୃଷ୍ଟି ତାଙ୍କୁ ମର୍ମାହତ କରିଥିଲା। ସେ ଚୁଡ଼ା, ଚାଉଳ ଧରି ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ବାଣ୍ଟିବା ସହ ମାନବ ସେବାରେ ଲାଗି ପଡ଼ିଥିଲେ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରରୋଚନାରେ ଗୋପବନ୍ଧୁ ୧୯୧୭ରୁ ୧୯୨୧ ପର୍ୟ୍ୟନ୍ତ ବିହାର-ଓଡ଼ିଶା ବିଧାନସଭାର ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ। ୧୯୨୧ ମସିହାରେ ଗୋପବନ୍ଧୁ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ। ଗୋପବନ୍ଧୁଙ୍କ ପ୍ରଚେଷ୍ଟାରେ ଓଡ଼ିଶାରେ ଜନ୍ମ ନେଇଥିଲା ଦୈନିକ ଖବରକାଗଜ ‘ସମାଜ’। ‘ଅବକାଶ ଚିନ୍ତା’, ‘ଧର୍ମପଦ’, ‘କାରା କବିତା’ ଓ ‘ବନ୍ଦୀର ଆତ୍ମକଥା’ ପ୍ରମୁଖ ଥିଲା ତାଙ୍କର ସ୍ମରଣୀୟ କାବ୍ୟକୃତି। ୧୯୨୮ ଜୁନ୍ ୧୭ରେ ପଣ୍ଡିତ ଗୋପବନ୍ଧୁ ଶେଷନିଃଶ୍ବାସ ତ୍ୟାଗ କରିଥିଲେ।

  • Related Posts

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଖୁବଶୀଘ୍ର ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଘରକୁ ଆସିବେ କୁନି ଅତିଥି । ମାଆ ହେବେ ଜାଗୃତି ଶୁକ୍ଲା । ବିବାହର ବର୍ଷେ ପରେ ଏହି ଦମ୍ପତି ଖୁସି ଖବର ଦେଇଛନ୍ତି । ନବରାତ୍ରୀର ପ୍ରଥମ ଦିନରେ ଏହି ଗୁଡ୍ ନ୍ୟୁଜ୍…

    Continue reading
    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଆନ୍ତୁ ନାହିଁ ନହେଲେ ଦୁର୍ବଳ ହେବ ଦାନ୍ତ

    ବ୍ରଶ୍‌‌ କରିବାର ତୁରନ୍ତ ପରେ ଲୋକେ କିଛି ନା କିଛି ଖାଇଥାଆନ୍ତି। ହୁଏତ ସଭିଏଁ ଜାଣିନଥିବେ ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଦାନ୍ତ ମାଢି ଉପରେ କୁପ୍ରଭାବ ପଡିବା ସହ ଦାନ୍ତ ସହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ