
ନେପାଳ ପ୍ରଳୟଙ୍କରୀ ଫ୍ଲାସ୍ ଫ୍ଲଡ୍ (ଆକସ୍ମିକ ବନ୍ୟା)ରେ ଜଣେ ଓଡ଼ିଆ ଯୁବତୀ ନିଖୋଜ ଅଛନ୍ତି। ତାଙ୍କ ନାଁ କୁଲସୁମ ନିଗାର। ତାଙ୍କ ଘର ବାରିପଦାରେ। ଏନେଇ ଓଡ଼ିଶା ପରିବାର ନୋଡାଲ ଅଧିକାରୀ ପ୍ରୀତୀଶ ପଣ୍ଡା ସୂଚନା ଦେଇଛନ୍ତି। ଏହା ସହିତ ନେପାଳ ଜଳ ପ୍ରଳୟ ଘଟଣାରେ ନିଖୋଜ ଓଡ଼ିଆଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି।
୨୦ ବର୍ଷୀୟା କୁଲସୁମ ନିଗାରଙ୍କ ଶେଷ ଲୋକେସନ୍ ଥିଲା ନେପାଳର ପୋଖରା। ଶେଷ ଥର ପାଇଁ ଅଗଷ୍ଟ ୨୫ ତାରିଖ ଦିନ ୧୧ଟା ବେଳେ ତାଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ଗତକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ସେ ଅନ୍ଲାଇନ୍ରେ ସକ୍ରିୟ ଥିଲେ।
ସୂଚନା ଅନୁଯାୟୀ, କୁଲସୁମ ନିଗାର ସେଠାକୁ ଟ୍ରେକିଂ (ପାହଡ଼ ଚଢ଼ିବା) ପାଇଁ ଯାଇଥିଲେ।
ଏହା ପୂର୍ବରୁ ଏକ ଓଡ଼ିଆ ଦମ୍ପତି ନିଖୋଜ ଥିବା ନେଇ ସୂଚନା ଆସିଥିଲା। ସେମାନେ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର ସନ୍ଦୀପ ମହାପାତ୍ର ଓ ତାଙ୍କ ପତ୍ନୀ ସିଦ୍ଧାର୍ଥୀ କୁମାରୀ ସାହୁ। ସେମାନଙ୍କ ସହ ଯୋଗାଯୋଗ ହୋଇପାରୁନଥିବାରୁ ପରିବାର ଲୋକେ ଚିନ୍ତିତ ଅଛନ୍ତି। ସନ୍ଦୀପ ମହାପାତ୍ର ଓ ସିଦ୍ଧାର୍ଥୀ କୁମାରୀ ସାହୁ ୨୨ ତାରିଖରେ ନେପାଳରେ ପହଞ୍ଚିଥିଲେ। ସେମାନେ ଖୋର୍ଦ୍ଧା ଜିଲ୍ଲାର ବାସିନ୍ଦା। କିନ୍ତୁ ୨୦୧୮ ମସିହାରୁ ଅଷ୍ଟ୍ରେଲିଆରେ ରହୁଛନ୍ତି।




