
କାଠମାଣ୍ଡୁ: ନେପାଳ ପ୍ରଳୟଙ୍କାରୀ ବନ୍ୟା ଘଟଣାରେ ମୃତ୍ୟୁ ସଂଖ୍ୟା ପଢ଼ିବାରେ ଲାଗିଛି । ନେପାଳ ଏବଂ ତିବ୍ଦତରେ ମିଳିତ ମୃତ୍ୟୁ ସଂଖ୍ୟା 691ରେ ପହଞ୍ଚିଛି । 3,000ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଚୀନ୍ କର୍ତ୍ତୃପକ୍ଷ 16 ଜଣଙ୍କର ମୃତ୍ୟୁ ଏବଂ 546 ଜଣ ନିଖୋଜ ଥିବା ସୂଚନା ଦେଇଛନ୍ତି । ସେହିପରି ନେପାଳର ବିପର୍ଯ୍ୟୟ ସଂସ୍ଥା ଶନିବାର ବିଳମ୍ବିତ ରାତିରେ କହିଛି ଯେ 2,498 ଜଣ ନିଖୋଜ ହେବା ସହିତ ମୃତ୍ୟୁ ସଂଖ୍ୟା 675ରେ ପହଞ୍ଚିଛି । ନେପାଳରେ ଏପର୍ଯ୍ୟନ୍ତ 3,700ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି ।
ନାପାଳରେ ନିଖୋଜ ଥିବା ଲୋକଙ୍କ ମଧ୍ୟରୁ 320 ବିଦେଶୀ ନାଗରିକ ଅଛନ୍ତି । ସେମାନଙ୍କ ମଧ୍ୟରୁ 167 ଜଣ ଭାରତୀୟ, 40 ଜଣ ଚୀନ, 8 ଜଣ ୟୁକ୍ରେନୀୟ, 4 ଜଣ ଜର୍ମାନୀ ଏବଂ ମାଲ୍ଟାର, 3 ଜଣ ଆମେରିକାର ଏବଂ ବାକି ତୁର୍କୀ, ପର୍ତ୍ତୁଗାଲ, ଋଷିଆ, ସ୍ପେନ୍, ସ୍ୱିଜରଲ୍ୟାଣ୍ଡ, ଇଟାଲୀ, ଓମାନ, ବେଲଜିୟମ ଏବଂ ବୁଲଗେରିଆର ନାଗରିକ ଅଛନ୍ତି । ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ 15,000ରୁ ଅଧିକ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି । ଫସି ରହିଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ଏବଂ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ପାଇଁ ହେଲିକପ୍ଟର ଗୁଡ଼ିକ ବାରମ୍ବାର ଉଡ଼ାଣ କରୁଛନ୍ତି ।
ନେପାଳ ଏବଂ ଚୀନର ତିବ୍ଦତର ବିଭିନ୍ନ ସ୍ଥାନରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନେପାଳର ରାସୁୱା ଜିଲ୍ଲାର ଉପର ତ୍ରିଶୁଲି-1 ଜଳବିଦ୍ୟୁତ ପ୍ରକଳ୍ପ ଏବଂ ଚୀନ ପାର୍ଶ୍ୱରେ ଗୁରୁତର ଭାବରେ କ୍ଷତିଗ୍ରସ୍ତ ଗାଇରୋଙ୍ଗ ସୀମା କ୍ରସିଂ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । ନେପାଳ ସେନାର ମୁଖପାତ୍ର ବ୍ରିଗେଡିୟର ଜେନେରାଲ ରାଜା ରାମ ବାସନେତ କହିଛନ୍ତି ଯେ, ଜଳବିଦ୍ୟୁତ ନିର୍ମାଣ ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେଠାରେ କାଦୁଅରେ ଭର୍ତ୍ତି ଏକ ସୁଡ଼ଙ୍ଗରେ 100ରୁ ଅଧିକ ଲୋକ ଫସି ରହିଛନ୍ତି ବୋଲି ଅନୁୁମାନ କରାଯାଇ ଉଦ୍ଧାର କରାର୍ଯ୍ୟ କରାଯାଉଛି ।




