
ଭୁବନେଶ୍ୱର: ଭୁବନେଶ୍ୱରରେ ହେବ ନ୍ୟାସନାଲ ଅର୍ବାନ କନକ୍ଲେଭ୍ (ଜାତୀୟ ସହରାଞ୍ଚଳ ସମ୍ମେଳନ) । ଆସନ୍ତା ୨୩ରୁ ୨୫ ତାରିଖ ଯାଏ ଏହି ସମ୍ମେଳନ ହେବ । ଏଥିରେ ସବୁ ମହାନଗର ନିଗମର ମେୟର ଓ କମିଶନର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ ।
ଗତବର୍ଷ ଅହମ୍ମଦାବାଦରେ ଏହି ସମ୍ମେଳନ ହୋଇଥିଲା । ଏଥର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏହାକୁ ଆୟୋଜନ କରିବେ । ସହରକୁ ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ୍ ଭାବେ ଗଢ଼ି ତୋଳିବାକୁ ଯୋଜନା ହୋଇଛି । ସମ୍ମେଳନରେ ସହରର ବିକାଶ ପାଇଁ ମାନସ ମନ୍ଥନ ହେବ । ମଲ୍ଟି ମୋଡାଲ ଟ୍ରାନ୍ସପୋର୍ଟ ଇଣ୍ଟିଗ୍ରେସନ, ସ୍ମାର୍ଟ ସିଟି ପ୍ରକଳ୍ପ, ସହରାଞ୍ଚଳର ସବୁଜିମା ବଢ଼ାଇବା, ସହରକୁ ସଂସ୍କୃତି ଓ କ୍ରୀଡ଼ାର ପ୍ରାଣକେନ୍ଦ୍ର କରିବା, ବିଶ୍ୱସ୍ତରୀୟ ଭିତ୍ତିଭୂମି ସହ ସହରୀକରଣ ହାରକୁ ବଢ଼ାଇବା ପ୍ରସଙ୍ଗରେ ଆଲୋଚନା ହେବ ।
ଏହି ସମ୍ମେଳନ ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ବିଭିନ୍ନ ସ୍ଥାନରେ ସୌନ୍ଦର୍ଯ୍ୟକରଣ କରାଯିବ । ଭୁବନେଶ୍ୱର ସ୍ମାର୍ଟ ସିଟି ଲିଃ ପକ୍ଷରୁ ଏୟାରପୋର୍ଟ ଛକରୁ ଜୟଦେବବିହାର ଯାଏ ମୋଟ ୧୫ଟି ଛକରେ ଆଡପ୍ଟିଭ୍ ଟ୍ରାଫିକ ସିଗନାଲ ସିଷ୍ଟମକୁ ପୁନଃ କାର୍ଯ୍ୟକ୍ଷମ କରାଯାଉଛି ।







