
ଭୁବନେଶ୍ବର : ପରଲୋକରେ ପୂର୍ବତନ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା। ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି। ଆଜି ତାଙ୍କର ପାର୍ଥିବ ଶରୀରକୁ କଂଗ୍ରେସ ଭବନକୁ ନିଆଯିବ । ପରେ ବିଧାନସଭାରେ ରାଜନେତାମାନେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଦେବା ପରେ ଶେଷକୃତ୍ୟ ସମ୍ପନ୍ନ ହେବ। ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ରାତି ୮ଟାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ଖବର ପାଇ କଂଗ୍ରେସ ଓ ବିଜେଡିର ବହୁ ନେତା ଏବଂ ବିଜେପିର ଅନେକ ନେତା, ମନ୍ତ୍ରୀ ତାଙ୍କ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଦେବେନ୍ଦ୍ର ଶର୍ମା ଜଣେ ଲଢୁଆ ନେତା ଭାବେ ଜିଲାରେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ। ଛାତ୍ର ଜୀବନରୁ ରାଜନୀତି କରି ଜନତା ଦଳରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ କଂଗ୍ରେସରେ ଆଳି ପଞ୍ଚାୟତ ସମିତି ଅଧ୍ୟକ୍ଷ ହୋଇଥିଲେ। ପରେ ୨୦୧୪ରୁ ୨୦୧୯ ଆଳି ବିଧାୟକ ରହିଥିଲେ। ସେ ଦୀର୍ଘ ୧୦ ବର୍ଷଧରି କେନ୍ଦ୍ରାପଡ଼ା ଜିଲା କଂଗ୍ରେସ ସଭାପତି ରହି ସଂଗଠନକୁ ସୁଦୃଢ କରିଥିଲେ। ତାଙ୍କ ବିୟୋଗରେ ଜିଲାରେ ଗଭୀର ଶୋକ ପ୍ରକାଶ ପାଇଛି। ଦେବେନ୍ଦ୍ର ଶର୍ମାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଶୋକପ୍ରକାଶ କରିଛନ୍ତି। ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେବେନ୍ଦ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଲୋକପ୍ରତିନିଧି ଭାବେ ଜନକଲ୍ୟାଣକାରୀ କାର୍ୟ୍ୟ ଏବଂ ସେବା ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ଅମର ଆତ୍ମାର ସଦ୍ଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି।







