
ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ରାଜ୍ୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ (SCERT)ର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ମଙ୍ଗଳବାର ଗିରଫ କରିଛି କ୍ରାଇମବ୍ରାଞ୍ଚ। ଦୀର୍ଘ ସମୟ ଧରି ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରାଯାଇଛି।
କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ବାର୍ତ୍ତାରେ କୁହାଯାଇଛି ଯେ ମନୋଜ କୁମାର ପାଢ଼ୀ ଶିକ୍ଷକ ଶିକ୍ଷା (TE) ଏବଂ ଏସସିଇଆରଟି (SCERT) ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ସମୟରେ ତାଙ୍କୁ ଜାତୀୟ ଶିକ୍ଷା ନୀତି (NEP-2020) ଅଧୀନରେ ପାଠ୍ୟପୁସ୍ତକ ପ୍ରସ୍ତୁତି ପ୍ରକ୍ରିୟାର ସାମଗ୍ରିକ ତତ୍ତ୍ୱାବଧାନ, ସମନ୍ୱୟ, ଅନୁଧ୍ୟାନ ଓ ଅନୁମୋଦନ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ସେ ସାଧୁତାର ସହିତ ନିଜର ସରକାରୀ କର୍ତ୍ତବ୍ୟ ସଠିକ୍ ଭାବେ ସମ୍ପାଦନ କରିବାରେ ବିଫଳ ହୋଇଥିଲେ। ପାଠ୍ୟପୁସ୍ତକଗୁଡ଼ିକର ତଥ୍ୟଗତ, ବୈଜ୍ଞାନିକ, ଭୌଗୋଳିକ, ଅନୁବାଦ ଏବଂ ଚିତ୍ରାତ୍ମକ ବିଷୟବସ୍ତୁଗୁଡ଼ିକର ସଠିକ୍ ଯାଞ୍ଚ ନକରି ମୁଦ୍ରଣ ପାଇଁ ପ୍ରସ୍ତୁତ ପାଣ୍ଡୁଲିପି (ପ୍ରିଣ୍ଟ-ରେଡି ମାନ୍ୟୁସ୍କ୍ରିପ୍ଟ) କୁ ଜାଣିଶୁଣି ଅନୁମୋଦନ କରିବା ସହ ପ୍ରକାଶନ ପାଇଁ ପଠାଇଥିଲେ, ଯାହାକି ଏକ ଅପରାଧିକ ଅବହେଳା ଅଟେ। ତାଙ୍କର ଏଭଳି କାର୍ଯ୍ୟ ଏବଂ ତ୍ରୁଟି ଯୋଗୁ ଭୁଲ୍ ତଥ୍ୟ ଥିବା ପାଠ୍ୟପୁସ୍ତକଗୁଡ଼ିକ ପ୍ରକାଶିତ ହୋଇଥିଲା ଓ ସେଗୁଡ଼ିକୁ ବଣ୍ଟନ କରାଯାଇଥିଲା। ଏହାଦ୍ୱାରା ରାଜ୍ୟ କୋଷାଗାରକୁ ପ୍ରାୟ ୧୭୫ କୋଟି ଟଙ୍କାର ଅଯଥା କ୍ଷତି ସହିବାକୁ ପଡ଼ିଥିଲା।ପ୍ରାଥମିକ ତଦନ୍ତରୁ ମନୋଜ ପାଢ଼ୀଙ୍କ ବିରୋଧରେ ମିଳିଥିବା ପ୍ରମାଣ ଆଧାରରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS), ୨୦୨୩ ର ଧାରା ୩୧(୫), ୨୦୧, ୬୧(୨) ଏବଂ ୩(୫)ରେ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ଗତକାଲି କ୍ରାଇମବ୍ରାଞ୍ଚ ପକ୍ଷରୁ ବିଧିବଦ୍ଧ ଭାବେ ମାମଲା ରୁଜୁ କରାଯାଇଥିଲା। ଏସସିଇଆରଟିର ନିର୍ଦ୍ଦେଶକ ମଧୁସ୍ମିତା ସାହୁଙ୍କ ଲିଖିତ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା।




