ପାଣି ପଞ୍ଚାୟତ ଗୁଡିକର ନିର୍ବାଚନ ଓ ଅଡିଟ୍ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର ; ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ବରମୁଣ୍ଡା ଖେଳ ପଡିଆ ଠାରେ ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦ୍‌ଯାପନ ଅବସରରେ ପାଣି ପଞ୍ଚାୟତ ଗୁଡିକର ନିୟମ ଅନୁଯାୟୀ ନିର୍ବାଚନ ଓ କାଗଜ ପତ୍ର ଅଡିଟ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ପାଣି ପଞ୍ଚାୟତ ଗୁଡିକୁ ସଶକ୍ତ କରି ଏଗୁଡିକୁ କୃଷି ବିପଣନ କେନ୍ଦ୍ର ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜଳସେଚନ ଏବଂ କୃଷି ବୈଜ୍ଞାନିକଙ୍କ ଗବେଷଣା ସହିତ ଚାଷୀ ଭାଇମାନଙ୍କ ପରିଶ୍ରମ ଯୋଗୁ ଆଜି ଆମେ ୧୪୦ କୋଟି ଲୋକଙ୍କୁ ଖାଦ୍ୟ ଯୋଗାଇ ପାରୁଛୁ ଏବଂ ବିଦେଶକୁ ମଧ୍ୟ ରପ୍ତାନୀ କରିପାରୁଛୁ । ଏଥିପାଇଁ ଚାଷୀର ଜମିକୁ ଜଳଯୋଗାଣ ଅତ୍ୟନ୍ତ ଆବଶ୍ୟକ । ତେଣୁ, ଜଳସେଚନର ସମସ୍ତ ପ୍ରକଳ୍ପ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ମୁଖ୍ୟମନ୍ତ୍ରୀ କହିଲେ ଯେ, ରାଜ୍ୟର କୃଷକମାନଙ୍କ ଜମିକୁ ପାଣି ଯୋଗାଇଦେବା ପାଇଁ ନୂଆ ଫିଲ୍ଡ ଚ୍ୟାନେଲ ନିର୍ମାଣ ସହିତ ପୁରୁଣା ଚ୍ୟାନେଲ ଗୁଡିକୁ କଂକ୍ରିଟ୍ ଚ୍ୟାନେଲରେ ପରିଣତ କରିବା ପାଇଁ ନିଷ୍ପତ୍ତି ହୋଇଛି । ଚଳିତ ବର୍ଷରୁ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ ୮୦ ହଜାର ହେକ୍ଟର ଜଳସେଚିତ ଅଞ୍ଚଳରେ ୨୪୦୦ କିଲୋମିଟର ନୂତନ କଂକ୍ରିଟ୍ କରନାଳୀ ନିର୍ମାଣ କରାଯିବ । ଏହା ସହିତ ୬୨ହଜାର ହେକ୍ଟର ଜଳସେଚିତ ଅଞ୍ଚଳରେ ୧୮୬୦ କିଲୋମିଟର ଅତି ପୁରୁଣା ଓ ଜରାଜୀର୍ଣ୍ଣ କ୍ଷେତ୍ରନାଳୀକୁ କଂକ୍ରିଟ ନାଳୀରେ ପୁନଃନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜଳର ସୁବ୍ୟବହାର, ଜଳ ବଣ୍ଟନରେ ସମତା ଏବଂ ଚାଷୀର ଜମିକୁ ପର୍ୟ୍ୟାପ୍ତ ଜଳ ସେଚନର ବ୍ୟବସ୍ଥା ସୁନିଶ୍ଚିତ କରିବା ଆମର ପ୍ରାଥମିକତା । ଏ ଦିଗରେ ପାଣି ପଞ୍ଚାୟତର ବଡ ଭୂମିକା ରହିଛି । ରାଜ୍ୟରେ ବର୍ତ୍ତମାନ ୩୯ ହଜାର ରୁ ଅଧିକ ପାଣି ପଞ୍ଚାୟତ ଜଳ ପରିଚାଳନାର ନେତୃତ୍ୱ ନେଉଛନ୍ତି । ଏହା ଦ୍ୱାରା ଜଳ ପରିଚାଳନାରେ ସମସ୍ତଙ୍କର ସହଭାଗିତା ରହିପାରୁଛି ଓ ଜଳର ଅପଚୟ ମଧ୍ୟ ରୋକା ଯାଇ ପାରୁଛି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ଜଳ ସମ୍ପଦର ବିକାଶ ପାଇଁ ଚଳିତ ବର୍ଷର ବଜେଟରେ ୧୩,୨୨୩ କୋଟି ରୁ ଅଧିକ ଟଙ୍କା ପ୍ରାବଧାନ କରାଯାଇଛି । ଚଳିତ ବଜେଟରେ ନୟାଗଡ ଜିଲ୍ଲାରେ ବୃତଙ୍ଗ ଜଳସେଚନ ପ୍ରକଳ୍ପ, ଗଂଜାମ ଜିଲ୍ଲାର ପିପଳପଙ୍କ ପ୍ରକଳ୍ପ, ବଲାଙ୍ଗିର ଜିଲ୍ଲାର ଉପର ଲାନ୍ଥ ଜଳସେଚନ ପ୍ରକଳ୍ପ, ଅନୁଗୁଳ ଜିଲ୍ଲାର ସମାକୋଇ ବ୍ୟାରେଜ ପ୍ରକଳ୍ପ, ବରଗଡ ଜିଲ୍ଲାରେ ୩ଟି ଓ ନୂଆପଡା ଜିଲ୍ଲାର ୭ଟି ଉଠାଜଳସେଚନ ପ୍ରକଳ୍ପ, କଳାହାଣ୍ଡି ଜିଲ୍ଲାରେ ୩ଟି ଓ ନୂଆପଡା ଜିଲ୍ଲାରେ ୨ଟି ଏମ.ଆଇ.ପି., କଳାହାଣ୍ଡି, ବଲାଙ୍ଗିର, ବରଗଡ ଓ ନୂଆପଡା ଜିଲ୍ଲାରେ ୩୫୯ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ଏବଂ ୧୧,୮୮୬ ଗଭୀର ନଳକୂପ ପ୍ରକଳ୍ପ ଆରମ୍ଭ କରିବା ପ୍ରକ୍ରିୟା ତ୍ୱାରାନ୍ୱିତ ହୋଇଛି । ବିଭାଗୀୟ ମନ୍ତ୍ରୀ ଭାବେ ମୁଁ ବ୍ୟକ୍ତିଗତ ଭାବେ ଏହି ସବୁ ପ୍ରକଳ୍ପକୁ ସମୀକ୍ଷା କରୁଛି ବୋଲି ସେ କହିଥିଲେ ।

ସେ ପୁଣି କହିଥିଲେ ଯେ, କୃଷି କାର୍ୟ୍ୟରେ ବୈପବ୍ଳିକ ପରିବର୍ତ୍ତନର ଲକ୍ଷ୍ୟ ରଖି ଆମ ସରକାର ଜଳ ପରିଚାଳନା କ୍ଷେତ୍ରରେ ଟେକ୍‌ନୋଲୋଜିର ବ୍ୟାପକ ବ୍ୟବହାର ପାଇଁ ପଦକ୍ଷେପ ନେଇଛନ୍ତି । ଡିଜିଟାଲ ଟେକ୍‌ନୋଲୋଜିର ବ୍ୟବହାର କରି ମାଟିର ଆଦ୍ରତା ନିରୁପଣ ପ୍ରଣାଳୀ ବିକଶିତ କରାଯିବ ।
ଉପସ୍ଥିତ କୃଷକମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୃଷକମାନେ ହେଉଛନ୍ତି ରାଜ୍ୟ ବିକାଶର ମୂଳ ସୂତ୍ରଧର । ସେମାନେ ସମସ୍ତଙ୍କ ମୁହଁରେ ଆହାର ଯୋଗାଉଛନ୍ତି । ସେଥିପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଆପଣମାନଙ୍କୁ ଅନ୍ନଦାତା ଭାବେ ସମ୍ମାନିତ କରି ଆସିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷକ କଲ୍ୟାଣ ପାଇଁ ଅନେକ ଯୋଜନା କାର୍ୟ୍ୟକାରୀ କରୁଛନ୍ତି । ରାଜ୍ୟରେ କୃଷିର ବିକାଶ ପାଇଁ ଚଳିତ ବର୍ଷ କୃଷି ବଜେଟରେ ୩୩ ହଜାର ୯୧୯ କୋଟି ଟଙ୍କା ପ୍ରାବଧାନ କରାଯାଇଛି । କୃଷକମାନଙ୍କ ସୁଖଦୁଃଖରେ ଆମ ସରକାର ଅଛନ୍ତି । ଅଦିନିଆ ବର୍ଷାକୁ ଏକ ବିପର୍ୟ୍ୟୟ ଭାବେ ଗ୍ରହଣ କରି ଆମ ସରକାର କ୍ଷତିଗ୍ରସ୍ତ ଚାଷୀମାନଙ୍କ ପାଇଁ ୨୯୧ କୋଟି ରୁ ଅଧିକ ଟଙ୍କା ସହାୟତା ଯୋଗାଇଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ୬.୬୬ ଲକ୍ଷ ଚାଷୀ ଏହି ସହାୟତା ପାଇବେ ।

ପରିଶେଷରେ ମୁଖ୍ୟମନ୍ତ୍ରୀ କହିଲେ ଯେ, କୃଷକମାନେ ସମୃଦ୍ଧ ହେଲେ, ଓଡିଶା ସମୃଦ୍ଧ ହେବ। ତେଣୁ ରାଜ୍ୟର ବିକାଶ ପାଇଁ, କୃଷି କ୍ଷେତ୍ରର ବିକାଶ ପାଇଁ ଆମର ସବୁ କାର୍ୟ୍ୟକ୍ରମରେ ଚାଷୀ ଭାଇମାନଙ୍କୁ ସାମିଲ ହେବାକୁ ସେ ନିବେଦନ କରିଥିଲେ ।

ଏହି ଅବସରରେ ନିଜର ଅଭିଭାଷଣ ରଖି ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଲେ ଯେ, ଓଡିଶା ସରକାର ଚାଷୀମାନଙ୍କ ସହ ଅଛନ୍ତି ଏବଂ ସେମାନଙ୍କୁ ଆଗକୁ ବଢିବା ପାଇଁ ପର୍ୟ୍ୟାପ୍ତ ବ୍ୟବସ୍ଥା କରୁଛନ୍ତି । ଚାଷୀମାନଙ୍କ ଉତ୍ପାଦନ ପାଇଁ ମାର୍କେଟ ଲିଂକେଜ୍ ଦେବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଉଛି । ସମସ୍ତେ ପାଣିର ଉଚିତ୍ ବ୍ୟବହାର କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ଉନ୍ନୟନ କମିଶନର ଅନୁ ଗର୍ଗ କହିଥିଲେ ଯେ, ପାଣି ପଞ୍ଚାୟତରେ ଏବେ ବହୁ ସଂଖ୍ୟାରେ ମହିଳାମାନେ ନେତୃତ୍ୱ ନେଉଛନ୍ତି ଏବଂ ଖୁବ୍ ଭଲ କାମ କରୁଛନ୍ତି । ତେଣୁ, ଆମର ଫୋକସ୍ ହେଉଛି ପାଣି ପଞ୍ଚାୟତରେ ଅଧିକରୁ ଅଧିକ ମହିଳାମାନଙ୍କୁ ଯୋଡିବା । ଓଡିଶାର ପାଣି ପଞ୍ଚାୟତ କାର୍ୟ୍ୟକ୍ରମ ଉପରେ ବିଭିନ୍ନ ରାଜ୍ୟର ଆଗ୍ରହ ବୃଦ୍ଧି ପାଇଛି । ତେଣୁ, ସମସ୍ତେ ମିଶି ଭଲ କାମ କଲେ ଜାତୀୟ ସ୍ତରରେ ଓଡିଶାର ପ୍ରସିଦ୍ଧି ଆହୁରି ବୃଦ୍ଧି ପାଇବ ବୋଲି ସେ କହିଥିଲେ ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢୀ ଏବଂ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢୀ ଅଭିଭାଷଣ ରଖିଥିଲେ ।

ଏହି ଅବସରରେ ଢେଙ୍କାନାଳର ଗୋଟିଏ ପାଣି ପଞ୍ଚାୟତର ସଫଳ ମହିଳା ଚାଷୀ ସଶ୍ମିତା ନାୟକ ଏବଂ କେନ୍ଦୁଝର ଜିଲ୍ଲା ପାଣି ପଞ୍ଚାୟତର ସଫଳ ଚାଷୀ ବଗଲ ଚରଣ ବ୍ରହ୍ମା ପାଣି ପଞ୍ଚାୟତର ସଫଳତା ବିଷୟରେ ନିଜର ଅନୁଭୁତି ବର୍ଣ୍ଣନା କରିଥିଲେ ।

ମୁଖ୍ୟମନ୍ତ୍ରୀ ସେଚ ସହଭାଗୀତା ୩.୦ ନାମକ ଏକ କଫି ଟେବଲ୍ ବହିର ଉନ୍ମୋଚନ କରିଥିଲେ । ଏହି ଅବସରରେ ସହଭାଗୀ ସେଚ ସମ୍ପର୍କରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ କରାଯାଇଥିଲା । କୃତୀ ବିଦ୍ୟାର୍ଥୀ, ସଫଳ ଚାଷୀ, ସଫଳ ପାଣି ପଞ୍ଚାୟତ ଓ ଦକ୍ଷ ଅଧିକାରୀମାନଙ୍କୁ ସମ୍ମାନିତ କରାଯାଇଥିଲା ।

  • Related Posts

    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading
    ‘ମହାପ୍ରଭୁ ଜଗନ୍ନାଥ’ ଫିଲ୍ମ ମାମଲାର ଆଜି ଶୁଣାଣି

    ଆଜି ହାଇକୋର୍ଟରେ ‘ମହାପ୍ରଭୁ ଜଗନ୍ନାଥ’ ଆନିମେଟେଡ୍ ଫିଲ୍ମ ମାମଲାର ଶୁଣାଣି ହେବ। ଏହା ପୂର୍ବରୁ ଗତକାଲି ରାଜ୍ୟ ଅତିଥି ଭବନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ଆଇନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଏଜି ପୀତାମ୍ବର ଆଚାର୍ଯ୍ୟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ