
ଦେବଗଡ଼:ସରକାର ସୁଲଭ ଦରରେ ସହର ଓ ମେଡିକାଲକୁ ଆସୁଥିବା ଗରିବ ଲୋକମାନଙ୍କ ପାଇଁ ଆରମ୍ଭ କରିଥିଲେ ଆହାର କେନ୍ଦ୍ର। କିନ୍ତୁ ଆଜି ପାଣି ପମ୍ଫ ଅଚଳ ହୋଇଯାଇଥିବାରୁ ପୌରାଚଂଳର ପୁରୁଣା ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ଥିବା ଆହାର କେନ୍ଦ୍ରରେ ପାଣିର ସମସ୍ୟା ଯୋଗୁଁ ଦିନ ବେଳ ରୋଷେଇ ବନ୍ଦ ରହିଥିଲା। ଯାହା ଫଳରେ ଆଜି ଆହାର କେନ୍ଦ୍ରକୁ ଖାଇବାକୁ ଆସୁଥିବା ଲୋକମାନେ ନିରାଶ ହୋଇ ଫେରିଥିଲେ। ସୂଚନା ଅନୁଯାୟୀ, ଗତକାଲି ଠାରୁ ଆହାର କେନ୍ଦ୍ରର ପାଣି ପମ୍ଫ ଅଚଳ ହୋଇଯାଇଥିଲା। ଏ ସଂପର୍କରେ ଆହାର କେନ୍ଦ୍ର ପରିଚାଳନା ଦାୟିତ୍ୱରେ ଥିବା ଜୟ ମା ସନ୍ତୋଷୀ ଏସଏଚଜି ଗ୍ରୁପର ସଦସ୍ୟମାନେ ପୌର କର୍ତ୍ତୁପକ୍ଷଙ୍କୁ ସୂଚନା ଦେବା ସହ ପାଣି ଟ୍ୟାଙ୍କର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଥିଲେ।କିନ୍ତୁ ଏନେଇ ପୌର କର୍ତ୍ତୁପକ୍ଷ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ଆଜି ମଧ୍ୟ ଜୟ ମା ସନ୍ତୋଷୀ ଏସଏଚଜି ଗ୍ରୁପର ସଦସ୍ୟାମାନେ ଆବଶ୍ୟକୀୟ ପନିପରିବା କାଟି ରୋଷେଇ ପାଇଁ ପ୍ରସ୍ତୁତି ହୋଇ ସାରିଥିବା ବେଳେ ପାଣି ଅଭାବ କାରଣରୁ ରୋଷେଇ କରି ପାରି ନ ଥିଲେ l ତେବେ ଉକ୍ତ ଆହାର କେନ୍ଦ୍ରରେ ଦିନ ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ୨୦୦ଟି ମିଲ ଓ ସାଧାରଣ ଲୋକମାନଙ୍କ ପାଇଁ ୨୫୦ଟି ମିଲ ପ୍ରସ୍ତୁତ କରାଯାଇଥାଏ।କିନ୍ତୁ ଆଜି ପୌର କର୍ତ୍ତୁପକ୍ଷଙ୍କ ଦାୟିତ୍ବହୀନତା ଯୋଗୁଁ ଆହାର କେନ୍ଦ୍ରରେ ପାଣି ପାଇଁ ରୋଷେଇ ହୋଇପାରିନଥିଲା। ବର୍ତ୍ତମାନ ଗଣେଶ ପୂଜା ଚାଲିଥିବାବେଳେ ଗ୍ରାମାଞ୍ଚଳରୁ ଆସୁଥିବା ଗରିବ ଲୋକମାନେ ଆହାର କେନ୍ଦ୍ର ଉପରେ ଭରସା କରୁଥିବାବେଳେ ଆଜି ପାଣି ସମସ୍ୟା ଯୋଗୁଁ କେନ୍ଦ୍ରରେ ରୋଷେଇ ହୋଇପାରିନଥିଲା। ଯାହା ଫଳରେ ଲୋକମାନଙ୍କୁ ନିରାଶ ହୋଇ ଫେରିବାକୁ ପଡିଥିଲା।ଏସଂପର୍କରେ ପୌର ନିର୍ବାହୀ ଅଧିକାରୀ କଳିଙ୍ଗ ଆଶିଷ ଶତପଥିଙ୍କୁ ଯୋଗାଯୋଗ କରିବାରୁ ପାଣି ପମ୍ଫ ଅଚଳ ହୋଇଯାଇଥିବା ଯୋଗଁୁ ଦିନ ବେଳେ ରୋଷେଇ ହୋଇପାରିନଥିଲା ଏବଂ ପାଣି ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି ରାତି ସମୟରେ ମିଲ ପ୍ରସ୍ତୁତ ହେବ ବୋଲି ସୂଚନା ଦେଇଛନ୍ତି।







