
ଭୁବନେଶ୍ୱର: ଓମଫେଡ କ୍ଷୀରର ଦର ବୃଦ୍ଧି ଏବଂ ଗୋ-ଖାଦ୍ୟ ଦର ବଢ଼ିବାର ପ୍ରଭାବ ଏବେ ଛେନା ଓ ପନିର ଉପରେ ପଡ଼ିଛି। ଏହି ଦୁଗ୍ଧଜାତ ଦ୍ରବ୍ୟର ମୂଲ୍ୟ ପୁଣି ଥରେ ବୃଦ୍ଧି କରିବାକୁ ରାଜଧାନୀ ଦୁଗ୍ଧଜାତ ବ୍ୟବସାୟୀ ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସଂଘ ପକ୍ଷରୁ ଜାରି ପ୍ରେସ ଇସ୍ତାହାର ଅନୁସାରେ, ପରିବର୍ତ୍ତିତ ଦର୧୫ ଅଗଷ୍ଟ ୨୦୨୬ରୁ ଲାଗୁହେବ।
ପ୍ରେସ ଇସ୍ତାହାରରେ କୁହାଯାଇଛି ଯେ, ଓମ୍ଫେଡ୍ କ୍ଷୀରର ଦର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହେବା ଫଳରେ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀଙ୍କ ଉପରେ ଆର୍ଥିକ ଚାପ ବଢ଼ିଛି। କ୍ଷୀର ସଂଗ୍ରହ ପାଇଁ ଲିଟର ପ୍ରତି ଅଧିକ ମୂଲ୍ୟ ଦେବାକୁ ପଡ଼ୁଥିବା ବେଳେ ଗୋ-ଖାଦ୍ୟର ଦର ବୃଦ୍ଧି ମଧ୍ୟ ଖର୍ଚ୍ଚ ବଢ଼ାଇ ଦେଇଛି।
ଏହି ସବୁ କାରଣରୁ ଛେନା ଓ ପନିର ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଥିବା ଦର୍ଶାଇଛି ସଂଘ। ଫଳରେଛେନା କେଜି ପ୍ରତି ୨୦ ଟଙ୍କା ଏବଂ ପନିର କେଜି ପ୍ରତି ୩୦ ଟଙ୍କାଅଧିକ ଦର ଧାର୍ଯ୍ୟ କରାଯାଇଛି। ସଂଘର ସାଧାରଣ ସଭାର ଅନୁମୋଦନ ପରେ ଏହି ନୂଆ ଦର ନିର୍ଦ୍ଧାରଣ କରାଯାଇଥିବା ପ୍ରେସ ଇସ୍ତାହାରରେ ଉଲ୍ଲେଖ ରହିଛି।
ସଂଘ ପକ୍ଷରୁ କୁହାଯାଇଛି ଯେ, ପରିବର୍ତ୍ତିତ ପରିସ୍ଥିତିରେ ବ୍ୟବସାୟୀମାନଙ୍କ ଉପରେ ବଢ଼ୁଥିବା ଆର୍ଥିକ ଚାପକୁ ଦୃଷ୍ଟିରେ ରଖି ଏହି ମୂଲ୍ୟ ସଂଶୋଧନ କରାଯାଇଛି। ନୂଆ ଦର୧୫ ଅଗଷ୍ଟରୁକାର୍ଯ୍ୟକାରୀ ହେବ।
ଏହି ନିଷ୍ପତ୍ତି ଫଳରେ ଆଗାମୀ ଦିନରେ ଛେନା ଓ ପନିର କିଣୁଥିବା ଗ୍ରାହକଙ୍କୁ ଅଧିକ ଦାମ ଦେବାକୁ ପଡ଼ିବ। ବିଶେଷକରି ମିଠା ଦୋକାନ, ହୋଟେଲ ଓ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟ ସହ ଜଡ଼ିତ ବ୍ୟବସାୟୀଙ୍କ ଉପରେ ଏହାର ପ୍ରଭାବ ପଡ଼ିପାରେ।




