ପୋଲିସ ବାହିନୀ ପାଇଁ ‘SMART POLICING’ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ଠାରେ ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁଇ ବର୍ଷର କଠୋର ଇନ୍‌ଡୋର ଓ ଆଉଟ୍‌ଡୋର ପ୍ରଶିକ୍ଷଣ ସଫଳତାର ସହ ସମ୍ପୂର୍ଣ୍ଣ କରିଥିବା ୩୩୬ ଜଣ ନବନିଯୁକ୍ତ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ବ୍ୟାଚ୍‌ରେ ୭୦ ଜଣ ମହିଳା ସବ୍-ଇନ୍ସପେକ୍ଟର ସାମିଲ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହ ଏହା ଓଡ଼ିଶାର ନାରୀ ସଶକ୍ତିକରଣ ଓ ପରିବର୍ତ୍ତିତ ସାମାଜିକ ଚିତ୍ରର ଏହା ଏକ ଉଜ୍ଜ୍ୱଳ ପ୍ରତିଫଳନ ବୋଲି କହିଛନ୍ତି ।

ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜିର ଏହି ଦିନଟି କେବଳ ଏକ ଔପଚାରିକ ପରେଡ଼ ନୁହେଁ, ବରଂ ନିଷ୍ଠା, ଶୃଙ୍ଖଳା, ତ୍ୟାଗ ଓ ଉତ୍କର୍ଷର ଉତ୍ସବ । ପୋଲିସ ପୋଷାକ କେବଳ ଏକ ୟୁନିଫର୍ମ ନୁହେଁ, ଏହା ସମ୍ବିଧାନ ପ୍ରଦତ୍ତ କ୍ଷମତା ଓ ସମାଜ ସେବାର ଗୁରୁଦାୟିତ୍ୱ ବହନ କରେ । ବର୍ଦ୍ଦି ଦେଉଥିବା କ୍ଷମତାର ସଦୁପଯୋଗ କରି ପ୍ରତ୍ୟେକ ଅଧିକାରୀ ସମାଜର ଦୁର୍ବଳ ଶ୍ରେଣୀକୁ ନ୍ୟାୟ ପ୍ରଦାନ କରିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଥିଲେ ।

ଆଧୁନିକ ଅପରାଧ, ଟେକ୍ନୋଲୋଜିର ବ୍ୟବହାର ଓ ସାଇବର ଠକେଇର ମୁକାବିଲା ପାଇଁ ଓଡ଼ିଶା ପୋଲିସ ନିଜକୁ ନିରନ୍ତର ଅପ୍‌ଡେଟ୍ କରୁଥିବାରୁ ସେ ସନ୍ତୋଷ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦକ୍ଷ ପରିଚାଳନାରେ ରାଜ୍ୟରୁ ମାଓ ଓ ନକ୍ସଲ ହିଂସା ସମ୍ପୂର୍ଣ୍ଣ ଦମନ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଆଗାମୀ ଦଶ ବର୍ଷ ମଧ୍ୟରେ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଶିଳ୍ପାୟନ ଏବଂ ଶାନ୍ତି-ଶୃଙ୍ଖଳା ଅପରିହାର୍ଯ୍ୟ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ପୋଲିସ ବିଭାଗର ଆଧୁନିକୀକରଣ ଓ ମାନବ ସମ୍ବଳ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ପୋଲିସ ବିଭାଗରେ ୧୭,୭୯୪ଟି ନୂତନ ପଦବୀ ସୃଷ୍ଟି କରାଯିବା ସହ ୫,୮୧୭ଟି ପଦବୀ ପୂରଣ କରାଯାଇଛି ଏବଂ ଥାନାଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଯାନବାହାନ ଓ ଇନ୍ଧନ ଭତ୍ତା ପ୍ରଦାନ କରାଯାଉଛି । ଏହା ସହିତ ୨୦୨୯ ସୁଦ୍ଧା ଓଡ଼ିଶାକୁ ‘ନିଶାମୁକ୍ତ ରାଜ୍ୟ’ରେ ପରିଣତ କରିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ସେ ଦୋହରାଇଛନ୍ତି ।

ପୋଲିସ ବାହିନୀକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ SMART POLICING ନୀତି ଆପଣାଇବାକୁ ଆହ୍ୱାନ ଦେବା ସହ ନବନିଯୁକ୍ତ ଅଧିକାରୀମାନଙ୍କୁ ତିନୋଟି ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । ସରକାରଙ୍କ ‘ଶୂନ୍ୟ ସହନଶୀଳତା’ ନୀତିକୁ ଆଧାର କରି ଦୁର୍ନୀତିରୁ ସମ୍ପୂର୍ଣ୍ଣ ଦୂରେଇ ରହିବା, ୟୁନିଫର୍ମ ସର୍ଭିସରେ ସର୍ବୋଚ୍ଚ ଶୃଙ୍ଖଳା ବଜାୟ ରଖିବା ଏବଂ କ୍ଷମତାର ଅପବ୍ୟବହାର ନକରି ନିର୍ଦ୍ଦୋଷଙ୍କୁ ସୁରକ୍ଷା ଓ ଅପରାଧୀଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି । କୌଣସି ଅପରାଧୀ ଯେପରି ଖସି ନଯାଆନ୍ତି ଏବଂ ଜଣେ ହେଲେ ନିର୍ଦ୍ଦୋଷ ଯେପରି ହଇରାଣ ନହୁଅନ୍ତି, ସେଥିପ୍ରତି ସଜାଗ ରହି ‘ସେବା ଓ ସୁରକ୍ଷା’ ମନ୍ତ୍ରରେ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଦୀକ୍ଷାନ୍ତ ସମାରୋହରେ ବିଭିନ୍ନ ବିଭାଗରେ ଉତ୍କର୍ଷ ହାସଲ କରିଥିବା କୃତୀ କ୍ୟାଡେଟ୍‌ମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ । ଏଥିରେ ପି. ନଳିନୀ ରାଓଙ୍କୁ ସର୍ବାଧିକ ନମ୍ବର ହାସଲ କରି ରାଜ୍ୟପାଳଙ୍କ ପଦକ, ଟ୍ରଫି ସହ ୧୦,୦୦୦ ଟଙ୍କାର ନଗଦ ପୁରସ୍କାର ରାଶି ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ । ଏଥି ସହ ତେଜସ୍ୱିନୀ ମହନ୍ତରାୟ, ଯୁଧିଷ୍ଠିର ବେହେରା, ଲକ୍ଷ୍ମଣ କୁମାର ମହନ୍ତ, ସସ୍ମିତା ଖୁଣ୍ଟିଆ, ନିହାରିକା ତ୍ରିପାଠୀ ଓ ଆଶୁତୋଷ ନାୟକଙ୍କୁ ପୋଲିସ ପ୍ରଶିକ୍ଷଣରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ମୁଖ୍ୟମନ୍ତ୍ରୀ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ ।

ସମାରୋହରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର କହିଛନ୍ତି ଯେ ପୋଲିସ ଅଧିକାରୀମାନେ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ କାର୍ଯ୍ୟ କରିବା ଉଚିତ। ପୋଲିସ ସେବାରେ ଅନେକ ସମସ୍ୟା ଓ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲେ ମଧ୍ୟ, ସେମାନଙ୍କୁ ସମ୍ପୂର୍ଣ୍ଣ ସାହସିକତା, ନିଷ୍ଠା ଓ ସାଧୁତାର ସହିତ ନିଜର ଦାୟିତ୍ୱ ତୁଲାଇବାକୁ ହେବ। ଏହା ସହିତ ସାଇବର ଅପରାଧ ଭଳି ଆଧୁନିକ ସମସ୍ୟାର ମୁକାବିଲା କରିବା ପାଇଁ ପ୍ରଯୁକ୍ତିବିଦ୍ୟା ଏବଂ ସ୍ମାର୍ଟ ପୋଲିସିଂ ବ୍ୟବସ୍ଥାର ଉପଯୋଗ କରିବା ଜରୁରୀ ଅଟେ। ନକ୍ସଲ ବିରୋଧୀ ଅଭିଯାନ କ୍ଷେତ୍ରରେ ଓଡ଼ିଶା ପୋଲିସ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହି ଅସାଧାରଣ କୃତିତ୍ୱ ଓ ସଫଳତା ପାଇଁ ସେ ସମଗ୍ର ଓଡ଼ିଶା ପୋଲିସ ବାହିନୀକୁ ଧନ୍ୟବାଦ ଜଣାଇଛନ୍ତି।

ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ତଥା ପୋଲିସ ମହାନିରୀକ୍ଷକ ଶ୍ରୀ ଅନୁପ କୁମାର ସାହୁ ସ୍ୱାଗତ ଅଭିଭାଷଣ ଦେବା ସହ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ ।

ଏହି ଦୀକ୍ଷାନ୍ତ ସମାରୋହରେ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ, ଇନ୍‌ଡୋର ଓ ଆଉଟ୍‌ଡୋର ପ୍ରଶିକ୍ଷକବୃନ୍ଦ, ନବନିଯୁକ୍ତ କ୍ୟାଡେଟ୍‌ମାନଙ୍କ ଅଭିଭାବକ ଓ ପରିବାର ସଦସ୍ୟ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ