
ଦେବଗଡ: ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ପରା ପଞ୍ଚାୟତ ଅନ୍ତର୍ଗତ ଲୁହରାକୋଟ ଗ୍ରାମର ସୁଲୋଚନା ବେହେରା (୭୧)ଙ୍କ ଟିକିରା ନଦୀରେ ଭାସିଯାଇ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ସୁଲୋଚନା ଶୁକ୍ରବାର ମଧ୍ୟାହ୍ନରେ ଲୁହରାକୋଟ ନଦୀ ଘାଟକୁ ଗାଧୋଇବାକୁ ଯାଇ ଆଉ ଫେରି ନଥିଲେ। ପରିବାର ଲୋକ ଖୋଜାଖୋଜି କରିଥିଲେ ବି ପାଇ ନ ଥିଲେ। ମାତ୍ର ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ଘଣ୍ଟିଆନାଳି ନଦୀଘାଟରେ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ କଣିହାଁ ଥାନାକୁ ଜଣାଇଥିଲେ। କଣିହାଁ ଥାନା ପୁଲିସ ପହଞ୍ଚି ଶବ ଜବତ କରି ତାଳଚେର ମେଡିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ପରିବାର ଲୋକ ପହଞ୍ଚି ଶବକୁ ଚିହ୍ନଟ କରିଛନ୍ତି।








