
ଭୁବନେଶ୍ୱର: ସୁଜତା କାର୍ତ୍ତିକେୟନ ବିଜୁ ଜନତା ଦଳରେ ମିଶିବା ପରେ ଏବେ ଦଳର ବରିଷ୍ଠ ନେତାଙ୍କ ମେଳି ଆରମ୍ଭ ହୋଇଯାଇଛି । ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ଭୂପିନ୍ଦର ସିଂ ମଧ୍ୟରେ ଭେଟଘାଟ ହୋଇଛି । ଶ୍ରୀ ସିଂ ଶନିବାର ଶ୍ରୀ ଆଚାର୍ଯ୍ୟଙ୍କ ଭୁବନେଶ୍ୱରସ୍ଥିତ ବାସଭବନକୁ ଆସି ଆଲୋଚନା କରିଥିବା ଜଣାଯାଇଛି । ଉଭୟ ନେତା ସୁଜାତାଙ୍କ ମିଶ୍ରଣ ପର୍ବରେ ଅନୁପସ୍ଥିତ ଥିଲେ । ଏହି ଅବସରରେ ସୁଜାତା ଦୁଇ ବର୍ଷ ଆଗରୁ ମିଶିବାର ଥିଲା ବୋଲି ଶ୍ରୀ ସିଂ କହିଛନ୍ତି । ତେବେ ମୋତେ ଫୋନ କରିଥିଲେ କି, ଡାକିଥିଲେ କି ବୋଲି ଓଲଟା ପ୍ରଶ୍ନ କରିଛନ୍ତି ଶ୍ରୀ ସିଂ । ଅନ୍ୟପକ୍ଷରେ ସବୁ ଘଟଣାରେ ସମସ୍ତଙ୍କ ଉପସ୍ଥିତି କ’ଣ ଜରୁରୀ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ସୁଜାତାଙ୍କ ଏଣ୍ଟ୍ରି ଉତ୍ସବରେ କିନ୍ତୁ ପୂର୍ବତନ ସଂଗଠନ ସମ୍ପାଦକ ତଥା ଦିନ ବିଜେଡିର ଦ୍ବିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିବା ବବି ଦାସ ଅନୁପସ୍ଥିତ ଥିଲେ। ସୁଜାତାଙ୍କୁ ସ୍ବାଗତ କରିବାକୁ ବବି କାହିଁକି ଯାଇନଥିଲେ, ତାକୁ ନେଇ ନାନା କଳ୍ପନାଜଳ୍ପନା ବଢ଼ିଥିଲା। ଏପରିକି ସୁଜାତାଙ୍କ ବିଜେଡିରେ ଯୋଗଦାନକୁ ନେଇ ସୋସିଆଲ୍ ମିଡିଆରେ ପୋଷ୍ଟ ବି କରିଥିଲେ, ହେଲେ ନା ଶଙ୍ଖ ଭବନରେ ତାଙ୍କୁ ଦେଖିବାକୁ ମିଳିଥିଲା ନା ସୁଜାତାଙ୍କ ସହ ସେ ଦେଖାଯାଇଥିଲେ। ଏସବୁ ଭିତରେ ଶୁକ୍ରବାର ବବିଙ୍କ ସହ ସୁଜାତା ଆଲୋଚନା କରିଥିବା ଜଣାପଡ଼ିଛି। ଶଙ୍ଖ ଭବନରେ ଉଭୟଙ୍କ ମଧ୍ୟରେ ବସିଥିଲା ବୈଠକ।
କେବଳ ବବି ନୁହଁନ୍ତି, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ୟ୍ୟ, ରାଜନୈତିକ ବ୍ୟାପାର କମିଟି ସଦସ୍ୟ ବିକ୍ରମ ଆରୁଖ, ବିଧାୟକ ରାଜା ସ୍ବାଇଁ, ବଦ୍ରି ପାତ୍ର, ଲତିକା ପ୍ରଧାନ ଓ ଭୂପିନ୍ଦର ସିଂ ଙ୍କ ଭଳି ବରିଷ୍ଠଙ୍କର ମଧ୍ୟ ସୁଜାତାଙ୍କ ଏଣ୍ଟ୍ରି ଉତ୍ସବରେ ଦେଖା ନଥିଲା।
ପୂର୍ବରୁ ବଦ୍ରି ଓ ଭୂପିନ୍ଦର ସୁଜାତାଙ୍କ ଏଣ୍ଟ୍ରିକୁ ଖୋଲାଖୋଲି ବିରୋଧ କରିଥିଲେ। ବିକ୍ରମ ଆରୁଖ ଦଳ କାର୍ୟ୍ୟକ୍ରମରେ ଅଧିକାଂଶ ସମୟରେ ଅନୁପସ୍ଥିତ ରହୁଛନ୍ତି। ଯେଉଁଥିରୁ ସ୍ପଷ୍ଟ ଯେ, ବିଜେଡିର କିଛି ଅସନ୍ତୋଷ ଏବେ ବି ରହିଛି, ଯାହାକି ଆଗକୁ ବିସ୍ଫୋରଣର ରୂପ ନେଇପାରେ। ଦଳ କିନ୍ତୁ ତାଳି ପକାଇ କହିଛି ବ୍ୟକ୍ତିଗତ କାରଣ ପାଇଁ କେହି ଆସିପାରିନଥିବେ। ଅସନ୍ତୁଷ୍ଟଙ୍କୁ ବୁଝାଯିବ।


