
ଦେବଗଡ଼:ଘରେ ନ ପଶୁଣୁ ଚାଳ ବାଜିବା ଆରମ୍ଭ ହେଲାଣି। ଶିଳ୍ପ ବିହୀନ କୃଷି ପ୍ରଧାନ ଦେବଗଡ଼ ଜ଼ିଲ୍ଲାରେ ଶିଳ୍ପର ବିକାଶ ନିମନ୍ତେ ଏକ ନ୍ୟୁକ୍ଲିୟର ପ୍ଲାଣ୍ଟ ହେବା ନିମନ୍ତେ ସରକାରଙ୍କ ତରଫରୁ ପ୍ରସ୍ତାବ ଆଗତ ହୋଇଥିଲା। ଏହା ଫଳରେ ଦେବଗଡ଼ ଜ଼ିଲ୍ଲା ତିଳେଇବଣି ବ୍ଲକ ଅନ୍ତର୍ଗତ ଛେପଲିପାଲି ପଞ୍ଚାୟତରେ ଏଥି ନିମନ୍ତେ ସ୍ଥାନ ନିରୂପଣ କରାଯାଇଥିଲା। ରେଙ୍ଗାଳି ବାସଚ୍ୟୁତ ହୋଇ ବିସ୍ଥାପିତ ହୋଇ ବସବାସ କରୁଥିବା ତିଲେଇବଣି ବ୍ଲକର ଛେପିଲିପାଲି ପଂଚାୟତର ଛେପିଲିପାଲି,ଗାଡପାଳ,ରଙ୍ଗମାଟିଆ ମୌଜାରେ ରହୁଥିବା ଗ୍ରାମବାସୀ ମାନଙ୍କୁ ବିସ୍ଥାପନର ଭୟ ଘାରିଛି। ପୂର୍ବରୁ ରେଙ୍ଗାଳି ନଦୀ ବନ୍ଧ ଯୋଜନା ଯୋଗୁଁ ଭିଟାମାଟି ହରାଇଥିଲେ।ଏବେ ପୁଣି ବିସ୍ଥାପନ ଆଶଙ୍କାରେ ଉକ୍ତ ଅଞ୍ଚଳରେ ପ୍ରସ୍ତାବିତ ଆଣବିକ ଶକ୍ତି କେନ୍ଦ୍ର ନିର୍ମାଣ(ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ)କୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି। ଏନେଇ ଆଜି ଅଞ୍ଚଳବାସୀ ଦେବଗଡ ଗସ୍ତରେ ଆସିଥିବା ଶିଳ୍ପ ମନ୍ତୀ ଓ ରାଜସ୍ବ ମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିବା ସହ ଉକ୍ତ ପ୍ରକଳ୍ପ ବନ୍ଦ କରିବା ପାଇଁ ଦାବି କରିଥିଲେ । ସୂଚନା ଅନୁଯାୟୀ, ତିଲେଇବଣି ବ୍ଲକର ଛେପିଲିପାଲି,ରତନପୁର, ଧୋବଲିପଥର, ଧରଣୀଧରପୁର, ଭାଲିଆଗୁଡି, ଗାଡପାଳ, ରଙ୍ଗମାଟିଆ, ଆମ୍ବପାଳ, କୁଶପଙ୍ଗା, ବାଉରିପାଲି, କଣ୍ଟିମାଲ,ବୁଢିବିଲ, ରେଙ୍ଗାଳପାଲି, ଶ୍ରୀନିବାସପୁର ଓ ପୁରୁଣାପାଣି ଗ୍ରାମରେ ଅଧିକାଂଶ ପରିବାର ରେଙ୍ଗାଳି ବିସ୍ଥାପିତ ପରିବାର ବସବାସ କରୁଛନ୍ତି। ରେଙ୍ଗାଳି ନଦୀ ବନ୍ଧ ଯୋଜନାରେ ସେମାନଙ୍କୁ ବିସ୍ଥାପିତ କରାଯାଇଥିଲା। ଅନ୍ୟପଟେ ସେହିସମୟରେ ସେମାନଙ୍କୁ ବିସ୍ଥାପନର ଉଯପୁକ୍ତ କ୍ଷତିପୂରଣ ମିଳିନଥିବା ଅଭିଯୋଗ ହୋଇଛି। ପ୍ରଥମେ ଉକ୍ତ ସମସ୍ୟାର ସମାଧାନ କରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି। ତେବେ ବର୍ତ୍ତମାନ ଏନଟିପିସି ଓ ନ୍ୟୁକ୍ଲିୟର ପାୱାର କର୍ପୋରେସନ ଅଫ ଇଣ୍ଡିଆ ପକ୍ଷରୁ ଉକ୍ତ ଅଂଚଳରେ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଏକ ପ୍ରତିଷ୍ଠା କରିବା ପାଇଁ ସର୍ବେକ୍ଷଣ ଚାଲିଛି।ଉକ୍ତ ପ୍ରକଳ୍ପ ହେଲେ ଅଂଚଳବାସୀଙ୍କ ମେରୁଦଣ୍ଡ ଭାଙ୍ଗି ଯିବା ସହ ପରିବେଶ ପ୍ରଦୁଷିତ ଏବଂ ଜଙ୍ଗଲ ନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଇଛି।ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଅଂଚଳବାସୀ ଦାବି କରିଛନ୍ତି।







