
ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ବର ଏବଂ କେନ୍ଦୁଝର ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ବେଳେ ଝାଡଖଣ୍ଡରେ ଅତି ପ୍ରବଳ ବର୍ଷା ଯୋଗୁ ସୁବର୍ଣ୍ଣରେଖା, ବୈତରଣୀ, ବୁଢ଼ାବଳଙ୍ଗ, ଜଳକାରେ ବନ୍ୟା ଆସିଥିଲା। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ କେନ୍ଦୁଝର ଜିଲାରେ ବନ୍ୟା ଆସିବା ସହ ବାଲେଶ୍ବର ଅଧିକ ପ୍ରଭାବିତ ହୋଇଛି। ଉତ୍ତର ଓଡ଼ିଶାରେ ବର୍ଷା କମିଥିବାରୁ ନଦୀରେ ଜଳସ୍ତର କମିଛି। କିନ୍ତୁ ବନ୍ୟା ଦୁର୍ଦଶା ଲାଗି ରହିଛି।
ଅନ୍ୟପଟେ ଆସନ୍ତା ରବିବାର ୬ ତାରିଖରେ ହୀରାକୁଦ ଗେଟ ଖୋଲାଯାଇ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଛି। ଫଳରେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବାହ ବଢ଼ୁଛି। ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳ ଭଣ୍ଡାର ଜଳପତ୍ତନ ୬୦୩.୨୫ଫୁଟ ରହିଥିଲା। ଜଳଭଣ୍ଡାରକୁ ୧ ଲକ୍ଷ ୧ହଜାର ୩୪୯ କ୍ୟୁସେକ ଜଳ ପ୍ରବେଶ କରୁଛି। ବିଭିନ୍ନ ପାୱାର ଚ୍ୟାନେଲ ଦେଇ ୩୪ ହଜାର ୨୫୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ବୁଧବାର ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ୬୦୧ଫୁଟ ଜଳ ଥିବାବେଳେ ୯୮ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିଲା। ଗୁରୁବାର ଉପରମୁଣ୍ଡରୁ ଜଳ ଭଣ୍ଡାରକୁ ଅଧିକ ପାଣି ପ୍ରବେଶ କରୁଥିଲା। ସେହିପରି ସାଳନ୍ଦୀ ଜଳ ଭଣ୍ଡାର କ୍ଷମତା ୮୨.୩ମିଟର ଥିବାବେଳେ ୭୭.୪୦ମିଟର ପାଣି ରହିଛି। ବିପଦ ସଙ୍କେତ ତଳେ ପାଣି ରହିଥିଲା।








