ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଯାତାୟାତ କରନ୍ତି। ଅନେକ ସମୟରେ ଜରୁରୀ କାର୍ଯ୍ୟ ଯୋଗୁଁ ଯାତ୍ରୀମାନଙ୍କୁ ଶେଷ ମୁହୂର୍ତ୍ତରେ ଟିକେଟ୍ ବାତିଲ୍ କରିବାକୁ ପଡ଼ିଥାଏ। କିନ୍ତୁ ଏବେ ରେଳବାଇ ଏହାର ରିଫଣ୍ଡ (ଟଙ୍କା ଫେରସ୍ତ) ନୀତିରେ ବଡ଼ ଧରଣର ପରିବର୍ତ୍ତନ କରିଛି। ଆସନ୍ତା ମାସରୁ କାର୍ଯ୍ୟକାରୀ ହେବାକୁ ଥିବା ଏହି ନୂଆ ନିୟମ ଯୋଗୁଁ ବିଳମ୍ବରେ ଟିକେଟ୍ କ୍ୟାନସେଲ୍ କଲେ ଯାତ୍ରୀଙ୍କୁ ମିଳିବନି ରିଫଣ୍ଡ ଟଙ୍କା। ରେଳବାଇ ଅନୁଯାୟୀ, ଶେଷ ମୁହୂର୍ତ୍ତରେ ଟିକେଟ୍ ବାତିଲ୍ ହେବା ଫଳରେ ଅନେକ ସିଟ୍ ଖାଲି ରହିଯାଏ, ଯାହାଦ୍ୱାରା ଅନ୍ୟ ଅପେକ୍ଷାରେ ଥିବା ଯାତ୍ରୀମାନେ ସୁଯୋଗ ପାଇପାରନ୍ତି ନାହିଁ।
କେତେ ସମୟ ପୂର୍ବରୁ କ୍ୟାନସେଲ୍ କଲେ କେତେ ଟଙ୍କା କଟିବ ତାହାର ବି ଗାଇଡଲାଇନ୍ କରାଯାଇଛି
ନୂତନ ଗାଇଡଲାଇନ୍ ଅନୁଯାୟୀ,
• ୮ ଘଣ୍ଟାରୁ କମ୍ ସମୟ: ଯଦି ଆପଣ ଟ୍ରେନ୍ ଛାଡ଼ିବାର ୮ ଘଣ୍ଟା ମଧ୍ୟରେ ଟିକେଟ୍ ବାତିଲ୍ କରନ୍ତି, ତେବେ ଆପଣଙ୍କୁ ଗୋଟିଏ ବି ଟଙ୍କା ଫେରସ୍ତ ମିଳିବ ନାହିଁ। ପୂର୍ବରୁ ଏହି ସୀମା ୪ ଘଣ୍ଟା ଥିଲା।
• ୮ ରୁ ୨୪ ଘଣ୍ଟା ପୂର୍ବରୁ: ଯଦି ଯାତ୍ରାର ୮ ରୁ ୨୪ ଘଣ୍ଟା ପୂର୍ବରୁ ଟିକେଟ୍ ରଦ୍ଦ କରାଯାଏ, ତେବେ ମୋଟ ଟଙ୍କାର ୫୦% (ଅଧା ଟଙ୍କା) କାଟି ଦିଆଯିବ।
• ୨୪ ରୁ ୭୨ ଘଣ୍ଟା ପୂର୍ବରୁ: ଯଦି ଆପଣ ୨୪ ରୁ ୭୨ ଘଣ୍ଟା ପୂର୍ବରୁ ଟିକେଟ୍ ବାତିଲ୍ କରନ୍ତି, ତେବେ ଟିକେଟ୍ ମୂଲ୍ୟର ୨୫% କଟାଯିବ। ପୂର୍ବରୁ ଏହି ନିୟମ ୪୮ ଘଣ୍ଟା ପର୍ଯ୍ୟନ୍ତ ସୀମିତ ଥିଲା।
ଯଦି ଆପଣ ୭୨ ଘଣ୍ଟା ପୂର୍ବରୁ ଟିକେଟ୍ ବାତିଲ୍ କରନ୍ତି, ତେବେ ନିମ୍ନଲିଖିତ ସର୍ବନିମ୍ନ ଶୁଳ୍କ ଦେବାକୁ ପଡ଼ିବ:
• ପ୍ରଥମ ଏସି (1st AC): ୨୪୦ ଟଙ୍କା
• AC ୨-ଟାୟାର: ୨୦୦ ଟଙ୍କା
• AC ୩-ଟାୟାର/ଚେୟାର କାର୍: ୧୮୦ ଟଙ୍କା
• ସ୍ଲିପର କ୍ଲାସ: ୧୨୦ ଟଙ୍କା
• ଦ୍ୱିତୀୟ ଶ୍ରେଣୀ (Reserved 2S): ୬୦ ଟଙ୍କା
ଯାତ୍ରୀମାନଙ୍କୁ ସମୟ ପୂର୍ବରୁ ଟିକେଟ୍ ବାତିଲ୍ କରିବାକୁ ଉତ୍ସାହିତ କରିବା ଏବଂ ସିଟ୍ର ସଠିକ୍ ପରିଚାଳନା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ରେଳବାଇ ପକ୍ଷରୁ ପ୍ରକାଶ କରାଯାଇଛି।




