
ଭୁବନେଶ୍ବର,: ସୋମବାରଠାରୁ ବନ୍ୟା କ୍ଷୟକ୍ଷତି ଆକଳନ ଆରମ୍ଭ । ରାଜସ୍ବ ଏବଂ କୃଷି ବିଭାଗର ଅଧିକାରୀ ମାନେ ବନ୍ୟାରେ ହୋଇଥିବା କ୍ଷୟକ୍ଷତି ଆକଳନ କରୁଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ।
ପ୍ରାଥମିକ ଭାବରେ ୪୨ କୋଟି ୮୦ଲକ୍ଷ କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଉଛି । କ୍ଷତିଗ୍ରସ୍ତଙ୍କୁ ସହାୟତା ପାଇଁ ଜିଲ୍ଲାପାଳ ମାନଙ୍କୁ ୩୬କୋଟି ୯୮ ଲକ୍ଷ ଟଙ୍କା ପଠାଯାଇଛି । ଆଜି ଆଉ ୧୧୦କୋଟି ଟଙ୍କା ରାଜ୍ୟ ସରକାର ପଠାଇବେ । କ୍ଷୟକ୍ଷତି ଆକଳନ ସହ କ୍ଷତିପୂରଣ କାମ ଏକା ସହ ଚାଲିବ । ସମ୍ପୂର୍ଣ୍ଣ ଘର ଭାଙ୍ଗିଥିଲେ ମିଳିବ୧ ଲକ୍ଷ ୨୦ ହଜାର ଟଙ୍କା । ପକ୍କା ଘର ଆଂଶିକ ଭାଙ୍ଗିଥିଲେ ୬ ହଜାର ୫୦୦ ଟଙ୍କା । କଚ୍ଚା ଘର ଆଂଶିକ ଭାଙ୍ଗିଥିଲେ ୪ ହଜାର ଟଙ୍କା, କୁଡ଼ିଆ ଭାଙ୍ଗିଥିଲେ ୮ହଜାର ଟଙ୍କା ମିଳିବ । ଚାଷ କ୍ଷତି ପାଇଁ ଖାଲୁଆ ଜମି ହେକ୍ଟର ପିଛା ୮ହଜାର ୫ଶହ ଟଙ୍କା ମିଳିବ । ଜଳସେଚିତ ଜମିରେ ହେକ୍ଟର ପିଛା ୧୭ ହଜାର ,
ଦୀର୍ଘ ସ୍ଥାୟୀ ଚାଷ ଜମିରେ ହେକ୍ଟର ପିଛା ୨୨ହଜାର ୫୦୦ ଟଙ୍କା ମିଳିବ । ସମୁଦାୟ ୨୨ ଜିଲ୍ଲାରେ ୧୪୫୮ ଗାଁ କ୍ଷତିଗ୍ରସ୍ତ ହୋଇଛି।
ଜୀବନ ହାନି ହୋଇଥିଲେ ୪ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ । ଅଗ୍ନିଶମ କର୍ମଚାରୀଙ୍କୁ ୧ କୋଟି ୫ ଲକ୍ଷ ଟଙ୍କା ମିଳିଛି । ବଡ଼ ପଶୁ ଅର୍ଥାତ୍ ଗାଈ ମୃତ୍ୟୁ ପାଇଁ ୩୭ ହଜାର ୫୦୦ ଟଙ୍କା ଏବଂ ବଦଳ କିମ୍ବା ମହିଷି ପାଇଁ ୩୨ ହଜାର ଟଙ୍କା ମିଳିବ । ବନ୍ୟାରେ ବାଛୁରୀ ମୃତ୍ୟୁ ହୋଇଥିଲେ ୨୦ ହଜାର ଟଙ୍କା ମିଳିବ ।
ବନ୍ୟାରେ ସମୁଦାୟ ପ୍ରଭାବିତ ଅଞ୍ଚଳ ଉପରେ ନଜର ପକାଇଲେ ରାଜ୍ୟ ମୋଟ୍ ୨୨ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ଏଥିରେ ୮୫ ବ୍ଲକ ସହ ୧୫ ସହରାଞ୍ଚଳ ପ୍ରଭାବିତ ହୋଇଛି । ମୋଟ୍ ୬୫୬ ପଞ୍ଚାୟତର ୧୪୫୮ଟି ଗାଁ କ୍ଷତିଗ୍ରସ୍ତ ହୋଇଛି । ଚଳିତ ବନ୍ୟାରେ ୮ଲକ୍ଷ ୬୩ ହଜାର ୯୦୯ ଲୋକ ପ୍ରଭାବିତ ହୋଇଛନ୍ତି । ୨ ଲକ୍ଷ ୬୭ ହଜାର ୩୦୧ଜଣ ବନ୍ୟା ବିପନ୍ନଙ୍କୁ ସ୍ଥାନାନ୍ତରିତ ହୋଇଥିବା ବେଳେ ସେମାନଙ୍କ ପାଇଁ ୫୨୯ ରିଲିଫ୍ କ୍ୟାମ୍ପ ପରିଚାଳିତ ହୋଇଥିଲା ।




