
ଭୁବନେଶ୍ୱର: ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ବାଣିଶ୍ରୀ ଛାତ୍ରବୃତ୍ତିରେ ବିଳମ୍ବ ହେଲେ ଦୈନିକ ତଣ୍ଡ ଗଣିବେ ଅଧିକାରୀ । ବୃତ୍ତି ଆବେଦନଗୁଡ଼ିକୁ ଶିକ୍ଷାନୁଷ୍ଠାନ ସ୍ତରରେ ବିଚାରକୁ ନେବା ପାଇଁ ୪୫ ଦିନର ସମୟସୀମା ଧାର୍ଯ୍ୟ କଲେ ରାଜ୍ୟ ସରକାର । ଏଥିସହ ଡିଏସ୍ଏସ୍ଓଙ୍କ ସ୍ତରରେ ମଧ୍ୟ ୪୫ ଦିନ ଟପିଗଲେ, ତାଙ୍କ ଉପରେ ପ୍ରତି ଆବେଦନ ପିଛା ପ୍ରତିଦିନ ୫୦୦ ଟଙ୍କା ଜରିମାନା ଲାଗୁ କରାଯିବ । ଏ ନେଇ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏହି ନୂତନ ବିଜ୍ଞପ୍ତି ଅନୁଯାୟୀ, ବାଣିଶ୍ରୀ ବୃତ୍ତି ଲାଗି ଆବେଦନ ଦାଖଲ ହେବାର ୪୫ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଯଦି ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ମଞ୍ଜୁରି, ସୁପାରିସ ବା ଅନୁଧ୍ୟାନ ନ କରେ ତେବେ ଆବେଦନଟି ସ୍ୱତଃ ଡିଏସ୍ଏସ୍ଓଙ୍କ ସ୍ତରକୁ ବିଚାର ପାଇଁ ଏସ୍କାଲେଟ୍ ହୋଇଯିବ । ଡିଏସ୍ଏସ୍ଓ ସ୍ତରରେ ମଧ୍ୟ ଆବେଦନଟି ୪୫ ଦିନ ମଧ୍ୟରେ ଯାଞ୍ଚ ଏବଂ ମଞ୍ଜୁର କରିବାକୁ ପଡ଼ିବ । ଏହାଠାରୁ ଯଦି ଅଧିକ ଦିନ ବିଳମ୍ବ ହୁଏ ତେବେ ସମ୍ପୃକ୍ତ ଡିଏସ୍ଏସ୍ଓଙ୍କ ଉପରେ ପ୍ରତି ଆବେଦନ ପିଛା ୫୦୦ ଟଙ୍କା ଜରିମାନା ଲାଗୁ ହେବ । ଏନେଇ ଏବେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ସଂଶୋଧିତ ଯୋଜନାରେ ଆରପିଡବ୍ଲୁଡି ଆକ୍ଟ ୨୦୧୬ ଅନୁଯାୟୀ ସ୍ୱୀକୃତ ୨୧ ପ୍ରକାରର ଦିବ୍ୟାଙ୍ଗତା ଥିବା ଛାତ୍ରଛାତ୍ରୀମାନଙ୍କୁ ସାମିଲ କରାଯାଇଛି । ଯେଉଁ ଛାତ୍ରଛାତ୍ରୀ ୪୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଦିବ୍ୟାଙ୍ଗ ହୋଇଥିବେ ସେମାନେ ସମସ୍ତେ ୟୁଡିଆଇଡି ପ୍ରମାଣପତ୍ର ସହ ଏହି ବୃତ୍ତି ଯୋଜନାରେ ଅନ୍ତର୍ଭୂକ୍ତ ହେବେ ।
ବାଣିଶ୍ରୀ ବୃତ୍ତିରେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଶ୍ରେଣୀ ଅନୁଯାୟୀ ମାସିକ ୪୦୦ ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ମିଳିବ । ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପାଠପଢା ଜାରି ରଖିବା ସହିତ, ବୈଷୟିକ, ବୃତ୍ତିଗତ ବା ଧନ୍ଦାମୂଳକ ପ୍ରଶିକ୍ଷଣ ପାଇଁ ପ୍ରୋତ୍ସାହିତ ଏହଂ ସହାୟତା ପ୍ରଦାନ କରିବା ଏହି ବୃତ୍ତିର ମୂଳ ଉଦ୍ଦେଶ୍ୟ । ଏହିକ୍ରମରେ ପ୍ରଥମରୁ ୫ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାସିକ ୪୦୦, ଷଷ୍ଠରୁ ଦଶମ ଶ୍ରେଣୀ ପାଇଁ ମାସିକ ୫୦୦, ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ମାସିକ ୬୦୦ ଏବଂ ସ୍ନାତକ, ସ୍ନାତକୋତ୍ତର, ବୈଷୟିକ ଓ ଧନ୍ଦାମୂଳକ ପ୍ରଶିକ୍ଷାର୍ଥୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ମାସିକ ୭୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବେ ସରକାର । ୭୫ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଚଳନଶକ୍ତି ଜନିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ମାସିକ ୨୦୦ ଟଙ୍କା ଦିଆଯିବାର ବ୍ୟବସ୍ଥା ରହିଛି ।







