
ଭୁବନେଶ୍ୱର: ବର୍ଷାଦିନେ ଖୋଳାତଡା ବନ୍ଦ ହେବ । ଯଦି କୌଣସି ସଂସ୍ଥା ଏହାକୁ ଅଣଦେଖା କରନ୍ତି ତାହାଲେ ଦୁଇଗୁଣା ଜରିମାନା ଆଦାୟ ହେବ । ଆବଶ୍ୟକ ପଡିଲେ ଜମା ଟଙ୍କା ଫେରସ୍ତ କରାଯିବନି ।ମୌସୁମୀ ଆସିବା ପୂର୍ବରୁ ବିଏମ୍ସିରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏହା ସହ ଡ୍ରେନ ସଫା ତ୍ୱରାନ୍ୱିତ କରିବା ସହ ୨୪ ଘଣ୍ଟା ଭିତରେ ରାସ୍ତାରେ ଗଦା କରାଯାଇଥିବା ପଙ୍କ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଷା ଋତୁ ପାଇଁ ପ୍ରସ୍ତୁତ ହେଉଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) । ଏନେଇ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ବସିଥିଲା । ଏଥିରେ କମିଶନର ଚଞ୍ଚଳ ରାଣା ଏବଂ ସବୁ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।ବର୍ଷାଋତୁ ଆରମ୍ଭ ହେବା ପୂର୍ବରୁ ସମସ୍ତ ଡ୍ରେନର ପଙ୍କୋଦ୍ଧାର କାର୍ଯ୍ୟ ଶେଷ କରିବାକୁ ମେୟର ନିର୍ଦ୍ଦେଶ ଦେଇଛନ୍ତି । ତା ପୂର୍ବରୁ ରାସ୍ତା ଓ ଡ୍ରେନକୁ ମାଡ଼ି ଆସିଥିବା ଗଛର ଡାଳଗୁଡିକୁ କାଟିବା ପାଇଁ କୁହାଯାଇଛି । ଏଥିରେ ବିଏମ୍ସିକୁ ଅଗ୍ନିଶମ ବାହିନୀ ସହଯୋଗ କରିବ । ଖାସ୍ କରି ୱାଟକୋ ପଙ୍କୋଦ୍ଧାର କରୁଥିଲେ ମଧ୍ୟ ସେଗୁଡିକୁ ରାସ୍ତା ଉପରୁ ଉଠାଉ ନଥିବା କର୍ପାରେଟରମାନେ ଅଭିଯୋଗ କରିଥିଲେ ।
ସେହିପରି ଡ୍ରେନର ସୁରକ୍ଷା ଦୃଷ୍ଟିରୁ ଡ୍ରେନ ନିକଟରେ ଗଛ ଲଗାଇବାକୁ ବିଏମସି ପକ୍ଷରୁ କଟକଣା ଜାରି କରାଯାଇଛି। କୌଣସି ଘର ମାଲିକ ଯଦି ଡ୍ରେନ କଡରେ ଗଛ ଲଗାଇଥିବେ ତେବେ ସେମାନଙ୍କୁ ନୋଟିସ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଠାରେ ଡ୍ରେନ ଭାଙ୍ଗିଯାଇଛି ସେଗୁଡିକୁ ତୁରନ୍ତ ମରାମତି କରିବା, ସ୍ଲାବ ପଡି ନଥିବା ସ୍ଥାନରେ ବର୍ଷା ଋତୁ ପୂର୍ବରୁ ସ୍ଲାବ ପକାଇବା ଏବଂ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ସ୍ଥାନଗୁଡିକରେ ବ୍ୟାରିକେଡ କରିବାକୁ କମିଶନର ଶ୍ରୀ ରାଣା ନିର୍ଦେଶ ଦେଇଛନ୍ତି । ପାଣି ଜମିବାର ସମ୍ଭାବନା ଥିବା ଅଞ୍ଚଳରେ ଏବେ ୱାଟ୍କୋ , ଟିପିଡିଓସିଏଲ୍ କିମ୍ବା ଅନ୍ୟ କୌଣସି ବିଭାଗ ଖୋଳାଖାଳି କାର୍ଯ୍ୟ ନ କରିବାକୁ କମିଶନର କହିଛନ୍ତି ।ବୈଠକରେ ଅନ୍ୟମାନଙ୍କ ଭିତରେ ଅତିରିକ୍ତ କମିଶନର କୈଳାସ ଚନ୍ଦ୍ର ଦାସ, ମୁଖ୍ୟ ବିତ୍ତ ଅଧିକାରୀ ଦୀପକ ରଂଜନ ବେହେରା,ରେଜାନାଲ କମିଶନର ଆସନୀ ଏ.ଏଲ୍, ସ୍ୱସ୍ଥ୍ୟ ଓ ପରିମଳ ଷାଣ୍ଡିଂ କମିଟିର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର ଏବଂ ସବୁ ୱାଡ୍ର କର୍ପୋରେଟର ଯୋଗ ଦେଇଥିଲେ ।


