
ଭୁବନେଶ୍ୱର: ଆଜି ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ। ଏହି ଅବସରରେ ଆତ୍ମପ୍ରକାଶ କରିଛି ଓଡିଶା ନାଗରିକ ମଞ୍ଚ। ବିଜୁ ତିରୋଧାନ ଦିବସ ଅବସରରେ ବିଜୁ ଅନୁଗତ ତଥା ବିଜୁ ପ୍ରେମୀ ଏହି ମଞ୍ଚ ଗଢ଼ିଛନ୍ତି। ଭୁବନେଶ୍ବର ଓୟୁଏଟି ଅଡିଟୋରିୟମରେ ବିଶାଳ ସମାବେଶରେ ଏକତ୍ର ହୋଇଛନ୍ତି ବହୁ ବିଜୁ ଲିଗାସି ନେତା।
ରାଜ୍ୟସଭା ସାଂସଦ ଦିଲୀପ ରାୟ, ବରିଷ୍ଠ ରାଜନେତା ବିଜୟ ମହାପାତ୍ର, ଅରବିନ୍ଦ ମହାପାତ୍ର, ସୌମ୍ୟ ରଞ୍ଜନ ପଟ୍ଟନାୟକ, ଅମର ଶତପଥୀ, ପ୍ରଭାତ ତ୍ରିପାଠୀ, ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ପୋଲିସ୍ ଡିଜି ସଞ୍ଜୀବ ମାରିକ ପ୍ରମୁଖ ଏକ ମଞ୍ଚରେ ଏକତ୍ରିତ ହୋଇଛନ୍ତି । ଏହି ସଭାରେ ବହୁ ବରିଷ୍ଠ ନେତାଙ୍କ ସମେତ ଆଇନଜୀବୀ, ବୁଦ୍ଧିଜୀବୀ ଓ ବିଭିନ୍ନ ଜିଲ୍ଲାରୁ ବିଜୁ ପ୍ରେମୀ ଯୋଗ ଦେଇଛନ୍ତି। ବିଜୁ ପ୍ରେମୀଙ୍କୁ ନେଇ ଏହି ମଞ୍ଚ ଗଠନ କରାଯାଇଛି।
ବିଜୁ ଜନତା ଦଳରେ ବିଜୁ ଲିଗାସି ରହୁନାହିଁ। ତାହାର ବିକଳ୍ପ ଭାବେ ଓଡିଶା ନାଗରିକ ମଞ୍ଚ ଆଜି ଆତ୍ମପ୍ରକାଶ କରୁଛି। ଏହା ଏକ ରାଜନୈତିକ ମଞ୍ଚ ନୁହେଁ, ନାଗରିକ ମଞ୍ଚ ବୋଲି ଏହାର କର୍ମକର୍ତ୍ତା ସ୍ପଷ୍ଟ କରିଛନ୍ତି। ଏହାଦ୍ବାରା ବିଭିନ୍ନ ପ୍ରସଙ୍ଗକୁ ନେଇ ସାମାଜିକ ଆନ୍ଦୋଳନ କରାଯିବ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି ।
ବିଜେଡିରୁ ଯେଉଁମାନେ ମୁହଁ ଫେରାଇଛନ୍ତି, ବିଜେଡି ଯାହା ଉପରେ ଆକ୍ସନ ନେଇଛି ତଥା ଯେଉଁମାନେ ବିଜେଡି ଉପରେ ଖୁସି ନୁହନ୍ତି ସେମାନଙ୍କୁ ନେଇ ଏହି ମଞ୍ଚ ଗଠିତ ହୋଇଛି। ତେବେ ଓଡ଼ିଶା ରାଜନୀତିରେ ଏହା ଆଗକୁ ଏକ ବିରାଟ ହଲଚଲ ସୃଷ୍ଟି କରିପାରେ। ଏଥିପାଇଁ ଆଜି ମୂଳଦୁଆ ପଡ଼ିଲା ବୋଲି କୁହାଯାଉଛି।
ବିଜେଡିରେ ସବୁ କିଛି ଠିକ୍ ଚାଲୁନାହିଁ। ତେଣୁ ବିଗତ ବର୍ଷମାନଙ୍କରେ ବହୁ ବିଜୁ ଅନୁଗତ ବିଜେଡିରୁ ଦୂରେଇ ଯାଇଛନ୍ତି। ବିଜେଡିରେ ବିଜୁ ଲିଗାସି କାମ କରୁନି। ସେଥିପାଇଁ ଏପରି ଏକ ମଞ୍ଚ ମୁଣ୍ଡ ଟେକିଛି। ଏହା ବିଜେଡି ପାଇଁ ସତର୍କ ଘଣ୍ଟି ବୋଲି ରାଜନୈତିକ ସମୀକ୍ଷକ ବୋଲି କହିଛନ୍ତି। ତେବେ ବିଜେଡିରେ ଏବେ ବି ବହୁ ଅସନ୍ତୁଷ୍ଟ ନେତା ଥିବା ବେଳେ ସେମାନେ ଦଳର ନୀତି ଆଦର୍ଶରେ ସନ୍ତୁଷ୍ଟ ନୁହନ୍ତି। ତେଣୁ ଆଗାମୀ ଦିନରେ ସେମାନେ ବି ଏହି ମଞ୍ଚମୁହାଁ ହେବା ନେଇ ପୂର୍ବାନୁମାନ କରାଯାଉଛି। ଆଗକୁ ବହୁ ଅନୁଗତ ଏଥିରେ ସମାଲ ହେବେ ବୋଲି କୁହାଯାଉଛି।




