
ଭୁବନେଶ୍ୱର:ରାଜ୍ୟ ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳିବ କି ? ଜୋର ଧରିଛି ବିଜେଡି ଏବଂ କଂଗ୍ରେସ ମେଣ୍ଟ ଚର୍ଚ୍ଚା । ଆସନ୍ତା ପଞ୍ଚାୟତ ନିର୍ବାଚନରେ ଏହି ଦୁଇ ଦଳ ମଧ୍ୟରେ ମେଣ୍ଟ ହେବ କି ? ଯଦି ଉଭୟ ବିରୋଧୀ ଦଳ ଭିତରେ ମେଣ୍ଟ ହୁଏ, ତେବେ ଶାସକ ବିଜେପି ଉପରେ କେତେ ପ୍ରଭାବ ପଡ଼ିବ ?
ବିଜେଡି-କଂଗ୍ରେସ ମେଣ୍ଟ ନେଇ ସୋମବାର ପିିସିସି ସଭାପତି ଭକ୍ତଚରଣ ଦାସ ଏକ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଦଳୀୟ ହାଇକମାଣ୍ଡ ଚାହିଁଲେ ବିଜେଡି-କଂଗ୍ରେସ ମେଣ୍ଟ ହୋଇପାରେ । ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳୀୟ ହାଇକମାଣ୍ଡ ଚାହିଁଲେ ମେଣ୍ଟ ହୋଇପାରେ । ଏଆଇସିସି ଯଦି ନିଷ୍ପତ୍ତି ନିଏ, ତାହେଲେ ଉଭୟ ଦଳ ମେଣ୍ଡ କରିପାରୁ । ଖୋର୍ଦ୍ଧା କଂଗ୍ରେସ କାର୍ଯ୍ୟାଳୟ ଉଦଘାଟନ ବେଳେ ପିସିସି ସଭାପତି ଭକ୍ତଚରଣ ଦାସ ଏହା କହିଛନ୍ତି ।
୨୦୦୦ ମସିହାରେ କଂଗ୍ରେସ ଏବଂ ଜନତା ଦଳର ବିକଳ୍ପ ଭାବେ ଜନ୍ମ ନେଇଥିଲା ‘ବିଜୁ ଜନତା ଦଳ’। ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହଯୋଗରେ ପ୍ରତିଷ୍ଠା ହୋଇଥିଲା ବିଜେଡି । ବିଜୁ ଅନୁଗତଙ୍କୁ ନେଇ ବିଜେଡିର ସୃଷ୍ଟି ହୋଇଥିଲା । ୨୦୦୦ ମସିହାରୁ ୨୦୨୪ ମସିହା ପର୍ୟ୍ୟନ୍ତ ଶାସନ କ୍ଷମତାରେ ରହିଥିଲା ବିଜୁ ଜନତା ଦଳ । ଯଦିଓ ୯ ବର୍ଷ ବିଜେପି-ବିଜେଡିର ମିଳିତ ସରକାର ଥିଲା, ତେବେ ୨୦୦୯ ମସିହା ପରଠୁ ଏନଡିଏରୁ ନୀତିଗତ ଭାବେ ଦୂରେଇ ରହିଲେ ବିଜେଡି ସଭାପତି ନବୀନ । ଆନୁଷ୍ଠାନିକ ଭାବରେ ମେଣ୍ଟରେ ରହିଲେ ନଥିଲେ ମଧ୍ୟ ପରୋକ୍ଷରେ କେନ୍ଦ୍ରରେ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟି ସରକାରକୁ ସବୁ କ୍ଷେତ୍ରରେ ସମର୍ଥନ ଦେଉଥିଲେ ନବୀନ । ।
୨୪ ବର୍ଷ ପରେ କ୍ଷମତାରୁ ଯିବା ପରେ ନବୀନ ଏବେ ପ୍ରଥମଥର ପାଇଁ ବିଜେପି ବିରୋଧୀ ଆଭିମୁଖ୍ୟ ପୋଷଣ କରିଛନ୍ତି । ଗତ ରାଜ୍ୟସଭା ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ବିରୋଧରେ ଯାଇ ନବୀନ, ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ କରିଥିଲେ । ନବୀନଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିଲେ ପିସିସି ସଭାପତି ଭକ୍ତ ଚରଣ ଦାଶ । ବିଜେଡିର ମିଳିତ ପ୍ରାର୍ଥୀ ଡାକ୍ତର ହୋତାଙ୍କୁ ସମର୍ଥନ କରିଥିଲା କଂଗ୍ରେସ । କିନ୍ତୁ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରି ଉଭୟ ବିଜେଡି ଏବଂ କଂଗ୍ରେସର ବିଧାୟକମାନେ ଦିଲ୍ଲୀପକୁ ଜିତାଇ ଥିଲେ । ଫଳରେ ଏବେ ନବୀନ ଏବଂ ଭକ୍ତଙ୍କ ଆକ୍ରୋଶ ଆହୁରି ବଢିଯାଇଛି । ଉଭୟଙ୍କ ଲକ୍ଷ୍ୟ କଳେ ବଳେ, କୌଶଳେ ଭାରତୀୟ ଜନତା ପାର୍ଟି ସରକାରକୁ ଚେକ୍ ଦେବା । କ୍ଷମତା ହାତରୁ ଯିବା ପରେ ନବୀନ, ବିଜେପିକୁ କାଉଣ୍ଟର କରିବାକୁ ଚଳଚଞ୍ଚଳ ମନୋଭାବ ଦେଖିବାକୁ ମିଳୁଛି । ସେହିପରି ଜାତୀୟ ସ୍ତରରେ କଂଗ୍ରେସର ଏକମାତ୍ର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ବିଜେପିକୁ ମାତ୍ ଦେବାକୁ ଭକ୍ତ ମଧ୍ୟ ବିଜେଡି ସହ ହାତ ମିଶାଇବା ପାଇଁ ଆଗ୍ରହି ଥିବା ଚର୍ଚ୍ଚା ହେଉଛି ।




