
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭାର ପ୍ରଥମ ପର୍ୟ୍ୟାୟ ଭୋଟିଂ ଗୁରୁବାର ଶେଷ ହୋଇଛି। ପ୍ରଥମ ପର୍ୟ୍ୟାୟରେ ବେଙ୍ଗଲରେ ହୋଇଛି ରେକର୍ଡ ମତଦାନ। ରେକର୍ଡ ଭୋଟିଂ ହାରକୁ ଦେଖି ବେଶ ଉତ୍ସାହିତ ହୋଇପଡ଼ିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।ରେକର୍ଡ ସଂଖ୍ୟକ ଭୋଟିଂ ପାଇଁ ସେ ବେଙ୍ଗଲବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହ ରେକର୍ଡ ଭୋଟିଂର ଅର୍ଥ ଜମନତ ବିଜେପି ସପକ୍ଷରେ ରହିଛି। ଏଥର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶାସନର ଅନ୍ତ ହେବ ଓ ବେଙ୍ଗଲରେ ବିଜେପି ପରବର୍ତ୍ତୀ ସରକାର ଗଠନ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। କୋଲକାତାରେ ସାମ୍ବାଦିକ ସମ୍ମିଳନୀରେ ଶାହ ଦମ୍ଭୋକ୍ତି କରିଛନ୍ତି ଯେ ରାଜ୍ୟରେ ବିଜେପି ବଡ଼ ବିଜୟ ହାସଲ କରିବ। ପ୍ରଥମ ପର୍ୟ୍ୟାୟରେ ୧୫୨ଟି ଆସନ ପାଇଁ ଭୋଟିଂ ହୋଇଥିବା ବେଳେ ବିଜେପି ୧୧୦ରୁ ଅଧିକ ସ୍ଥାନରେ ଜିତିବ ବୋଲି ସେ କହିଛନ୍ତି।ସେ କହିଛନ୍ତି, “ଆମକୁ ମିଳିଥିବା ତଥ୍ୟ କହୁଛି ଯେ ବେଙ୍ଗଲର ଲୋକମାନେ ସେମାନଙ୍କ ଭବିଷ୍ୟତ ପ୍ରଥମ ପର୍ୟ୍ୟାୟରେ ହିଁ ଧାର୍ୟ୍ୟ କରି ସାରିଛନ୍ତି। ଏହି ମାଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିକାଶକୁ ବାଛିଛି। ଭୋଟିଂ ହାର ଅଧିକ ରହିବାର ଅର୍ଥ ଦିଦି ବିଦା ହେଉଛନ୍ତି ଓ ବିଜେପି ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି।” ଦଳର ଆଭ୍ୟନ୍ତରୀଣ ଆକଳନ ସମ୍ପର୍କରେ ଶ୍ରୀ ଶାହ କହିଛନ୍ତି, “ବିଜେପି ୧୫୨ରୁ ୧୧୦ ଆସନ ଜିତିବାକୁ ଯାଉଛି। ଏହାର ଅର୍ଥ ଦ୍ୱିତୀୟ ପର୍ୟ୍ୟାୟ ମତଦାନ ପରେ ବିଜେପି ପଶ୍ଚିମବଙ୍ଗରେ ସରକାର ଗଠନ କରିବା ସ୍ଥିତିକୁ ଚାଲି ଆସିବ। ଲୋକଙ୍କ ମଧ୍ୟରେ ଥିବା ଉତ୍ସାହ ଆଗାମୀ ପର୍ୟ୍ୟାୟରେ ଆହୁରି ବୃଦ୍ଧି ପାଇବ। ଲୋକମାନେ ପରିବର୍ତ୍ତନ ଧାରାକୁ ଆଗକୁ ନେବେ। ମେ’ ୫ ପରେ ଅଙ୍ଗ, ବଙ୍ଗ ଓ କଳିଙ୍ଗ ବିଜେପି ଶାସନ ଅଧୀନକୁ ଆସିବ। ଏହି ୩ ସ୍ଥାନରେ ପଦ୍ମ ଫୁଟିବ। ଏହା ପୂରା ଇଷ୍ଟ ଇଣ୍ଡିଆ ପାଇଁ ଭଲ ସଙ୍କେତ।”
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆହୁରି କହିଛନ୍ତି, “ପରିବର୍ତ୍ତନର ଅର୍ଥ ଗୋଟିଏ ଅନୁପ୍ରବେଶକାରୀ ବେଙ୍ଗଲ, ଦୁର୍ନୀତି, ତୁଷ୍ଟୀକରଣ ଓ ଲୁଟରୁ ସ୍ୱାଧୀନତା। ଏହାବାଦ ଯୁବଗୋଷ୍ଠୀଙ୍କ ନିଯୁକ୍ତି। ମହିଳାଙ୍କ ସୁରକ୍ଷା ବିଜେପି ସରକାରର ପ୍ରାଥମିକତା ରହିବ।” ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ଅମିତ ଶାହ କହିଛନ୍ତି, “ବିଜେପି କ୍ଷମତାକୁ ଆସିଲେ ବେଙ୍ଗଲକୁ ଜଣେ ବାହାର ଲୋକ ଶାସନ କରିବାର ଭୟ ମୁଖ୍ୟମନ୍ତ୍ରୀ ସୃଷ୍ଟି କରୁଛନ୍ତି। ହେଲେ ମୁଁ ଆପଣମାନଙ୍କୁ ନିଶ୍ଚିତ କରୁଛି ଯେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଏମିତି ଜଣେ ବ୍ୟକ୍ତି ହେବେ ଯିଏ ବେଙ୍ଗଲରେ ଜନ୍ମ ହୋଇଥିବେ, ବେଙ୍ଗଲରେ ପଢ଼ିଥିବେ ଓ ବଙ୍ଗାଲି ଭାଷା କହୁଥିବେ। ଗୋଟିଏ ପାର୍ଥକ୍ୟ ହେଉଛି, ତାଙ୍କ(ମମତା) ପୁତୁରା କ୍ଷମତାରେ ରହିବେ ନାହିଁ ଓ ଜଣେ ବିଜେପି କର୍ମୀ ମୁଖ୍ୟମନ୍ତ୍ରୀ ହେବେ।” ଗୁରୁବାର ବେଙ୍ଗଲରେ ପ୍ରଥମ ପର୍ୟ୍ୟାୟ ମତଦାନ ହୋଇଥିବା ବେଳେ ଆସନ୍ତା ୨୯ରେ ଦ୍ୱିତୀୟ ପର୍ୟ୍ୟାୟ ଭୋଟିଂ ହେବ। ପ୍ରଥମ ପର୍ୟ୍ୟାୟରେ ଭୋଟିଂ ହାର ୯୧.୮୮% ରହିଛି। ଆସନ୍ତା ମେ’ ୪ରେ ଭୋଟ ଗଣତି ସହ ବେଙ୍ଗଲରେ ରେଜଲ୍ଟ ପ୍ରକାଶ ପାଇବ।



