
ଓଡ଼ିଶା ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଦେବା ପାଇଁ ରହିଥିବା ସର୍ବାଧିକ ୬ଟି ସୁଯୋଗକୁ ଉଠାଇ ଦିଆଯିବ। ଏହି ପରୀକ୍ଷା ଦେବା ପାଇଁ ସର୍ବୋଚ୍ଚ ବୟସସୀମା ପର୍ଯ୍ୟନ୍ତ ସୁଯୋଗ ମିଳିବ। ୮୦ତମ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ପତାକା ଉତ୍ତୋଳନ କରି ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ବେଳେ ଏହି ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ସମସ୍ତେ ଜାଣିଛୁ ଯେ ସରକାରୀ ଚାକିରି ସୀମିତ। ପ୍ରତ୍ୟେକଟି ପଦପଦବୀ ପାଇଁ ପ୍ରତିଯୋଗିତା ବହୁତ ଅଧିକ। ତେଣୁ, ସରକାରୀ ଚାକିରି ପାଇଁ ଆବେଦନକାରୀଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବା ପାଇଁ ସର୍ବାଧିକ ବୟସ ସୀମାକୁ ୩୨ରୁ ୪୨ ବର୍ଷକୁ ବୃଦ୍ଧି କରାଯାଇଛି । ତା’ସହିତ, ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ଯେଉଁ ସର୍ବାଧିକ ୬ଟି ସୁଯୋଗ ରହିଛି, ତାକୁ ଉଠାଇ ଦେବା ପାଇଁ ଆଜି ଏହି ପବିତ୍ର ଅବସରରେ ମୁଁ ଘୋଷଣା କରୁଛି। ବର୍ତ୍ତମାନ ଏହି ପରୀକ୍ଷା ପାଇଁ ସର୍ବୋଚ୍ଚ ବୟସସୀମା ପର୍ଯ୍ୟନ୍ତ ସୁଯୋଗ ମିଳିବ।
ସେ କହିଛନ୍ତି, ସରକାରୀ କର୍ମଚାରୀଙ୍କ ଦେହାନ୍ତ ପରେ ଅନୂକମ୍ପା ମୂଳକ ନିଯୁକ୍ତିରେ ଯେଉଁ କିଛି କଟକଣା ଥିଲା, ତାକୁ ମଧ୍ୟ କୋହଳ କରାଯାଇଛି। ସବୁ ପ୍ରାର୍ଥୀଙ୍କୁ ସମାନ ସୁଯୋଗ ଏବଂ ଦୁର୍ନୀତିମୁକ୍ତ ପରୀକ୍ଷା ପରିବେଶ ପ୍ରଦାନ କରିବା ପାଇଁ ମୁଁ ସମ୍ପୃକ୍ତ ଅଧିକାରୀ ଓ ଅନୁଷ୍ଠାନମାନଙ୍କୁ ନିର୍ଦ୍ଦେଶ ଦେଇଛି। ପରୀକ୍ଷାରେ ସାମାନ୍ୟତମ ତ୍ରୁଟି ବିଚ୍ୟୁତି ହେଲେ, ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛି। ଆମ ସରକାର ପରୀକ୍ଷାରେ ଦୁର୍ନୀତି ଓ ଅନିୟମିତତାକୁ ଏକ ଅକ୍ଷମଣୀୟ ଅପରାଧ ଭାବେ ବିଚାରକୁ ନେଇଛି। ଏହି ବାର୍ତ୍ତା ଉଭୟ ପରୀକ୍ଷା ମାଫିଆ ଏବଂ ପରୀକ୍ଷା କରାଉଥିବା ଅଧିକାରୀଙ୍କ ପାଖକୁ ସ୍ପଷ୍ଟ ଭାବେ ଯିବା ଉଚିତ୍।
ସେହିପରି ଯୁବଗୋଷ୍ଠୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଆପଣମାନେ ହେଉଛନ୍ତି ଦେଶର ଭବିଷ୍ୟତ, ନୂତନ ଚିନ୍ତା ଓ ଚେତନାର ଉତ୍ସ। ଆପଣଙ୍କ ସାମର୍ଥ୍ୟ, ଶକ୍ତି ଏବଂ ସୃଜନଶୀଳତାରେ ମୋର ତିଳେ ମାତ୍ର ସନ୍ଦେହ ନାହିଁ। ଆମ ସରକାର ଅବଗତ ଅଛନ୍ତି ଯେ, ଆଜିର ଯୁବ ସମାଜ ପାଇଁ ରୋଜଗାର ସୃଷ୍ଟି ଏକ ବଡ ଆହ୍ୱାନ।
ତେଣୁ, ଏହି ପ୍ରସଙ୍ଗକୁ ସମାଧାନ କରିବା ପାଇଁ ଯୁବ ସମାଜର ଦକ୍ଷତାକୁ ବିକାଶ କରିବା ଅତ୍ୟନ୍ତ ଆବଶ୍ୟକ। କାରଣ ଆଗାମୀ ଏକ କି ଦୁଇ ବର୍ଷରେ ଅତି କମ୍’ରେ ୩ ଲକ୍ଷ, ଏବଂ ପାଞ୍ଚ ବର୍ଷ ମଧ୍ୟରେ ୨୦ ଲକ୍ଷ ଆକର୍ଷଣୀୟ ନିଯୁକ୍ତି ସୃଷ୍ଟି ହେବାକୁ ଯାଉଛି। ଏହି ସୁଯୋଗର ଲାଭ ଉଠାଇବା ପାଇଁ ଆମେ ରାଜ୍ୟର ଯୁବଗୋଷ୍ଠୀଙ୍କୁ ଶିଳ୍ପସଂସ୍ଥା ଗୁଡିକର ଆବଶ୍ୟକତା ଅନୁଯାୟୀ ଦକ୍ଷତାରେ ପ୍ରଶିକ୍ଷିତ କରିବାକୁ ପଦକ୍ଷେପ ନେଇଛୁ। ସେଥିପାଇଁ ଆମେ ଅତ୍ୟାଧୁନିକ ଓ ଆଗାମୀ ଦିନର ନିଯୁକ୍ତିକୁ ପ୍ରଭାବିତ କରୁଥିବା ସ୍କିଲ୍ ଟ୍ରେନିଙ୍ଗ୍ ଉପରେ ଗୁରୁତ୍ୱ ଆରୋପ କରୁଛୁ । ସିଙ୍ଗାପୁର ସହ ପାର୍ଟନରସିପ୍ରେ ଆମେ ୱାର୍ଲଡ୍ ସ୍କିଲ୍ ସେଣ୍ଟର’ରେ ଆମର ଯୁବବର୍ଗଙ୍କୁ ଦକ୍ଷତା ପ୍ରଦାନ କରୁଛୁ । ୱାର୍ଲଡ୍ ସ୍କିଲ୍ ସେଣ୍ଟର୍’ର ଆଉ ୩ଟି ନୂତନ କେନ୍ଦ୍ର ଖୋଲିବା ପାଇଁ ମଧ୍ୟ ନିଷ୍ପତ୍ତି କରିଛୁ ।
ସେ କହିଛନ୍ତି, ଆଜି ଓଡ଼ିଶାର ଦକ୍ଷତା ମଡେଲ ବେଷ୍ଟ ପ୍ରାକ୍ଟିସେସ୍ ସର୍ଭେରେ ଦେଶର ଅନ୍ୟତମ ଶ୍ରେଷ୍ଠ ମଡେଲ ଭାବରେ ପରିଗଣିତ ହୋଇଛି । ITI ଗୁଡ଼ିକର ଆଧୁନିକୀକରଣ ପାଇଁ ଉତ୍କର୍ଷ ITI ଯୋଜନା ଆରମ୍ଭ ହୋଇଥିବା ବେଳେ ରାଜ୍ୟର ୨୫ଟି ITIରେ ସେଣ୍ଟର ଅଫ୍ ଏକ୍ସେଲେନ୍ସ ପ୍ରତିଷ୍ଠା କରାଯାଉଛି । ୧୩ଟି ITIରେ AI Lab ସ୍ଥାପନ କରାଯାଉଛି। ଦକ୍ଷତା କ୍ଷେତ୍ରରେ ଆମର ଉନ୍ନତ ପ୍ରଶିକ୍ଷଣ ଯୋଗୁ ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬ ରେ ଓଡ଼ିଶା ଜାତୀୟ ଦକ୍ଷତା ଚମ୍ପିଆନ୍ ହେବା ସହିତ ବିଭିନ୍ନ ବର୍ଗରେ ଓଡ଼ିଶାର ଯୁବକମାନେ ୫୭ଟି ପଦକ ହାସଲ କରିଛନ୍ତି। ଏହା ଏକ ସାଧାରଣ ସଫଳତା ନୁହେଁ । ଏହା ହେଉଛି ଓଡ଼ିଶାର ଯୁବବର୍ଗର ଉଜ୍ଜ୍ୱଳ ଭବିଷ୍ୟତର ପ୍ରତୀକ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ କିଛି ଦିନ ଧରି ଦେଶର ଯୁବ ସମାଜକୁ ବିଭ୍ରାନ୍ତ କରିବା ପାଇଁ ଦେଶ ଭିତର ତଥା ଦେଶ ବାହାରର କିଛି ବାହ୍ୟଶକ୍ତି ଚେଷ୍ଟା କରୁଛନ୍ତି। କାରଣ, ସେମାନେ ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ରଭାବେ ଦେଖିବାକୁ ଚାହୁଁ ନାହାନ୍ତି। ସେମାନେ ଭଲଭାବେ ଅବଗତ ଅଛନ୍ତି, ମାନନୀୟ ମୋଦୀଜୀ ତାଙ୍କ ଆଗରେ ମୁଣ୍ଡ ନୂଆଁଇବେ ନାହିଁ, ଦେଶର ହିତକୁ ନେଇ ତିଳେମାତ୍ର ସାଲିସ କରିବେ ନାହିଁ। ତେଣୁ, ସେମାନେ ଯୁବଗୋଷ୍ଠୀଙ୍କୁ ଟାର୍ଗେଟ କରୁଛନ୍ତି। ତାଙ୍କର ଏହି ପ୍ରୟାସ ଭଲଭାବେ ସାରା ଦେଶରେ ଏକ୍ସପୋଜ ହୋଇ ସାରିଲାଣି। କିନ୍ତୁ, ଆମ ଯୁବ ସମାଜ ଜାଣିଛନ୍ତି ଯେ, ତାଙ୍କର ଯାହା ବି ସମସ୍ୟା ରହିଛି, ତାହା କେବଳ ମୋଦୀଜୀ ହିଁ ସମାଧାନ କରିପାରିବେ ଏବଂ ମାନନୀୟ ପ୍ରଧାନମନ୍ତ୍ରୀ ସେ ଦିଗରେ ଆବଶ୍ୟକ ପଦକ୍ଷେପ ମଧ୍ୟ ନେଉଛନ୍ତି। ତେଣୁ, ଆପଣମାନେ କାହାଦ୍ୱାରା ପ୍ରଭାବିତ ନ ହୋଇ ନିଜ ନିଜ କ୍ୟାରିୟର ପାଇଁ ଧ୍ୟାନ ଦିଅନ୍ତୁ, ଏହା ହିଁ ଆପଣମାନଙ୍କର ପ୍ରଥମ ପ୍ରାଥମିକତା ହେବା ଆବଶ୍ୟକ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ଯେତେ ଯୋଜନା କରନ୍ତୁ ନା କାହିଁକି, ଯଦି ସୁଶାସନ ନ ଥିବ, ତାହା କାର୍ଯ୍ୟରେ ରୂପାନ୍ତରିତ ହୋଇ ପାରିବ ନାହିଁ। ସୁଶାସନର ଦୁଇଗୋଟି ମୁଖ୍ୟ ଦିଗ ହେଉଛି ଅଭିଯୋଗ ଶୁଣାଣି ଏବଂ ଦୁର୍ନୀତିର ମୂଳୋତ୍ପାଟନ। ବର୍ତ୍ତମାନ ସରକାର ଆପଣଙ୍କ ଦୁଆରକୁ ଯାଉଛନ୍ତି। ଆମ ସରକାର ଆସିବା ଠାରୁ ବର୍ତ୍ତମାନ ମଧ୍ୟରେ ୧୮ଟି ପାଳିରେ ଆମେ ୧୫ ହଜାର ଲୋକଙ୍କ ଅଭିଯୋଗ ଶୁଣି ୯୬ ପ୍ରତିଶତ ସମାଧାନ କରିଛୁ। ଆମ ସରକାରଙ୍କ ନୀତି ଯୋଗୁଁ ଅଭିଯୋଗ ଶୁଣାଣି ପ୍ରକ୍ରିୟା ଏବେ ରାଜ୍ୟସ୍ତରରୁ ବ୍ଲକ୍ ସ୍ତର ପର୍ଯ୍ୟନ୍ତ ନିୟମିତ ଭାବେ ଜାରି ରହିଛି।
ସେ କହିଛନ୍ତି, ଆମ ସରକାର ଆସିବା ଦିନରୁ ହିଁ ଘୋଷଣା କରିଛନ୍ତି ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳତା। ପିଅନ ଠାରୁ ଆଇ.ଏ.ଏସ୍ ପର୍ଯ୍ୟନ୍ତ, ନୂଆ କରି ଚାକିରିରେ ଜଏନ୍ କରିଥିବା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଅବସର ଦିନ ପର୍ଯ୍ୟନ୍ତ ଯେଉଁ ଅଧିକାରୀମାନେ ଦୁର୍ନୀତି କରୁଥିବେ, ତାଙ୍କ ପାଇଁ ନିସ୍ତାର ନାହିଁ। ସରକାରଙ୍କ ଦୁର୍ନୀତି ନିବାରଣ ପଦକ୍ଷେପ ଯୋଗୁଁ, ଦୁର୍ନୀତି ଅଭିଯୁକ୍ତଙ୍କ କ୍ଷେତ୍ରରେ ଦଣ୍ଡହାର ୫୦ ପ୍ରତିଶତରୁ ବି ଅଧିକ। ମୁଁ ଆଜି ଏହି ମଞ୍ଚରୁ ଆହ୍ଵାନ ଦେଉଛି ଯେ, ସବୁ ସରକାରୀ ଅଧିକାରୀ ସ୍ଵଚ୍ଛ, ନିର୍ମଳ ଏବଂ ଦୁର୍ନୀତିମୁକ୍ତ ଭାବେ କାର୍ଯ୍ୟ କରନ୍ତୁ। ସରକାର ଆପଣଙ୍କ କାର୍ଯ୍ୟକଳାପ ବିଷୟରେ ସଂପୂର୍ଣ୍ଣ ସଚେତନ ଅଛନ୍ତି।




