
ବାଲିଗୁଡ଼ା : ମହୁମାଛି ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ବି.ମହେଶ୍ୱର ଦୋରା। ତାଙ୍କ ଘର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରର ଖଜୁରୀନାଳ ସାହିରେ। ଆଜି ସକାଳେ ମହେଶ୍ୱର ତାଙ୍କ ସାଙ୍ଗମାନଙ୍କ ସହିତ କ୍ରିକେଟ ଖେଳିବାକୁ ଯାଇଥିଲେ। ଘରକୁ ଫେରିବା ପରେ ସେ ଛାତ ଉପରକୁ ଯାଇଥିଲେ। ସେଠାରେ ହଠାତ୍ ମହୁମାଛିମାନେ ତାଙ୍କୁ ଆକ୍ରମଣ କରିଥିଲେ। ପରିବାର ଲୋକେ ମହେଶ୍ୱରଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମହେଶ୍ୱର ବିବାହ କରିଥିଲେ। ସେ ବାଲିଗୁଡ଼ା ସହରରେ ଚୁଡ଼ି ବ୍ୟବସାୟ କରୁଥିଲେ। ଏହି ଘଟଣା ପରେ ତାଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ଅଞ୍ଚଳବାସୀ ସ୍ତବ୍ଧ ହୋଇଯାଇଛନ୍ତି। ମହେଶ୍ୱରଙ୍କ ବାପା ବି.ଦୁର୍ଗା ଦୋରା କହିଛନ୍ତି, ତିନି ମହଲା ଘରର ଛାତ ଉପରେ ଏକ ମହୁବସା ଅଛି। ୪/୫ ବର୍ଷ ହେଲାଣି ମହୁମାଛି ସେଠାରେ ରହୁଛନ୍ତି। କେବେ କିଛି ହୋଇ ନଥିଲା। ଆଜି ପୁଅକୂ ମାରି ଦେଲେ।


