
ଆର. ଉଦୟଗିରି: ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା କିରାମା ପଞ୍ଚାୟତ ଭିମନପୁର ଗାଁ ନିକଟସ୍ଥ ଜଙ୍ଗଲରେ ବିଭିନ୍ନ ସ୍ଥାନରୁ ମାଟି ତଳୁ ୨୦ କ୍ୱିଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ କରିଛି ପୁଲିସ। ଏହାର ଆନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ଟଙ୍କା ହେବ।ଆର. ଉଦୟଗିରି ଏସ୍ଡିପିଓ ରାକେଶ କୁମାର ସାହୁ କହିଛନ୍ତି ଯେ ଭିମନପୁର ଅଞ୍ଜଳରେ ଗଞ୍ଜେଇ ମାଫିଆମାନେ ବିପୁଳ ପରିମାଣରେ ଗଞ୍ଜେଇ ସଂଗ୍ରହ କରି ରଖିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ଆର. ଉଦୟଗିରି ଥାନା ଓ ଚନ୍ଦ୍ରଗିରି ଫାଣ୍ଡି ପୁଲିସକୁ ମିଶାଇ ଏକ ଟିମ୍ କରାଯାଇଥିଲା। ଆଜି ସକାଳେ ଏହି ଟିମ୍ ଭିମନପୁର ଅଞ୍ଚଳରେ ଚଢ଼ାଉ କରିଥିଲା। ସେଠାରେ ପ୍ରାୟ ୩ କିଲୋମିଟର ପରିଧି ଭିତରେ ଟିମ୍ ଖୋଜାଖୋଜି କରିଥିଲା। ଆଉ ଆମ ଆଶଙ୍କା ସତ ହୋଇଥିଲା। ଘନ ଜଙ୍ଗଲ ଭିତରେ, ପାହାଡ଼ ଉପରେ ଓ ବିଲରେ ଗାତ ଖୋଳି ବଡ଼ ଟିଣ ବାକ୍ସ ଓ ଡ୍ରମ୍ ଭିତରେ ଗଞ୍ଜେଇ ରଖିଥିଲେ ମାଫିଆ।ଏନେଇ ଆର.ଉଦୟଗିରି ଥାନାରେ ମାମଲା ରୁଜୁ କରାଯାଇଛି। ଏଥିରେ ଯେଉଁମାନଙ୍କର ସଂପୃକ୍ତି ଥିବ ସେମାନଙ୍କୁ ଗିରଫ କରିବ ବୋଲି ଏସ୍ଡିପିଓ କହିଛନ୍ତି।ଏହି ଚଢ଼ାଉ ବେଳେ ଏହା ବି ଦେଖିବାକୁ ମିଳିଥିଲା ଯେ କୁଡ଼ିଆ ଘର ଭିତରେ ବଡ଼ ବଡ଼ ଗାତ ଖୋଳି ସେଥିରେ ପ୍ଲାଷ୍ଟିକ୍ ଡ୍ରମ୍ରେ ଗଞ୍ଜେଇ ରଖାଯାଇଥିଲା।
ଗଞ୍ଜେଇ ବେପାରୀମାନେ ଏହି ଭଳି ଉପା ସବୁ ଆପଣାଇଛନ୍ତି। କେଉଁଠି ମାଟି ତଳେ ତ କେଉଁଠି ପାହାଡ଼ ଶିଖରରେ ଗଞ୍ଜେଇକୁ ଜମା କରି ରଖୁଛନ୍ତି ମାଫିଆ। ଆଉ ସୁବିଧା ସୁଯୋଗ ଦେଖି ସେଗୁଡ଼ିକୁ ଚାଲାଣ କରୁଛନ୍ତି। ପ୍ରାୟ ସପ୍ତାହେ ତଳେ ଗଜପତି ଜିଲ୍ଲା ଅଡ଼ବା ଥାନା କାରିଗିଜୁ ଗାଁ ନିକଟସ୍ଥ ପାହାଡ଼ ଉପରୁ ପୁଲିସ୍ ଜବତ କରିଥିଲା ୨୮ କ୍ୱିଣ୍ଟାଲ ୧୧ କେଜି ଗଞ୍ଜେଇ। ୧୧୩ଟି ବସ୍ତାରେ ଏହି ଗଞ୍ଜେଇ ରଖାଯାଇଥିଲା।




