ମୋହନଙ୍କୁ ନବୀନଙ୍କ ଚିଠି; ୪୮ ଘଣ୍ଟାରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଅପିଲ

ଭୁବନେଶ୍ବର: ଓଡିଶା ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗ ଉଠାଇ ୪୮ ଘଣ୍ଟା ମଧ୍ୟରେ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମୋହନଙ୍କୁ ଚିଠି ଲେଖିଛନ୍ତି ନବୀନ । କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଡିଲିମିଟେସନରେ ଓଡ଼ିଶାର ଆସନ ସଂଖ୍ୟା ୨୧ରୁ ୨୯କୁ ବୃଦ୍ଧି ହେଲେ ବି ପ୍ରତିନିଧିତ୍ବ ୩.୪%କୁ କମିବ ବୋଲି ଆଶଙ୍କା କରିଛନ୍ତି ନବୀନ । ପ୍ରକାଶିତ ରିପୋର୍ଟ ଅନୁସାରେ ଓଡ଼ିଶା ଚତୁର୍ଥ ସର୍ବାଧିକ କ୍ଷତିଗ୍ରସ୍ତ ରାଜ୍ୟ ହେବ । ତେଣୁ ଓଡ଼ିଶାର ସାମାନ୍ୟତମ ରାଜନୈତିକ ଅଧିକାର କ୍ଷୂର୍ଣ୍ଣ ହେବାକୁ ଦିଆନଯାଉ ବୋଲି ନବୀନ ଦାବି କରିଛନ୍ତି । ଏଥିସହିତ ଯଦି ଓଡ଼ିଶାର ରାଜନୈତିକ ଗୁରୁତ୍ୱ ଓ ସମ୍ମାନ ଅକ୍ଷୁର୍ଣ୍ଣ ରହିବ ତେବେ ଡିଲିମିଟେସନ୍ ବିଲ୍’କୁ ସ୍ୱାଗତ କରିବେ ବୋଲି କହିଛନ୍ତି ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି । ବିରୋଧୀ ଦଳ ନେତା ଚିଠିରେ ଦର୍ଶାଇଛନ୍ତି, “ସମ୍ବିଧାନର ପ୍ରସ୍ତାବିତ ୧୩୧ ତମ ସଂଶୋଧନ ବିଲ୍ ୨୦୨୬ – ସୀମା ପୁନଃ ନିର୍ଦ୍ଧାରଣ ବିଲ ଦ୍ୱାରା ଲୋକସଭାରେ ଆସନ ସଂଖ୍ୟାରେ ବ୍ୟାପକ ପରିବର୍ତ୍ତନ ଘଟିବ । ଲୋକସଭାର ସଦସ୍ୟ ସଂଖ୍ୟା ୫୪୩ ରୁ ୮୫୦ କୁ ବୃଦ୍ଧି ପାଇବ । ଓଡିଶାର ଲୋକସଭା ଆସନ ସଂଖ୍ୟା ୨୧ ଅଛି ଯାହାକି ମୋଟ ଆସନ ସଂଖ୍ୟାର ୩.୯ ପ୍ରତିଶତ । ଯଦି ସମ୍ବିଧାନ ସଂଶୋଧନ ବିଲ ପାରିତ ହୁଏ, ତେବେ ଲୋକସଭାରେ ଓଡିଶାର ପ୍ରତିନିଧିତ୍ୱ ୨୯ କୁ ବୃଦ୍ଧି ପାଇବ । କିନ୍ତୁ ଆନୁପାତିକ ହାରରେ ଏହା ୩.୯ ପ୍ରତିଶତରୁ ୩.୪ ପ୍ରତିଶତକୁ ହ୍ରାସ ଘଟିବ ।”
ଏକ ଚିଠି ଜାରି କରି ବିରୋଧୀ ଦଳ ନେତା କହିଛନ୍ତି, ଜନସଂଖ୍ୟା ନିୟନ୍ତ୍ରଣରେ ଓଡିଶା ଏକ ଆଗୁଆ ରାଜ୍ୟ । ମାନବ ସମ୍ବଳର ବିକାଶରେ ମଧ୍ୟ ପ୍ରଶଂସନୀୟ କାର୍ଯ୍ୟ କରିଛି । କିନ୍ତୁ ନୂତନ ସଂଶୋଧନ ଦ୍ୱାରା ଓଡିଶାର ରାଜନୈତିକ ପ୍ରତିନିଧିତ୍ୱ ଜାତୀୟ ସ୍ତରରେ ୧୫ ପ୍ରତିଶତ ହ୍ରାସର ସମ୍ଭାବନା ରହିଛି, ଯାହାକି ଚିନ୍ତାଜନକ । ଓଡ଼ିଶାର ରାଜନୈତିକ ପ୍ରତିଷ୍ଠା ବିଶେଷ ଭାବରେ ପ୍ରଭାବିତ ହେବ । ପ୍ରସ୍ତାବିତ ନୂତନ ବ୍ୟବସ୍ଥା ଦ୍ୱାରା ଓଡିଶା ବିପୁଳ କ୍ଷତି ସହିବାରେ ଦେଶର ଚତୁର୍ଥ ରାଜ୍ୟ ହେବ । ସାଢେ ଚାରି କୋଟି ଓଡିଆଙ୍କ ଆଶା ଓ ଆକାଂକ୍ଷା ଉପରେ ଏହା ଏକ ଶକ୍ତ ପ୍ରହାର ସଦୃଶ ଏବଂ ଆମର ଭବିଷ୍ୟତ ପୀଢି ପାଇଁ ବହୁତ ବଡ ଅନ୍ୟାୟ ହେବ । ଯଦି ଓଡିଶାର ରାଜନୈତିକ ଅଧିକାର ଅକ୍ଷୁର୍ଣ୍ଣ ରୁହେ, ତେବେ ଯାଇ ଆମେ ଏହି ବିଲ୍‌କୁ ସ୍ୱାଗତ କରିବୁ । କିନ୍ତୁ ଆମର ମହାନ ସମ୍ବିଧାନରେ ଉଲ୍ଲିଖିତ ସହଯୋଗ ମୂଳକ ସଂଘୀୟବାଦର ଏହି ବିଲ ବିରୁଦ୍ଧାଚରଣ କରୁଛି । ତେଣୁ ଓଡିଶାର ରାଜନୈତିକ ଅଧିକାର କ୍ଷୁର୍ଣ୍ଣ ହେଲା ଭଳି ଯଦି କୌଣସି କାର୍ଯ୍ୟ ଘଟେ, ତେବେ ଏହା ଓଡିଶାବାସୀଙ୍କର ଆଶା ଆକାଂକ୍ଷା ପ୍ରତି ଐତିହାସିକ ଧୋକା ହେବ ।
ସେ କହିଛନ୍ତି, ୧୯୩୬ ଏପ୍ରିଲ ୧ ତାରିଖରେ ଭାଷା ଭିତ୍ତିରେ ଗଠିତ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଗୌରବମୟ ଇତିହାସ ରଚିଥିଲା । ଓଡିଆ ଭାଷାଭାଷୀ ଅଞ୍ଚଳ ଏକାଠି ହେଲା । ଆମର ପୂର୍ବ ସୁରୀମାନଙ୍କର ନିରନ୍ତର ସଂଗ୍ରାମ ଓ ଦୂରଦୃଷ୍ଟିର ଫଳ ଶ୍ରୁତି ସ୍ୱରୂପ ଏହି ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଓଡିଆ ଅସ୍ମିତାର ଜୟଗାନ କରି ଚାଲୁଛି । ଆମର ପୂର୍ବ ସୁରୀମାନେ ଅନେକ ତ୍ୟାଗ ସ୍ୱୀକାର କରି ଓଡିଆ ସଂସ୍କୃତିକୁ ସୁରକ୍ଷିତ ରଖି ଯାଇଛନ୍ତି । ଓଡିଶା କେବଳ ଏକ ଭୌଗଳିକ ସତ୍ତା ନୁହେଁ, ଓଡିଆ ଭାଷା କହୁଥିବା ସାଢେ ଚାରିକୋଟି ଓଡିଶାବାସୀଙ୍କର ଆସ୍ଥାର ଦେବାଳୟ । ୧୮୧୭ ମସିହାର ପାଇକ ବିଦ୍ରୋହ ଓ ୧୯୪୨ର ଭାରତ ଛାଡ ଆନ୍ଦୋଳନ ଆଦିରେ ଏ ମାଟିର ସୁଯୋଗ୍ୟ ସନ୍ତାନ ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଅତୁଳନୀୟ ଅବଦାନକୁ ଶ୍ରଦ୍ଧାର ସହ ସ୍ମରଣ କରିଛନ୍ତି । ସେହିପରି ଦେଶର ସର୍ବ କନିଷ୍ଠ ଶହୀଦ ବାଜି ରାଉତଙ୍କ ତ୍ୟାଗ ଓ ବଳିଦାନକୁ ମଧ୍ୟ ଉଲ୍ଲେଖ କରି ତାଙ୍କୁ ସାହାସର ପ୍ରତୀକ ଭାବରେ ବର୍ଣ୍ଣନା କରିଛନ୍ତି । ଏହି ମହାପୁରୁଷଙ୍କର ଅବଦାନ ସବୁବେଳେ ସମସ୍ତଙ୍କୁ ପ୍ରେରଣା ଦେଇ ଚାଲିଛି ଓ ଚାଲିବ । ଓଡ଼ିଶାର ସମ୍ମାନ ଅକ୍ଷୁର୍ଣ୍ଣ ରହିଲେ ‘ଡିଲିମିଟେସନ୍ ବିଲ୍’କୁ ସ୍ୱାଗତ କରିବୁ
ମୁଖ୍ୟମନ୍ତ୍ରୀଙ୍କୁ ନବୀନ ଅନୁରୋଧ କରି କହିଛନ୍ତି, ଓଡିଶା ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ଭୂମି । ଜଗନ୍ନାଥ ସଂସ୍କୃତି ହେଉଛି ଭାରତୀୟତାର ଆଧ୍ୟାତ୍ମିକ ଓ ନୈତିକ ଶକ୍ତି । ଜଗନ୍ନାଥ ସଂସ୍କୃତି ସବୁବେଳେ ସାମ୍ୟତା, ଭ୍ରାତୃତ୍ୱ ଓ କରୁଣାର ପ୍ରଚାର କରି ଆସିଛି । ଏହି ମୂଲ୍ୟବୋଧ ହିଁ ଆମ ଭାରତୀୟ ସାଧାରଣତନ୍ତ୍ରର ମୂଳ ଭିତ୍ତି । ଏହି ସାଂସ୍କୃତିକ ଓ ଐତିହାସିକ ପଟ୍ଟଭୂମିରେ ଓଡିଶାର ମହାନତାକୁ ଆଖି ଆଗରେ ରଖି ଓଡିଶାର ରାଜନୈତିକ ଅଧିକାର ଯେପରି କ୍ଷୂର୍ଣ୍ଣ ନ ହୁଏ, ସେଥିପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ତୁରନ୍ତ ପଦକ୍ଷେପ ନେବା ଦରକାର । ଆମେ ଯଦି ବର୍ତ୍ତମାନ ପରିସ୍ଥିତିରେ ଦୃଢ଼ ପ୍ରତିବାଦ ନ କରି ଓଡିଶାର ରାଜନୈତିକ ପ୍ରତିଷ୍ଠା ହ୍ରାସର ନୀରବ ଦ୍ରଷ୍ଟା ହୋଇ ରହିବା, ତେବେ ଭବିଷ୍ୟତ ବଂଶଧର ଆମକୁ କେବେ କ୍ଷମା କରିବେ ନାହିଁ । କିନ୍ତୁ, ‘ଡିଲିମିଟେସନ୍ ବିଲ୍’କୁ ଆମେ ସେତିକିବେଳେ ସ୍ୱାଗତ କରିବୁ, ଯେବେ ଓଡ଼ିଶାର ରାଜନୈତିକ ଗୁରୁତ୍ୱ ଓ ସମ୍ମାନ ଅକ୍ଷୁର୍ଣ୍ଣ ରହିବ ।

ଆମର ପୂର୍ବଜ, ସ୍ୱାଧୀନତା ସଂଗ୍ରାମୀ ଓ ଅନେକ ମହାପୁରୁଷଙ୍କ ଅକ୍ଳାନ୍ତ ପରିଶ୍ରମ ଓ ବଳିଦାନ ଯୋଗୁଁ ଆମେ ଏକ ସମୃଦ୍ଧ ଓଡ଼ିଶା ପାଇଛୁ । କିନ୍ତୁ ପୁଣିଥରେ ଓଡ଼ିଶାର ସ୍ୱରକୁ ଜାତୀୟ ସ୍ତରରେ ଦବେଇ ଦେବାକୁ ଅପଚେଷ୍ଟା କରାଯାଉଛି । ସୀମା ପୁନଃ ନିର୍ଦ୍ଧାରଣ ବିଲକୁ ନେଇ ଓଡ଼ିଶାର ସ୍ୱାଭିମାନ ଓ ନାର୍ଯ୍ୟ ଅଧିକାର ପାଇଁ ଏକଜୁଟ ହେବାକୁ ପଡିବ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡକାଯାଇ ସଂକଳ୍ପ ପାରିତ କରାଯାଉ । ଓଡ଼ିଶାର ରାଜନୈତିକ ଅଧିକାର ଅନ୍ୟ ରାଜ୍ୟ ଛଡ଼ାଇ ନେବାକୁ ଦିଆନଯାଉ । ଜନସଂଖ୍ୟା ନିୟନ୍ତ୍ରଣ ଓ ବିକାଶ କ୍ଷେତ୍ରରେ ଉଦାହରଣୀୟ କାମ କରିଥିବା ଓଡ଼ିଶା ପ୍ରତି ଏହି ବିଲ ଏକ ଦଣ୍ଡ ସ୍ବରୂପ । ଓଡିଶାର ରାଜନୈତିକ ଅଧିକାର ଯେପରି ୦.୦୦୧% କ୍ଷୁର୍ଣ୍ଣ ନ ହେବ ସେଥିପାଇଁ ଆମେ ସମସ୍ତେ କାମ କରିବା ଦରକାର । ଏହି ପ୍ରସଙ୍ଗକୁ ଜଣେ ଓଡିଆ ଭାବରେ ଦୃଢତାର ସହ ଗ୍ରହଣ କରିବା ପାଇଁ ନବୀନ ଅନୁରୋଧ କରିଛନ୍ତି । ଏହା ସହ ଓଡିଶା ମାଟିର ଭାଗ୍ୟ ଓ ଭବିଷ୍ୟତର ସୁରକ୍ଷା ପାଇଁ ବିଜେଡି ପୂର୍ଣ୍ଣ ସମର୍ଥନ ଜଣାଇବ ବୋଲି ନବୀନ ପ୍ରତିଶ୍ରୁତି ଦେଇଛନ୍ତି ।

ଜନନାୟକ ବିଜୁ ବାବୁ ମହିଳା ସଂରକ୍ଷଣ ଓ ମହିଳା ସଶକ୍ତି କରଣ କ୍ଷେତ୍ରରେ ସାରା ଦେଶରେ ଜଣେ ଅଗ୍ରଦୂତ ଥିଲେ । ବିଜେଡି ସବୁବେଳେ ବିଧାନସଭା ଓ ପାର୍ଲାମେଣ୍ଟରେ ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଇଁ ସଂଗ୍ରାମ କରି ଆସିଛି । ପଞ୍ଚାୟତିରାଜ ଅନୁଷ୍ଠାନରେ ମହିଳା ମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବିଜେଡି ବହୁ ପୂର୍ବରୁ କରିଛି । ତେଣୁ ମହିଳାଙ୍କ ସଶକ୍ତି କରଣ ପାଇଁ ଆସୁଥିବା ଜାତୀୟ ବିଧେୟକକୁ ବିଜେଡି ପୂର୍ଣ୍ଣ ସମର୍ଥନ ଦେବ ।

  • Related Posts

    ମୋଦୀଙ୍କୁ ଭେଟିଲେ ମନମୋହନ

    ଭୁବନେଶ୍ୱର: ମୋଦୀଙ୍କୁ ଭେଟିଲେ ମନମୋହନ । ନୂଆଦିଲ୍ଲୀ ସ୍ଥିତ ସଂସଦ ଭବନ କାର୍ୟ୍ୟାଳୟରେ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଯାହର ଫୋଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ମନମୋହନ ।…

    Continue reading
    ଇଣ୍ଡି ମେଣ୍ଟ ବୈଠକରେ ବିଜେଡି ସାଂସଦ

    ଭୁବନେଶ୍ୱର: ଇଣ୍ଡି ମେଣ୍ଟ ସହ ବିଜେଡିର ହୋଇଛି କି ଅଘୋଷିତ ଡିଲ୍ ? ସାଂସଦ ମାନସ ମଙ୍ଗରାଜଙ୍କ ଫଟୋକୁ ନେଇ ବଢ଼ିଲା ଚର୍ଚ୍ଚା। ଇଣ୍ଡି ମେଣ୍ଟ ବୈଠକରେ ସାମିଲ ହୋଇଥିଲେ ମାନସ ମଙ୍ଗରାଜ। ସଂସଦରେ ନାରୀ ବନ୍ଦନ ଅଧିନିୟମ ଓ ସୀମା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ