
ଭୁବନେଶ୍ଵର : ତେଲ ସରିଯିବା ଗୁଜବ ପରେ ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ କାଲି ରାତିରୁ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ତେବେ ଏହାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ କହିଛନ୍ତି ଯଥେଷ୍ଟ ତେଲ ମହଜୁଦ୍ ଅଛି। ବିଭ୍ରାନ୍ତିକର ତଥ୍ୟ ଉପରେ ବିଶ୍ଵାସ କରନ୍ତୁ ନାହିଁ। କେବଳ ସରକାରୀ ତଥ୍ୟ ଉପରେ ବିଶ୍ଵାସ କରନ୍ତୁ। ଆମ ପାଖରେ ଯଥେଷ୍ଟ ତେଲ ଅଛି , ଆଦୌ ଅସୁବିଧା ହେବନି। କଳାବଜାରୀ ଉପରେ ନଜର ରଖନ୍ତୁ। ଦରକାର ପଡିଲେ ଆକ୍ସନ ନେବୁ। ତେଲ, ନିତ୍ୟ ବ୍ୟବହୃତ ସାମଗ୍ରୀ ଉପରେ ନଜର ରଖିଛୁ। ଭୟଭୀତ ହୁଅନ୍ତୁ ନାହିଁ।
ପ୍ରକାଶ ଯେ ତେଲ ସରିଯିବା ଗୁଜବ ପରେ ମାଲକାନଗିରିର ବିଭିନ୍ନ ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଯୁଦ୍ଧ ପାଇଁ ପେଟ୍ରୋଲ ସରିଯିବା ଗୁଜବ ପରେ କାଲି ରାତିରୁ ଲୋକେ ଲମ୍ବା ଲାଇନ୍ ଲଗାଇଛନ୍ତି। କିଏ ଗାଡ଼ି ଟାଙ୍କି ଫୁଲ୍ କରୁଛି ତ ଆଉ କିଏ ବ୍ୟାରେଲ୍ ତେଲ ବୋହି ନେଉଛି।
ସେପଟେ କିନ୍ତୁ ଉତ୍କଳ ପେଟ୍ରୋଲିୟମ୍ ଡିଲର ସଂଘ ସମ୍ପାଦକ କହିଛନ୍ତି ତେଲର କୌଣସି ଅଭାବ ନାହିଁ। କାମ ଚାଲିଥିବାରୁ ଝାରସୁଗୁଡା ଡିପୋରୁ ମାଲକାନଗିରିକୁ ତେଲ ଆସିପାରୁନି। ବାଲେଶ୍ଵର, ପାରାଦୀପ , ଜଟଣୀରୁ ମାଲକାନଗିରିକୁ ତେଲ ପଠାଯାଉଛି। ଦୂରଗାମୀ ହେବାରୁ ତେଲ ପହଞ୍ଚିବାରେ ବିଳମ୍ବ ହେଉଛି। ଗୋଟିଏ, ଦୁଇଟି ପେଟ୍ରୋଲ ପମ୍ପରେ ତେଲ ସରିଯାଇ ଥାଇପାରେ। କିନ୍ତୁ ଯୁଦ୍ଧ ପାଇଁ ତେଲ ସଙ୍କଟ ଆଦୌ ନାହିଁ। ଆଜିଠୁ ସ୍ଥିତି ସ୍ଵାଭାବିକ ହୋଇଯିବ।


