
ଭୁବନେଶ୍ୱର: ରବିବାର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖୋର୍ଦ୍ଧାରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଗ୍ରୀନ୍ ଫିଲ୍ଡ୍ ଡାଟା ସେଣ୍ଟର ଓ ପ୍ରଶିକ୍ଷଣ ସଂସ୍ଥାର ଉଦଘାଟନ କରିବେ । ତେଣୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସଜେଇ ହେଉଛି ଆରବିଆଇ ଗ୍ରୀନ୍ ଫିଲ୍ଡ ଡାଟା ସେଣ୍ଟର । ୧୬୯ କୋଟିରେ ନିର୍ମିତ ଏହି ସେଣ୍ଟର ବାଗଚି ଶ୍ରୀ ଶଙ୍କରା କ୍ୟାନ୍ସର୍ ସେଣ୍ଟର ଓ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ନିକଟରେ ପାଖାପାଖି ୧୯ ଏକର ଜାଗାରେ ଗଢ଼ି ଉଠିଛି । ଯାହା ଦେଶରେ ଦ୍ୱିତୀୟ କେନ୍ଦ୍ର ହେବ । ଉଲ୍ଲେଖଯୋଗ୍ୟ, ଆରବିଆଇ ଗ୍ରୀନ୍ ଫିଲ୍ଡ୍ ଡାଟା ସେଣ୍ଟରକୁ ୨୦୨୩ ମାର୍ଚ୍ଚ ୨୨ ତାରିଖରେ ତତ୍କାଳୀନ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶିଳାନ୍ୟାସ କରିଥିଲେ । ଯାହାକୁ ଆସନ୍ତା ୨୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କରିବେ ।
ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସୁରକ୍ଷା ବ୍ୟବସ୍ଥା, କାର୍କେଡ ପ୍ଲାନ୍, ଜରୁରୀ କାଳୀନ ଚିକିତ୍ସା ସେବା, ଆବଶ୍ୟକ ସଡ଼କ ମରାମତି, ପରିମଳ, ନିରବଚ୍ଛିନ୍ନ ବିଦ୍ୟୁତସେବା ଓ ପାନୀୟ ଜଳ ବ୍ୟବସ୍ଥା, ମଞ୍ଚ ପ୍ରସ୍ତୁତି, ଗଣମାଧ୍ୟମକୁ ସମ୍ବାଦ ସରବରାହ ବ୍ୟବସ୍ଥା ଓ ଅନ୍ୟ ଆନୁଷଙ୍ଗିକ ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା କରାଯାଇଛି । ପ୍ରଧାନମନ୍ତ୍ରୀ ୨୫ ତାରିଖ ଅପରାହ୍ନରେ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଖୋର୍ଦ୍ଧା ହେଲିପ୍ୟାଡରେ ପହଁଚିବେ । ସେଠାରୁ ସଡ଼କ ପଥରେ ଖୋର୍ଦ୍ଧାରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ଗ୍ରୀନ୍ ଫିଲ୍ଡ ଡାଟା ସେଣ୍ଟର ଓ ପ୍ରଶିକ୍ଷଣ କେନ୍ଦ୍ରର ଉଦଘାଟନ କରିବେ । ସେଠାରେ ପ୍ରଧାନମନ୍ତ୍ରୀଙ୍କର ପ୍ରାୟ ୧ ଘଣ୍ଟାର କାର୍ଯ୍ୟକ୍ରମ ରହିଛି । ପରେ ପ୍ରଧାନମନ୍ତ୍ରୀ ସଡ଼କ ପଥରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସନ୍ଧ୍ୟାରେ ପ୍ରତ୍ୟାବର୍ତ୍ତନ କରିବେ ।







