
୨୧ଟି ପ୍ୟାରେଡ୍ ଟ୍ରୁପ୍ର ଅଂଶଗ୍ରହଣ, ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ
ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବିଜୟ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ବ୍ଲକସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାଆଡ଼ମ୍ବର ଓ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଏହି ଅବସରରେ ସମଗ୍ର ରାଇକିଆ ଅଞ୍ଚଳ ଦେଶପ୍ରେମ ଓ ଜାତୀୟତାର ଭାବନାରେ ଉଦ୍ବେଳିତ ହୋଇଉଠିଥିଲା।ବ୍ଲକସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଇକିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରୀନା ପ୍ରଧାନ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପ୍ରଥମ ଥର ପାଇଁ ଏହି ଅବସରରେ ‘ବନ୍ଦେ ମାତରମ୍’ ଗାନ କରାଯାଇଥିଲା। ପରେ ସେ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ନିଜ ଅଭିଭାଷଣରେ ଶ୍ରୀମତୀ ପ୍ରଧାନ ସ୍ୱାଧୀନତା ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରି ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ଶୃଙ୍ଖଳିତ, ସମୃଦ୍ଧ ଓ ବିକଶିତ ସମାଜ ଗଠନରେ ସମସ୍ତେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ। ରାଇକିଆ ବ୍ଲକର ବିକାଶ ହେଲେ ଓଡ଼ିଶାର ବିକାଶ ହେବ ଏବଂ ଓଡ଼ିଶା ବିକଶିତ ହେଲେ ଭାରତ ମଧ୍ୟ ବିକଶିତ ରାଷ୍ଟ୍ର ଭାବେ ଆଗକୁ ବଢ଼ିବ ବୋଲି ସେ କହିଥିଲେ।
ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ଆକର୍ଷଣୀୟ ପ୍ୟାରେଡ୍ରେ ମୋଟ ୨୧ଟି ଟ୍ରୁପ୍ ଅଂଶଗ୍ରହଣ କରିଥିଲେ। ପ୍ୟାରେଡ୍ର ଶୃଙ୍ଖଳା ଓ ଦେଶପ୍ରେମର ଦୃଶ୍ୟ ଉପସ୍ଥିତ ଅତିଥି ଓ ଦର୍ଶକଙ୍କ ମନ ଜିଣିଥିଲା। ଏଥିସହ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
ଚଳିତ ବର୍ଷ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଶ୍ରୀମତୀ ପ୍ରଧାନ ପୁରସ୍କୃତ କରିଥିଲେ। ଉତ୍ସବରେ ରାଇକିଆ ଥାନା ଭାରପ୍ରାପ୍ତ ଅଧିକାରୀ ଏ. ସ୍ୱର୍ଣ୍ଣଲତା ପାତ୍ର,ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ,ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା, ଫାୟାର ଅଫିସର ଡି. ଦିଲୀପ ରାଓ, ଆଇଆରବି କମାଣ୍ଡାଣ୍ଟ୍ ଏସ୍ଆଇ ପ୍ରଶାନ୍ତ ଖେଶ, କୋଷାଧ୍ୟକ୍ଷ ଦୁର୍ଯ୍ୟୋଧନ ଲେଙ୍କାଙ୍କ ସମେତ ଜାତୀୟ ଉତ୍ସବ କମିଟିର ସମସ୍ତ ସଦସ୍ୟ, ଅବସରପ୍ରାପ୍ତ ଯବାନ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଉଦ୍ଘୋଷକ ଭାବେ ମୋଶେଷ ଦିଗାଲ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।
ସେହିପରି ସ୍ୱାଧୀନତା ଦିବସ ଅବସରରେ ରାଇକିଆର ବିଭିନ୍ନ ଅନୁଷ୍ଠାନରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଉମାକାନ୍ତ ରଥ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ରାଇକିଆ ନାଗରିକ ମଞ୍ଚ ପକ୍ଷରୁ ଉପଦେଷ୍ଟା ଶ୍ରୀବଛ ନାୟକ ପତାକା ଉତ୍ତୋଳନ କରିଥିଲେ। ସ୍ଥାନୀୟ ଲକ୍ଷ୍ମୀସାଗର ଅମୃତ ସରୋବର ଏବଂ ରାଇକିଆ ପଂଚାୟତ କାର୍ଯ୍ୟାଳୟ ପରିସରରେ ରାଇକିଆ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ରାଇକିଆ ଭାଜପା କାର୍ଯ୍ୟାଳୟ ଠାରେ ସନ୍ତୋଷ କୁମାର ପାତ୍ର ପତାକା ଉତ୍ତୋଳନ କରିଥିଲେ, ସରସ୍ବତୀ ଶିଶୁମନ୍ଦିର ଠାରେ ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା ପତାକା ଉତ୍ତୋଳନ କରିଥିଲେ.ସମଗ୍ର ରାଇକିଆ ଅଞ୍ଚଳରେ ଦେଶପ୍ରେମର ଭାବନା ଓ ଉତ୍ସବର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ପାଳନ ହୋଇଥିଲା।
ରିପୋର୍ଟର : ଦୁତି କୃଷ୍ଣ ପଣ୍ଡା




