
ଭୁବନେଶ୍ୱର: ରାଜଧାନୀରେ ଅସାମାଜିକଙ୍କ ଆତଙ୍କରାଜ । ବିଳମ୍ବିତ ରାତିରେ ବୁଲିଲା ଖଣ୍ଡା । ଭୁବନେଶ୍ବରରେ ହଣାକଟା । ରାତିରେ ଘରକୁ ଫେରୁଥିବା ବେଳେ ଗାଙ୍ଗୁରାମ ମିଠା ଦୋକାନୀ ମିସ୍ତ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । କିଛି ଦୁର୍ବୃତ୍ତ ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି ।ଖବର ଅନୁଯାୟୀ, ଏହି ଘଟଣା ୟୁନିଟ-4 MLA କଲୋନୀ ନିକଟରେ ହୋଇଛି । ମିଠା ଦୋକାନରେ କାମ କରୁଥିବା ମିସ୍ତ୍ରୀ ବୁଦ୍ଧଦେବ ଭୂୟାଁ ବିଳମ୍ବିତ ରାତିରେ କାମ ସାରି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇ ଥିଲେ । ଉଭୟଙ୍କ ମଧ୍ୟରେ ବହୁ ସମୟ ଧରି ବଚସା ହୋଇଥିଲା । ପରେ ତାଙ୍କୁ ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ୪ଜଣ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ଖଣ୍ଡା ଚୋଟ ମାରିଥିଲେ । ତେବେ ବୁଦ୍ଧଦେବଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଓ ପୁଲିସ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।
ତେବେ ବୁଦ୍ଧଦେବଙ୍କୁ କିଏ ଓ କାହିଁକି ଆକ୍ରମଣ କରିଲା ତାହାର କାରଣ ଆସ୍ପଷ୍ଟ ରହିଛି । ଅନ୍ୟପଟେ ଖାରବେଳନଗର ଥାନା ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତମାନଙ୍କୁ ଖୋଜୁଛି । ଏହାଛଡ଼ା ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ନେଇ ମଧ୍ୟ ଛାନଭିନ୍ କରୁଛି ।




